ମଡେଲ ଟେନାନ୍ସି ଆକ୍ଟକୁ ମିଳିଲା କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ, ଗଠନ ହେବ ରେଣ୍ଟାଲ ଅଥରିଟି, କୋର୍ଟ ଓ ଟ୍ରିବ୍ୟୁନାଲ

ନୂଆଦିଲ୍ଲୀ ୨।୬:  ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କ ଲାଗି ମଡେଲ ଟେନାନ୍ସି ଆକ୍ଟ ଚିଠା ପ୍ରସ୍ତାବରେ କେନ୍ଦ୍ର କ୍ୟାବିନେଟ୍ ବୁଧବାର ମୋହର ମାରିଛନ୍ତି। ମାଲିକ ଓ ଭଡାଟିଆଙ୍କ ସ୍ୱାର୍ଥ ରକ୍ଷା ଲାଗି ଏଥିରେ ଜିଲ୍ଲା ଓ ସହରାଞ୍ଚଳ ଲାଗି ପୃଥକ ଭଡ଼ା ପ୍ରାଧିକରଣ, ନ୍ୟାୟାଳୟ ଓ ଟ୍ରିବ୍ୟୁନାଲ ସ୍ଥାପନାର ପ୍ରାବଧାନ ରହିଛି। ବିଦ୍ୟମାନ ଟେନାନ୍ସି ଆକ୍ଟରେ ଉପଯୁକ୍ତ ସଂଶୋଧନ କରି ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଚିଠା ପ୍ରସ୍ତାବକୁ ଏବେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କୁ ପଠାଯିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଆଇନର ଚିଠା ପ୍ରସ୍ତାବ ଉପସ୍ଥାପିତ ହୋଇଥିଲା। ଯାହାକୁ ମନ୍ତ୍ରୀମଣ୍ଡଳର ମଞ୍ଜୁରୀ ମିଳିଛି। ସଂଶୋଧିତ ଆଇନରେ ଆବାସୀୟ ପରିସର ହେଉ ଅଥବା ବାଣିଜ୍ୟିକ ପରିସରରେ ଏବେ ଗୃହ ମାଲିକଙ୍କୁ  ଭଡାଟିଆଙ୍କ  ସର୍ବାଧିକ ସୁରକ୍ଷା ଜମାଠାରୁ ଆରମ୍ଭ କରି ଅନ୍ୟାନ୍ୟ ନୀତି ନିୟମର ବିସ୍ତୃତ ବ୍ୟାଖ୍ୟା ରହିଛି। ଯେଉଁଥିରେ ଭଡା ସମ୍ପର୍କିତ ସମସ୍ତ ନୀତିନିୟମକୁ ନେଇ ଏକ ଲିଖିତ ଚୁକ୍ତିନାମା ହେବା ସହ ଏହାକୁ ଜିଲ୍ଲା କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନ କରାଯିବ। କେନ୍ଦ୍ର ନଗର ଓ ଗୃହ ଉନ୍ନୟନ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏହି ନୂଆ ଆଇନ ଆବାସୀକ ଭଡା ସମ୍ପର୍କିତ ଆଇନଗତ ଢାଞ୍ଚାକୁ ଅଧିକ ଶୃଙ୍ଖଳିତ କରିବାରେ ସହାୟକ ହେବ ବୋଲି କହିଛନ୍ତି।

ତେବେ କେନ୍ଦ୍ର ସରକାର କହିଛନ୍ତି ଯେ ନୂଆ ଆଇନ ଆଗାମୀ ବ୍ୟବସ୍ଥା ରୂପେ କାର୍ଯ୍ୟକାରୀ ହେବ ଓ ପ୍ରଚଳିତ ବ୍ୟବସ୍ଥା ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଭଡ଼ା ଏବଂ ଅବଧି ଉଭୟ ମାଲିକ ଓ ଭଡ଼ାଟିଆଙ୍କ ପାରସ୍ପରିକ ସହମତି ଅନୁସାରେ ନିର୍ଦ୍ଧାରିତ ହେବ। ସରକାରୀ ବିବୃତ୍ତି ଅନୁଯାଯୀ ଏହା ସାରା ଦେଶରେ ଘରଭଡ଼ା ପାଇଁ ଆଇନଗତ ଢାଞ୍ଚାକୁ ସୁଦୃଢ କରିବାରେ ସହାୟକ ହେବା ସହ କ୍ଷେତ୍ରରେ ବିକାଶ ଲାଗି ବାଟ ଫିଟିବ।

ତେବେ ଦେଶରେ ଭଡ଼ା ଲାଗି ଏକ ବିବିଧତାପୂର୍ଣ୍ଣ ସ୍ଥାୟୀ ଏବଂ ସମାବେଶୀ ଆବାସୀୟ ବଜାର ସୃଷ୍ଟି କରିବା ଏହି ଆଇନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି। ଯାହା ଦ୍ୱାର ଲୋକଙ୍କୁ ବେଘର ହେବାରୁ ରକ୍ଷା କରି ହେବ। ଏଥିରେ ଖାଲିପଡିଥିବା ଘରଗୁଡିକୁ ଭଡ଼ାରେ ଉପଲବ୍ଧ କରାଯାଇପାରିବ। ଫଳରେ ଭଡ଼ାଘର ବଜାରରେ ବ୍ୟକ୍ତିଗତ ଭାଗିଦାରୀ ବଢିବା ସହ ଘର ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ। ମଡେଲ ଟେନାନ୍ସୀ ଆକ୍ଟ ଆବାସିକ ଭଡା ବ୍ୟବସ୍ଥାକୁ ସଂସ୍ଥାଗତ ରୂପ ଦେବାରେ ସହାୟକ ହେବ ବୋଲି ସରକାର କହିଛନ୍ତି।

Spread the love