୩୧ ବର୍ଷରେ ୟୁନିଟ୍ -୩ ଗଜଲକ୍ଷ୍ମୀ ପୂଜା; ରକ୍ତଦାନ ମାଧ୍ୟମରେ ସଚେତନତା

ଭୁବନେଶ୍ୱର: ଦୀର୍ଘ ତିନି ଦଶନ୍ଧି ଧରି ଭୁବନେଶ୍ୱର ୟୁନିଟ୍ -୩ ଠାରେ ଅନୁଷ୍ଠିତ ହୋଇଆସୁଥିବା ଗଜଲକ୍ଷ୍ମୀ ପୂଜାର ଏହା ହେଉଛି ୩୧ତମ ପୂଜା ଉତ୍ସବ । ଏଣୁ ଏହାକୁ ସହରର ଅନ୍ୟ ସମସ୍ତ ପୂଜା ଠାରୁ ନିଆରା ଢଙ୍ଗରେ ପାଳନ କରିବା ନିମନ୍ତେ ସଭିଁଏ ତତ୍ପର ହୋଇଉଠିଛନ୍ତି ଏବଂ ଗଜଲକ୍ଷ୍ମୀ ସାଂସ୍କୃତିକ ସଂଘ ଓ ଜୟ ଓଡିଶାର ମିଳିତ ଆନୁକୂଲ୍ୟରେ ଭିନ୍ନ ଭିନ୍ନ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଦେଖାହାରୀଙ୍କୁ ବାନ୍ଧି ରଖିଛନ୍ତି ।ସାରା ଓଡିଶାରେ ପ୍ରଥମ ଥର ପାଇଁ ମା’ ଙ୍କର ସମସ୍ତ ପୂଜାବିଧିକୁ ଅନୁସରଣ କରିବା ସହ ପୂଜା ମଣ୍ଡପରେ ମା’ଙ୍କ ପୂଜା ସଙ୍ଗେ ସଙ୍ଗେ ଏକ ରକ୍ତଦାନ ଶିବିର ଆୟୋଜନ ସମାଜକୁ ଏକ ସଚେତନତାର ବାର୍ତା ଦେବାରେ ସହାୟକ ହେଉଛି । ଗତ ୧୭,୧୯ ଓ ୨୧ ତିନିଦିନ ଧରି ବହୁ ସଂଖ୍ୟକ ବ୍ୟକ୍ତି ପହଂଚି ରକ୍ତଦାନ କରିଥିଲେ । ଏହିବର୍ଷ ପୂଜାର ବିଷୟବସ୍ତୁ – “ମହିଳା ସୁରକ୍ଷା ଓ ସଶକ୍ତିକରଣ” ରହିଥିବା ବେଳେ ଏହାକୁ ଆଧାର କରି ଏକ ସୁନ୍ଦର ମୁରୁଜ ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା । ଏହା ସହିତ ମାଙ୍କ ଦର୍ଶନ ନିମନ୍ତେ ଆସୁଥିବା ପ୍ରତ୍ୟେକ ମହିଳା ନିଜ ନିଜ ଘରର ଲକ୍ଷ୍ମୀ ହୋଇଥିବାରୁ ତାଙ୍କୁ ମଧ୍ୟ ପୂଜା କରାଯାଉଛି ।


ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମର ଅଂଶ କରିବା ହେଉଛି ଜୟ ଓଡିଶାର ପ୍ରତିଷ୍ଠାତା ତଥା ଗଜଲକ୍ଷ୍ମୀ ସାଂସ୍କୃତିକ ସଂଘର ମୁଖ୍ୟ ଉପଦେଷ୍ଟା ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କ ଉଦ୍ଦେଶ୍ୟ । ପୂଜାର ପ୍ରତି ସନ୍ଧ୍ୟାରେ ବିଭିନ୍ନ ନିଆରା କାର୍ଯ୍ୟକ୍ରମ ହେଉଛି ଯେମିତିକି ଗୋଟିଏ ଦିନ ସାଂସ୍କୃତିକ ସନ୍ଧ୍ୟାରେ ବିଭିନ୍ନ ମହିଳା ସଂଗଠନ ଦ୍ୱାରା ସଂକର୍ତୀନ, ସଂଗୀତ କାର୍ଯ୍ୟକ୍ରମ ଦର୍ଶକ ମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବ ଜାଗରଣ କରିଥିଲା ।
ସେହିଦିନ ମହିଳାମାନଙ୍କ ସୁରକ୍ଷା ନିମନ୍ତେ ଐଋଜ ଟିମ୍ ଦ୍ୱାରା ଏକ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ପ୍ରତିଦିନ ୫ ଜଣ ମହିଳାଙ୍କୁ “ଶକ୍ତି ସମ୍ମାନ”ରେ ସମ୍ମାନିତ କରାଯାଉଛି । କାର୍ଯ୍ୟକ୍ରମର ଅନ୍ୟ ଏମକ ସନ୍ଧ୍ୟା ବିଶେଷ ଭାବେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ସେହିଦିନ ବରିଷ୍ଠ ନାଗରିକ ମାନଙ୍କୁ ସଚେତନ କରିବା ନିମନ୍ତେ କମିଶନରେଟ୍ ପୋଲିସ୍ ଦ୍ୱାରା ଏକ “ସାଇବର କ୍ରାଇମ୍ ଟକ୍‌” ଆୟୋଜନ କରାଯାଇଥିଲା ଓ ଏଥିରେ ଲାଫଟର ବ୍ୟାୟାମ ମଧ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ତେଣୁ ପ୍ରତ୍ୟେକ ସନ୍ଧ୍ୟାରେ ୬ଟାରୁ ୧୦ଟା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ମନୋରଞ୍ଜନ ମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ପୂଜାର ଅଂଶ ହୋଇ ମାଙ୍କ ଆର୍ଶୀବାଦ ନେବାକୁ ଅନୁରୋଧ ।

Spread the love