ୟୁନିଟ୍‌-୯ ବାଳିକା ହାଇସ୍କୁଲରେ ପଡ଼ିବ ତାଲା

ଭୁବନେଶ୍ବର: ବନ୍ଦ ହେବାକୁ ଯାଉଛି ରାଜଧାନୀର ଆଉ ଏକ ପୁରାତନ ଉଚ୍ଚ ବିଦ୍ୟାଳୟ। ୧୯୬୭ ମସିହାରେ ସହରର ଛାତି ଉପରେ ଗଢ଼ିଉଠିଥିବା ୟୁନିଟ୍‌-୯ ବାଳିକା ଉଚ୍ଚ ବିଦ୍ୟାଳୟରେ ସବୁଦିନ ଲାଗି ତାଲା ପକାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ୫୭ ବର୍ଷ ଧରି ନାରୀଶିକ୍ଷାର ପ୍ରାଣକେନ୍ଦ୍ର ପାଲଟିଥିବା ଏହି ହାଇସ୍କୁଲ୍‌କୁ ୟୁନିଟ୍‌-୯ ବାଳକ ହାଇସ୍କୁଲ୍‌ ସହ ମିଶ୍ରଣ କରାଯିବ। ଏନେଇ ପ୍ରକ୍ରିୟା ଆରମ୍ଭ ହେବା ପରେ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟକୁ ଜମି ଦେବାକୁ ଯାଇ ଏହି ଶିକ୍ଷାନୁଷ୍ଠାନର ସତ୍ତା ହଜାଇଦେବାକୁ ଚକ୍ରାନ୍ତ ହେଉଥିବା ଅଭିଯୋଗ କରି ଅଭିଭାବକମାନେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଦ୍ବାରସ୍ଥ ହୋଇଛନ୍ତି। ଅଭିଭାବକଙ୍କ ସୂଚନାନୁଯାୟୀ ପାଖାପାଖି ୪୦୦ ଛାତ୍ରୀଙ୍କ ସ୍ବାର୍ଥକୁ ଗୁରୁତ୍ବ ଦେଇ ପଦକ୍ଷେପ ନେବାକୁ ମନ୍ତ୍ରୀ ଶ୍ରୀ ଦାଶ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଭିତ୍ତି କରି ସ୍କୁଲ ମିଶ୍ରଣ ପ୍ରକ୍ରିୟା ଉପରେ ପୁନର୍ବିଚାର କରିବାକୁ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କୁହାଯାଇଛି।

ସୂଚନା ଅନୁଯାୟୀ ଏହି ସ୍କୁଲ ମିଶ୍ରଣ ବାବଦରେ ଫେବ୍ରୁଆରି ୧୬ ତାରିଖରେ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ଖବର ଜଣାପଡ଼ିବା ପରେ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରି ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶଙ୍କୁ ଦାବିପତ୍ର ଦେଇଥିଲେ। ସେମାନେ ଦର୍ଶାଇଛନ୍ତି ଯେ ଏହି ବିଦ୍ୟାଳୟରେ ଏବେ ୪୦୦ରୁ ଅଧିକ ଛାତ୍ରୀ ପଢ଼ୁଛନ୍ତି। ୨୩ ଜଣ କର୍ମଚାରୀ ଏଠାରେ କାର୍ଯ୍ୟରତ ଅଛନ୍ତି। ଶୈକ୍ଷିକ ସହ ସାମାଜିକ, ଗୋଷ୍ଠୀଗତ କାର୍ଯ୍ୟ କ୍ଷେତ୍ରରେ ଏହି ବିଦ୍ୟାଳୟ ସବୁବେଳେ ଉତ୍କର୍ଷତା ପ୍ରମାଣ କରିଆସିଛି। ପ୍ରତିବର୍ଷ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷାରେ ୯୦%ରୁ ଅଧିକ ସଫଳତା ହାସଲ କରି ଏହି ବିଦ୍ୟାଳୟ ବିଏମ୍‌ସିର ଅନ୍ୟ ବିଦ୍ୟାଳୟଗୁଡ଼ିକ ପାଇଁ ଏକ ଦୃଷ୍ଟାନ୍ତ ସୃଷ୍ଟି କରିଆସୁଛି।

ସବୁଜିମା ଭରା ପରିବେଶରେ ଥିବା ଏହି ବିଦ୍ୟାଳୟରେ ଉଚ୍ଚମାନର ଶିକ୍ଷାଦାନ ସହ ଏନ୍‌ସିସି, ରେଡକ୍ରସ୍‌, ଇକୋ କ୍ଲବ୍‌, ଲିଟେରାସି କ୍ଲବ୍‌, ବ୍ୟାଣ୍ଡ ଦଳ ରହିଛି। ଏଠାକାର ଛାତ୍ରୀମାନେ ବ୍ଲକ, ଜିଲ୍ଲା, ରାଜ୍ୟ ଓ ଜାତୀୟସ୍ତରର ପ୍ରତିଯୋଗିତାରେ ସଫଳତା ହାସଲ କରୁଛନ୍ତି। ବିଶେଷକରି ସହରର ବସ୍ତି ଅଞ୍ଚଳ ତଥା ଆର୍ଥିକ ଅନଗ୍ରସର ଅଭିଭାବକମାନେ ନିଜ ଝିଅମାନଙ୍କୁ ଏଠାରେ ନାମ ଲେଖାଉଛନ୍ତି। ବାରଙ୍ଗ, ହଂସପାଳ, ଚନ୍ଦ୍ରଶେଖରପୁର, ଶୈଳଶ୍ରୀବିହାର, ପଟିଆ, ଡମଣା, ପଳାସୁଣୀ, ରସୁଲଗଡ଼, ଜିଜିପି କଲୋନି, ୟୁନିଟ୍‌-୮, ସତ୍ୟନଗର, ବେଣୁପୁର, ଟଙ୍କପାଣି ରୋଡ ଅଞ୍ଚଳର ଛାତ୍ରୀମାନେ ଏଠାରେ ଶିକ୍ଷା ଗ୍ରହଣ କରୁଛନ୍ତି। ୬୦ ବର୍ଷର ଏହି ପୁରାତନ ବାଳିକା ବିଦ୍ୟାଳୟ ସରକାରଙ୍କ ଅନୁକମ୍ପା ଲାଭ କରିବା ପରିବର୍ତ୍ତେ ସବୁଦିନ ପାଇଁ ବନ୍ଦ ହେବାକୁ ବସିଛି। ଏହାର ସତ୍ତା ଅନ୍ୟ ବିଦ୍ୟାଳୟରେ ମିଶିଯିବାକୁ ଯାଉଛି। ଫଳରେ ବିଦ୍ୟାଳୟର ଇତିହାସ, ସ୍ମୃତି, କୀର୍ତ୍ତିଗାଥା ଆଗାମୀ ଦିନରେ ହଜିଯିବ।

ବଡ଼ କଥା ହେଉଛି ହାଇସ୍କୁଲର ଗୌରବ ଓ ପ୍ରଗତିଶୀଳ ଆଭିମୁଖ୍ୟ ପାଇଁ ଏହା ପ୍ରଥମ ପର୍ଯ୍ୟାୟ ୫-ଟି ରୂପାନ୍ତରଣ ପ୍ରକ୍ରିୟାରେ ସାମିଲ ହୋଇଛି। ସୂଚନା ଓ ପ୍ରଯୁକ୍ତି ବିଦ୍ୟା କୌଶଳ ଆପଣାଇବା ସହ ସ୍ବଚ୍ଛ ପରିମଳ ସମ୍ପନ୍ନ ସ୍ମାର୍ଟ ସ୍କୁଲରେ ପରିଣତ ହୋଇସାରିଛି। ମାତ୍ର ଏବେ କେତେଜଣ କୁଚକ୍ରିଙ୍କ ଲାଗି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ପରିବର୍ଦ୍ଧନ ପାଇଁ ଏହି ବାଳିକା ବିଦ୍ୟାଳୟର ସତ୍ତାକୁ ବିଲୀନ କରିବାକୁ ଉଦ୍ୟମ କରାଯାଉଛି। ନିଷ୍ପତ୍ତିର ପୁନର୍ବିଚାର କରିବା ସହ ବିଦ୍ୟାଳୟକୁ ବଞ୍ଚାଇ ରଖିବାକୁ ଅଭିଭାବକମାନେ ଦାବି କରିଛନ୍ତି। ନହେଲେ ବିଦ୍ୟାଳୟଠାରୁ ବିଧାନସଭା ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

Spread the love