‘କରୋନା’ ଯୋଦ୍ଧାଙ୍କ ପାଇଁ କ୍ୟାବିନେଟ୍‌ ନେଇଥିବା ନିଷ୍ପତ୍ତିକୁ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ

ଦେଶର ‘କରୋନା’ ଯୋଦ୍ଧା ସ୍ୱାସ୍ଥ୍ୟ କର୍ମୀଙ୍କ ସୁରକ୍ଷା ପାଇଁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନିଆଯାଇଥିବା କ୍ୟାବିନେଟ୍‌‌‍ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥିସହିତ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। କେନ୍ଦ୍ର କ୍ୟାବିନେଟ୍‌ କୋଭିଡ-୧୯ର ମୁକାବିଲା ପାଇଁ ୧୫ ହଜାର କୋଟି ଟଙ୍କା ଅନୁମୋଦନ କରିଛନ୍ତି। ଯାହାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସ୍ୱାଗତ କରିଛନ୍ତି। ସେ କହିଛନ୍ତି-“ଏହି ଅର୍ଥ କରୋନା ରୋଗୀଙ୍କ ଚିକିତ୍ସାରେ ସହାୟକ ହେବ। ଏହାଛଡ଼ା ଦେଶ ସ୍ୱାସ୍ଥ୍ୟ ଭିତ୍ତିଭୂମି ମଜବୁତ‌୍‍ ହୋଇପାରିବ। ଏହି ଅର୍ଥରୁ ୪ ହଜାର ୧୧୩ କୋଟି ଟଙ୍କା ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ମଞ୍ଜୁରି ହୋଇସାରିଥିବା ବେଳେ ୭ ହଜାର ୭୭୪ କୋଟି ଟଙ୍କା ଜରୁରୀକାଳୀନ ପାଣ୍ଠିକୁ ଯିବ। ବଳକା ଅର୍ଥ ମଧ୍ୟକାଳୀନ ସହଯୋଗ ତଥା ୧ରୁ ୪ ବର୍ଷ ପାଇଁ ମିଶନ ମୋଡରେ ଖର୍ଚ୍ଚ କରାଯିବ। ‘କରୋନା’ ମହାମାରୀ ସହ ଲଢେଇ କରୁଥିବା ଆଗଧାଡିର ଯୋଦ୍ଧା ସ୍ୱାସ୍ଥ୍ୟ କର୍ମୀମାନଙ୍କ ସହ ଦେଶ କାନ୍ଧକୁ କାନ୍ଧ ମିଳାଇ ଛିଡା ହୋଇଛି। ନିଜ ଜୀବନକୁ ବିପଦରେ ପକାଇ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀମାନେ ସୁସ୍ଥ ଭାରତ ଗଠନ ପାଇଁ ଦିନରାତି କାମ କରୁଛନ୍ତି। ‘କରୋନା’ ଯୋଦ୍ଧାଙ୍କୁ ଯେତେ ଧନ୍ୟବାଦ ଦେଲେ ମଧ୍ୟ ଯଥେଷ୍ଟ ନୁହେଁ। ତେଣୁ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ସମର୍ଥନ ଦେବା ସହ ସେମାନଙ୍କୁ ବିଶ୍ୱ ସ୍ୱାସ୍ଥ୍ୟ ସଂକଟରେ ଲଢିବା ପାଇଁ ସହଯୋଗ କରିବା। ସମସ୍ତେ ଏକାଠୀ ହୋଇ ଏହି ମହାମାରୀ ଚ୍ୟାଲେଞ୍ଜକୁ ଦୂର କରିପାରିବା।” ସେ ଆହୁରି କହିଛନ୍ତି-“ଡାକ୍ତର, ମେଡିକାଲ କର୍ମଚାରୀ, ଆଶା କର୍ମୀ ଓ ଅନ୍ୟ ସମସ୍ତ ଆଗଧାଡିର ଯୋଦ୍ଧାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ମହାମାରୀ ରୋଗ ଅଧିନିୟମ,୧୯୮୭ରେ ସଂଶୋଧନ କରିବା ପାଇଁ ଏକ ନିଦ୍ଦେର୍ଶନାମା ଜାରୀ କରିଛନ୍ତି। ଏହି ଅଧିନିୟମରେ ଥିବା କଠୋର ବ୍ୟବସ୍ଥା ଦେଶର ସ୍ୱାସ୍ଥ୍ୟ କର୍ମଚାରୀ ତଥା ସେମାନଙ୍କର ବାସଗୃହ ଓ କାର୍ଯ୍ୟକ୍ଷେତ୍ରକୁ ମଧ୍ୟ ସୁରକ୍ଷା ଦେବ।”

Spread the love