ପୂର୍ବତନ ବିଧାୟକ ଉମେଶ୍ ସ୍ୱାଇଁଙ୍କ ପରଲୋକ

ଜଗତସିଂହପୁର ୧୭।୧୧: ବରିଷ୍ଠ ନେତା ଉମେଶ ସ୍ବାଇଁଙ୍କ ପରଲୋକ । ଭୁବନେଶ୍ୱର ସ୍ଥିତ ତାଙ୍କ ବାସ ଭବନରେ ହୃଦଘାତରେ ଦେହାନ୍ତ ହୋଇଯାଇଛି । ଜଗତସିଂହପୁର-ବାଲିକୁଦାର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଉମେଶ ଚନ୍ଦ୍ର ସ୍ବାଇଁଙ୍କର ୮୯ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି ।

ଖବର ଅନୁଯାୟୀ, ଉମେଶ ସ୍ୱାଇଁ ବାଲିକୁଦା ନିର୍ବାଚନ ମଣ୍ଡଳିରୁ ୪ ଥର ବିଧାୟକ ଭାବେ ଜିତିଥିଲେ । ପ୍ରଥମେ ୧୯୭୭ରୁ ୧୯୮୦ , ୧୯୯୦ରୁ ୧୯୯୫, ୨୦୦୦ରୁ ୨୦୦୫ ଓ ୨୦୦୫ରୁ ୨୦୦୯ ପର୍ଯ୍ୟନ୍ତ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ଉମେଶ । ନିଜ କାର୍ଯ୍ୟକାଳ ସମୟରେ ଅନେକ ଉନ୍ନତିମୂଳକ କାର୍ଯ୍ୟ କରି ଲୋକଙ୍କ ଗହଣରେ ବେଶ୍‌ ପରିଚିତ ହୋଇଥିଲେ ।

ଜଗତସିଂହପୁର ମାଛଗାଁ ଠାରେ ଜନ୍ମ ଗ୍ରହଣ କରିଥିବା ଉମେଶ ସ୍ୱାଇଁ ସାରା ଜିଲ୍ଲାରେ ଜଣେ ବେଶ୍ ଲୋକପ୍ରିୟ ରାଜନେତା ଭାବରେ ପରିଚିତ ଥିଲେ । ତାଙ୍କର ବିୟୋଗରେ ସାରା ଜଗତସିଂହପୁର ଜିଲାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତାଙ୍କର ମର ଶରୀର ଜନ୍ମ ମାଟି ମାଛଗାଁକୁ ଅଣାଯିବା ପରେ ସେଠାରେ ଶେଷକୃତ୍ୟ ସଂପନ୍ନ କରାଯିବ ।

Spread the love