ଭୁବନେଶ୍ୱର ଷ୍ଟେସନରେ ଦେଖିବାକୁ ମିଳିବ ଜର୍ମାନୀ ଓ ଜାପାନର ଝଲକ

 ଭୁବନେଶ୍ୱର ଷ୍ଟେସନ ହେବ ବିଶ୍ୱସ୍ତରୀୟ। ଏଠାରେ ଜର୍ମାନୀ ଓ ଜାପାନ ଭଳି ଝଲକ ଦେଖିବାକୁ ମିଳିବ। ଏନେଇ ଟେଣ୍ଡର ହୋଇଛି, ଖୁବଶୀଘ୍ର କାମ ଆରମ୍ଭ ହେବ। ଏହି ପ୍ରକଳ୍ପ ଲାଗି ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୩୦୮ କୋଟି ଟଙ୍କା। ଭୁବନେଶ୍ୱର ରେଲୱେ ଷ୍ଟେସନର ନବକଳେବର ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅବସରରେ ଏହା କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେ ଆହୁରି କହିଛନ୍ତି, ଭୁବନେଶ୍ୱର ରେଳ ଷ୍ଟେସନ୍‌ର ମାଷ୍ଟରକ୍ୟାଣ୍ଟିନ୍ ଓ ୬ ନମ୍ବର ଗେଟ୍‌କୁ ଅଧିକ ସୁଗମ ସହ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ କରାଯିବ। ପ୍ରତିଦିନ ଦେଢ଼ ଲକ୍ଷ ଯାତ୍ରୀଙ୍କ ଯା’ଆସ ପାଇଁ ବ୍ୟବସ୍ଥା ହେବ। ମାଷ୍ଟରକ୍ୟାଣ୍ଟିନ୍ ପଟ ମୁଖ୍ୟ ପ୍ରବେଶ ପଥରେ ୬ ମହଲା ଓ ୪ ମହଲା ଦୁଇଟି କୋଠା ହେବ। ଫୁଟ୍ ଓଭରବ୍ରିଜ୍, Escalator, ଲମ୍ବା ଚଉଡ଼ା ପ୍ଲାଟଫର୍ମ ସମେତ ଯେପରି ବିମାନବନ୍ଦରରେ ସୁବିଧା ଥାଏ ସେ ସବୁ ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ କରାଯିବ। ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ରେଳର ବିକାଶ ପାଇଁ ଆଦୌ ରାଜନୀତି ନ ହେଉ। ରାଜନୀତିରୁ ଉର୍ଦ୍ଧ୍ୱ ରହି ବିକାଶ ପ୍ରତି ଧ୍ୟାନ ଦିଆଯାଉ। ଅର୍ଥ, ଜମି, ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ ହୋଇପାରିବ। କଂଗ୍ରେସ କାଳରେ ବର୍ଷକୁ ୨୦ରୁ ୩୦ କିମି ନୂଆ ଲାଇନ ହେଉଥିଲା। ବର୍ତ୍ତମାନ ବର୍ଷକୁ ୩ ଶହ କିମି ପର୍ଯ୍ୟନ୍ତ ନୂଆ ଲାଇନ ନିର୍ମାଣ ହେଉଛି। ହେଲେ ଜମି ନ ଦେଲେ ନୂଆ ଲାଇନ କିପରି ନିର୍ମାଣ ହେବ? ପୂର୍ବରୁ ଓଡ଼ିଶାକୁ ରେଲୱେ ପାଇଁ ୮ ଶହ କୋଟି ମିଳୁଥିଲା, ଏବେ ୧୦ ହଜାର କୋଟି ମିଳୁଛି। ଓଡ଼ିଶାରେ ୩୬ଟି ଷ୍ଟେସନର ନବୀକରଣ ପାଇଁ ମୋଦି ମଞ୍ଜୁର କରିଛନ୍ତି। ଖୁବ ଶୀଘ୍ର ଭଦ୍ରକକୁ ଏକ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯିବ। ଓଡ଼ିଶାରେ ଜଗନ୍ନାଥ ସର୍କିଟ ଟ୍ରେନ୍ ଚାଲିବ। ମୋଦିଙ୍କ ଫୋକସରେ ଓଡ଼ିଶା ଅଛି। ଓଡ଼ିଶାରେ ଯାହା ଦରକାର ତାହା କର ବୋଲି ପ୍ରଧାନମନ୍ତ୍ରୀ ଅର୍ଥ ଦେଇଛନ୍ତି।

ଭୁବନେଶ୍ୱର ଷ୍ଟେସନ ଭୂମିପୂଜନ ଉତ୍ସବରେ ଯୋଗଦେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ବହୁ ଦିନର ସ୍ୱପ୍ନ ସାକାର ହେବାକୁ ଯାଉଛି। ଏହାକୁ  ସ୍ପପ୍ନ ପୂର୍ତ୍ତି ଦିବସ କହିବା। ଅଶ୍ୱିନୀ ବୈଷ୍ଣବ ରେଳ ମନ୍ତ୍ରୀ ହେବାର ଦୁଇ ଦିନ ପରେ ସାକ୍ଷାତ କରି ଭୁବନେଶ୍ୱର ଷ୍ଟେସନର ନବକଳେବର ପାଇଁ ଦାବି କରିଥିଲି। ୨୦୨୨-୨୩ରେ ମଞ୍ଜୁରୀ ପରେ ଟେଣ୍ଡର ସରି ୱାର୍କର ଅର୍ଡର ମିଳି ସାରିଛି। କାମ କିପରି କ୍ଷୀପ୍ର ଗତିରେ ହୁଏ ଏହା ତାହାର ପ୍ରମାଣ। ଜଗନ୍ନାଥଙ୍କ ରଥକୁ ଏକା କେହି ଟାଣନ୍ତି ନାହିଁ। ସମସ୍ତେ ମିଶିକି ଟାଣନ୍ତି ବୋଲି ଅପରାଜିତା କହିଛନ୍ତି।

ସେହିପରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ମୋଦି ସରକାର ଲାଇଟେନିଂ ସ୍ପିଡରେ କାମ କରୁଛନ୍ତି। ଭଦ୍ରକକୁ ଏକ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଉ ବୋଲି ଧାମନଗର ବିଧାୟକ ସୁରଜ ସୂର୍ଯ୍ୟ ବଂଶୀ ଦାବି କରିଥିଲେ। ସେ ପ୍ରସ୍ତାବ ଦେବାର ଦେଢ଼ ଘଣ୍ଟା ପରେ ଦାବି ପୂରଣ ହୋଇଛି।

ସେ ଆହୁରି କହିଛନ୍ତି, ଆଗରୁ ଆମ ଖଣି ଖାଦାନରୁ ଦିଲ୍ଲୀ ପୁଞ୍ଜିପତିଙ୍କ ପକେଟ ଭରୁଥିଲା। ଏବେ ଖଣି ନିଲାମ ଟଙ୍କା ରାଜଧାନୀରେ ରହୁଛି। ମାତ୍ର ଏହି ଟଙ୍କା ଆଦିବାସୀ ଓ ଦଳିତଙ୍କ ପାଖକୁ ଯାଉଛି ନା ନାହିଁ ଜଣାନାହିଁ। DMFରେ ବର୍ଷକୁ ୧୫ ହଜାର କୋଟି ମିଳୁଛି। ମୋଦିଙ୍କ ପୂର୍ବରୁ ଶୂନ ଥିଲା। ଶୁଭାରମ୍ଭ ହେବାକୁ ଥିବା ସମ୍ବଲପୁର-ହାୱାଡା ଟ୍ରେନକୁ ମହିମା ଗୋସାଇଁ ନାଁରେ କରିବାକୁ ସେ ନିଜ ଅଭିଭାଷଣରେ ଦାବି କରିବା ସହ ଭୁବନେଶ୍ୱରକୁ ସିଲଭର ସିଟି କରିବାକୁ ଲକ୍ଷ୍ୟ ରହିଛି ବୋଲି ଧର୍ମେନ୍ଦ୍ର  କହିଛନ୍ତି।

ଭୁବନେଶ୍ୱର ରେଲୱେ ଷ୍ଟେସନର ନବକଳେବର ପାଇଁ ଭୂମି ପୂଜନ ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୂମି ପୂଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂସଦୀୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ସାଂସଦ ପ୍ରତାପ ଷଡ଼ଙ୍ଗୀ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ସୁର ରାଉତରାୟ ଓ ବିଧାୟକ ଅନନ୍ତ ନାରାୟଣ ଜେନା ଉପସ୍ଥିତ ଥିଲେ।

Spread the love