ପାକିସ୍ତାନ ଓ ଚୀନର ମୁଖା ଖୋଲିଲା ଭାରତ, ପ୍ରମାଣ ଦେଲେ ବିଦେଶ ମନ୍ତ୍ରୀ

ନୂଆଦିଲ୍ଲୀ ୨୯/୧୦: ଜାତିସଂଘ ସୁରକ୍ଷା ପରିଷଦର ବୈଠକରେ ପାକିସ୍ତାନର ପୋଲ୍ ଖୋଲିଦେଲା ଭାରତ। ୨୬/୧୧ ମୁମ୍ବାଇ ଆତଙ୍କୀ ହମଲାରେ ପାକିସ୍ତାନର କୁତ୍ସିତ ଚେହେରା ଉପରୁ ପରଦା ହଟାଇଛି। ସାରା ଦୁନିଆ ଆଗରେ ମୁମ୍ବାଇ ଆତଙ୍କୀ ହମଲାରେ ପାକିସ୍ତାନୀ ଆତଙ୍କୀ ସାଜିଦ ମୀରର ଅଡିଓ କ୍ଲିପକୁ ପ୍ଲେ କରିଛି ଭାରତ। ଅଡିଓ କ୍ଲିପରେ ଏହା ସ୍ପଷ୍ଟ ଶୁଭୁଛି ଯେ ମୀର ଆତଙ୍କୀଙ୍କୁ ନିର୍ଦ୍ଦେଶ ଦେଉଛନ୍ତି ଯେଉଁଠି ମୁଭମେଣ୍ଟ ଦେଖୁଛ, ଯେଉଁଠି ବି ଲୋକ ନଜର ଆସୁଛନ୍ତି ଗୁଳି ମାର। ମୁମ୍ବାଇର ତାଜ ହୋଟେଲରେ ଜାତିସଂଘ ସୁରକ୍ଷା ପରିଷଦ୍ ର ଆତଙ୍କବାଦ-ମୁକାବିଲା କମିଟିର ବିଶେଷ ବୈଠକରେ ଏହି ଅଡିଓ କ୍ଲିପ ପ୍ଲେ କରିଥିଲେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର।

କ୍ଲିପରେ ଆତଙ୍କୀ ସାଜିଦ ମୀର ଚବାଡ ହାଉସରେ ଥିବା ଆତଙ୍କୀଙ୍କୁ ଏହା କହୁଥିବାର ଶୁଣିବାକୁ ମିଳୁଛି ଯେ କିଏ ଛାତ ଉପରେ ବୁଲୁଛି, କିଏ ଆସୁଛି କିଏ ଯାଉଛି ସମସ୍ତଙ୍କ ଉପରେ ଗୁଳିମାଡ କର। ଅପରପାର୍ଶ୍ବରେ ଶୁଣୁଥିବା ଆତଙ୍କୀ ଠିକ୍ ସେଇୟା ହେବ ବୋଲ ଭରସା ଦେଉଥିବା ଶୁଣିବାକୁ ମିଳୁଛି। ବୈଠକରେ ଭାରତ ଏହି ଯୁକ୍ତି ରଖିଥିଲା ଯେ ଆତଙ୍କୀ ମୀରର ମୃତ୍ୟୁ ହୋଇଯାଇଛି ବୋଲି ପାକିସ୍ତାନ ଡ୍ରାମା କରିଥିଲା। ସାଜିଦର DNA ଟେଷ୍ଟ ମଧ୍ୟ କରିଥିଲା। କିନ୍ତୁ ପରେ ଜଣାପଡିଥିଲା ସେ ମୃତ ନୁହଁ ଜୀବୀତ। ଅନ୍ତର୍ଜାତୀୟ ଚାପ ଯୋଗୁ ପାକିସ୍ତାନ ମୀରକୁ ଗିରଫ କରିଥିଲା। ସଜା ବି ଶୁଣାଇଥିଲା। ଏବେ ସେ କେଉଁଠି ତାର ପତ୍ତା ନାହିଁ। ଜାତିସଂଘରେ ମୀରକୁ ଆତଙ୍କୀ ଘୋଷଣା ପ୍ରକ୍ରିୟା ମଧ୍ୟ ଅଟକି ରହିଛି। ସାଜିଦ ମୀର ISIର ପୂର୍ବତନ ଅଫିସର।

ସେ କେବଳ ୨୬/୧୧ ମୁମ୍ବାଇ ଆତଙ୍କୀ ହମଲାରେ ଅଭିଯୁକ୍ତ ନୁହଁ। ସେ ଅନେକ ଅନ୍ତର୍ଜାତୀୟ ଆତଙ୍କୀ ହମଲାର ଷଡଯନ୍ତ୍ର ମଧ୍ୟ ରଚିଛି। ଏହି ଆତଙ୍କୀ ଲସ୍କର ଇ ତୋଇବାର ଡେନମାର୍କ ପ୍ରୋଜେକ୍ଟର ମାଷ୍ଟରମାଇଣ୍ଡ ଥିଲା। ତେଣୁ, ଆତଙ୍କବାଦ ବିରୋଧରେ ସଂଗ୍ରାମ କରିବା ଲାଗି ଜାତିସଂଘର ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ର ପ୍ରତି ଏହା ଖୋଲା ଚାଲେଞ୍ଜ୍ ହୋଇ ରହିଛି ବୋଲି ଜୟଶଙ୍କର କହିଛନ୍ତି ।

Spread the love