ପୁରୀରେ ଅସମ୍ଭାଳ ଭିଡ଼: ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଯାଉଛି, ବାରିକେଡ୍‌ ଓଲଟି ଭକ୍ତଙ୍କ ଉପରେ ପଡ଼ିଲା

ପୁରୀ: ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ରବିବାର ଛୁଟିଦିନ ଥିବାରୁ ଆଜି ସକାଳୁ ଶ୍ରୀମନ୍ଦିର ସିଂହଦ୍ବାର ଆଗରେ ଭକ୍ତଙ୍କ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଛି। ସିଂହଦ୍ବାର ସେଡ୍‌ ଭିତରେ ଜାଗା ନ ଥିବାରୁ ମରିଚିକୋଟ ଛକ ପର୍ଯ୍ୟନ୍ତ ବୃଦ୍ଧ ବ୍ୟକ୍ତି, ମହିଳା, ଛୋଟ ପିଲା ସମସ୍ତେ ମହାପ୍ରଭୁଙ୍କ ଶ୍ରୀମୁଖ ଦର୍ଶନ ଆଶାରେ ଖରାରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ରହିଥିଲେ। ଅନ୍ୟପଟରେ ଶ୍ରୀମନ୍ଦିର ଭିତରେ ବି ଭିତର ବେଢ଼ା, ସାଚପାହାଚ, ନାଟମଣ୍ଡପ, ଭିତର କାଠ, ସବୁଠି ସ୍ଥିତି ଅତି ଗମ୍ଭୀର ହୋଇଯାଇଥିଲା। ଭକ୍ତମାନେ ଠେଲାପେଲା ଭିତରେ ଦର୍ଶନ କରିଥିଲେ। ଦର୍ଶନ ପାଇଁ ଜଣେ ଜଣେ ଭକ୍ତଙ୍କୁ ୩ରୁ ୪ ଘଣ୍ଟା ସମୟ ଲାଗିଥିଲା। ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ବି ଅସନ୍ତୋଷ ପ୍ରକାଶ କରିଛନ୍ତି। କାହିଁକି ଚାରିଦ୍ବାର ଭକ୍ତଙ୍କ ପାଇଁ ଖୋଲାଯାଉନି, ସେ ଚର୍ଚ୍ଚା ଜୋର ଧରିଛି। ଚାରିଦ୍ବାର ଦେଇ ଭକ୍ତମାନେ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଗଲେ, ଅଘଟଣ ଘଟିବାର ଯେଉଁ କାରଣ ପ୍ରଶାସନ ଦର୍ଶାଉଛି, ସେହି ବାଟ ଦେଇ କ’ଣ ଲୋକେ ପ୍ରସ୍ଥାନ କରୁନାହାନ୍ତି ବୋଲି ଭକ୍ତମାନେ ଆଜି ପାଲଟା ପ୍ରଶ୍ନ କରିଛନ୍ତି।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ଭକ୍ତଙ୍କ ପାଇଁ ଯନ୍ତ୍ରଣାଦାୟକ ହେବାରେ ଲାଗିଛି। ଦର୍ଶନ କରିବା ପାଇଁ ପ୍ରତିଦିନ ସଂଘର୍ଷ କରିବାକୁ ପଡ଼ୁଛି। ସେ ବାହାରେ ହେଉ କି ଭିତରେ ପ୍ରତିଦିନ ଠେଲାପେଲା ପରିସ୍ଥିତି ସୃଷ୍ଟି ହେଉଛି। ଦିନକୁ ଦିନ ଭକ୍ତଙ୍କ ଏହି ଯନ୍ତ୍ରଣା ଅସହ୍ୟ ହୋଇ ପଡ଼ୁଛି। ନା ଶ୍ରୀମନ୍ଦିର ପ୍ରଶାସନ ଏଥିପ୍ରତି ନଜର ଦେଉଛି, ନା ଜିଲ୍ଲା ପ୍ରଶାସନ। ଅଧିକ ଯନ୍ତ୍ରଣା ପାଉଛନ୍ତି ବୃଦ୍ଧ, ବୃଦ୍ଧା, ମହିଳା ଓ ସେମାନଙ୍କ ସାଙ୍ଗରେ ଆସିଥିବା କୋମଳମତି ଶିଶୁମାନେ। ଠେଲାପେଲାରେ ଏମାନେ ଅଣନିଃଶ୍ବାସୀ ହୋଇପଡ଼ୁଛନ୍ତି। ଯାହାର ଜ୍ବଳନ୍ତ ଉଦାହରଣ ଆଜି ରବିବାରରେ ଦେଖିବାକୁ ମିଳିଛି।

କାର୍ତ୍ତିକ ମାସ ଓ ରବିବାର ଯୋଗୁ ଆଜି ହଜାର ହଜାର ସଂଖ୍ୟାରେ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷା କରି ରହିଥିଲେ। ଯେଉଁ ବୃଦ୍ଧ, ବୃଦ୍ଧାମାନେ ଆସିଥିଲେ, ସେମାନେ ମୁଣ୍ଡରେ ଗାମୁଛା, ଲୁଗା ପକାଇ ତ୍ରାହି ତ୍ରାହି ଡାକୁଥିଲେ। ତଥାପି ପ୍ରଶାସନିକ ଅଧିକାରୀଙ୍କ ଏଥିପ୍ରତି ନଜର ପଡ଼ିନଥିଲା। କେହି ଏହାର ପ୍ରତିକାର ବ୍ୟବସ୍ଥା କରିବାକୁ ଆସିନଥିଲେ। ଗୋଟିଏ ସମୟରେ ଭିଡ଼ ଏମିତି ହେଲା ଯେ ଠେଲାପେଲା ଭିତରେ ଶ୍ରୀମନ୍ଦିର ସମ୍ମୁଖରେ ଥିବା ବାରିକେଡ୍‌ ଓଲଟି ଭକ୍ତଙ୍କ ଉପରେ ପଡ଼ିଯାଇଥିଲା। ପରେ କିଛି ଭକ୍ତ ଓ ସ୍ଥାନୀୟ ଲୋକେ ପହଞ୍ଚି ଏହି ବାରିକେଡ୍‌କୁ ସିଧା କରିଥିଲେ। କିନ୍ତୁ କୌଣସି ପୁଲିସ ଅଧିକାରୀ ଅବା ପ୍ରଶାସନିକ ଅଧିକାରୀ ଏହି ସ୍ଥିତି ନିୟନ୍ତ୍ରଣ ପାଇଁ ନଥିଲେ। ଏହାକୁ ଭକ୍ତ ମହଲ ଦୃଢ଼ ନିନ୍ଦା କରିଛନ୍ତି। ବିଳମ୍ବରେ ସିଂହଦ୍ବାର ଅଗ୍ନିଶମ କାର୍ଯ୍ୟାଳୟ ପକ୍ଷରୁ ପାଣି ସିଞ୍ଚନ ଭକ୍ତଙ୍କ ପାଇଁ ଆଶୀର୍ବାଦ ସାଜିଥିଲା।

Spread the love