ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟ ପିଲା ଦେଲେ ରିପୋର୍ଟ: ମଦ ପିଇ ଆସୁଛନ୍ତି ପ୍ରଫେସର

ଭୁବନେଶ୍ବର: ମଦ୍ୟପାନ କରି ପ୍ରଫେସର ବିଶ୍ବବିଦ୍ୟାଳୟ ଆସୁଛନ୍ତି। ଏ କଥା ଆମେ କହୁନୁ। ବରଂ ସମ୍ବଲପୁର ସମେତ କଳାହାଣ୍ଡି ବିଶ୍ବବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ, ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ, ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ ଏଭଳି ହୃଦ୍‌ବୋଧ କରିବା ସହ ଉଚ୍ଚଶିକ୍ଷା ବିଭାଗକୁ ଅବଗତ କରାଇଛନ୍ତି। ଶିକ୍ଷାନୁଷ୍ଠାନ କେଉଁ ପ୍ରଫେସର ମଦ୍ୟପାନ କରି ଆସୁଛନ୍ତି ସେମାନଙ୍କ ନାଁ ମଧ୍ୟ ସ୍ପଷ୍ଟ କରିଛନ୍ତି। କେବଳ ସେତିକି ନୁହେଁ, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ, ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ, ଗଙ୍ଗାଧର ମେ‌ହେର ବିଶ୍ବବିଦ୍ୟାଳୟ, ଉତ୍କଳ ବିଶ୍ବବିଦ୍ୟାଳୟ, ରେଭେନ୍ସା ବିଶ୍ବବିଦ୍ୟାଳୟ, କଳାହାଣ୍ଡି ବିଶ୍ବବିଦ୍ୟାଳୟ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ(ଏମ୍‌ଏସ୍‌ସିବି) ବିଶ୍ବବିଦ୍ୟାଳୟ, ସମ୍ବଲପୁର ବିଶ୍ବବିଦ୍ୟାଳୟ, ୟୁନିଭରସିଟି ଲ’ କଲେଜରେ ଅଧ୍ୟାପକ, ପ୍ରଫେସରମାନେ ଶିକ୍ଷାନୁଷ୍ଠାନରେ ୭ ଘଣ୍ଟା ବିତାଉ ନ ଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। କେତେଜଣ ଛାତ୍ରଛାତ୍ରୀ ସମସ୍ତ ଅଧ୍ୟାପକ କାମରେ ଠକୁଥିବା ଦର୍ଶାଇଥିବା ବେଳେ ଆଉ କିଛି ଜଣ ପ୍ରଫେସରଙ୍କ ନାମ ଉଲ୍ଲେଖ କରି ଉଚ୍ଚଶିକ୍ଷା ବିଭାଗକୁ ଜଣାଇଛନ୍ତି। ବିଭାଗର କ୍ଲାଉଡ୍‌-ବେସ୍‌ଡ ଷ୍ଟୁଡେଣ୍ଟ ଫିଡ୍‌ବ୍ୟାକ୍‌ ଫର୍ମରେ ଏଭଳି ଅଭିଯୋଗ ଆସିବା ପରେ ୮ଟି ବିଶ୍ବବିଦ୍ୟାଳୟର ପିଜି କାଉନସିଲ୍‌ ଅଧ୍ୟକ୍ଷଙ୍କଠାରୁ ରିପୋର୍ଟ ମଗାଯାଇଛି। ୧୦ ଦିନ ମଧ୍ୟରେ ଅଭିଯୋଗ ଉପରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରିବାକୁ ଉଚ୍ଚଶିକ୍ଷା ବିଭାଗ କହିଛି।

ସରକାରୀ, ସ୍ବୟଂଶାସିତ, ବେସରକାରୀ ଓ ଘରୋଇ କଲେଜ ଅଧ୍ୟାପକମାନେ ମଧ୍ୟ ମଦ୍ୟପାନ କରି କ୍ୟାମ୍ପସକୁ ଆସୁଥିବା ଛାତ୍ରଛାତ୍ରୀ ହୃଦ୍‌ବୋଧ କରିବା ସହ ଜଣାଇଛନ୍ତି। ୧୦ଜଣଙ୍କ ନାଁରେ ଅଭିଯୋଗ ଆସିବା ପରେ ସମ୍ପୃକ୍ତ କଲେଜ ଅଧ୍ୟକ୍ଷଙ୍କଠାରୁ ରିପୋର୍ଟ ତଲବ କରାଯାଇଛି। ଭୁବନେଶ୍ବରସ୍ଥିତ ବିଜେବି କଲେଜ ସମେତ ମହର୍ଷି କଲେଜ ଅଫ୍‌ ନାଚୁରାଲ ଲ’, ବେସିକ୍‌ ସାଇନ୍ସ କଲେଜ, ପୁରୀସ୍ଥିତ ଏସ୍‌ସିଏସ୍‌ ସ୍ବୟଂଶାସିତ କଲେଜ, ମଡେଲ୍‌ ଡିଗ୍ରି କଲେଜ ‌ସୋନପୁର, ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ଭିଏସ୍‌ଏସ୍‌ୟୁଟି, ଏମ୍‌ଏସ୍‌ସିବି ବିଶ୍ବବିଦ୍ୟାଳୟ, ବାଙ୍କି ସ୍ବୟଂଶାସିତ ମହାବିଦ୍ୟାଳୟ ପରି ରାଜ୍ୟର ନାମକରା ଶିକ୍ଷାନୁଷ୍ଠାନର ଅଧ୍ୟାପକମାନେ ୭ ଘଣ୍ଟା କ୍ୟାମ୍ପସରେ ବିତାଉ ନାହାନ୍ତି।

ଏହାବ୍ୟତୀତ କେଉଁ ଶିକ୍ଷାନୁଷ୍ଠାନର କ’ଣ ସବୁ ଭିତ୍ତିଭୂମି ଦୁର୍ବଳ ରହିଛି ସେନେଇ ବି ଛାତ୍ରଛାତ୍ରୀ ମତ ରଖିଛନ୍ତି। ବିଜେବି କଲେଜଠାରୁ ଆରମ୍ଭ କରି ଭିଏସ୍‌ଏସ୍‌ୟୁଟି କ୍ୟାମ୍ପସର ଦୁର୍ବଳ ଭିତ୍ତିଭୂମି ସମ୍ପର୍କରେ ପିଲାମାନେ ମତ ରଖିଛନ୍ତି। ପାଠାଗାର ଅଭାବ, କ୍ରୀଡ଼ା ଭିତ୍ତିଭୂମି ଦୁର୍ବଳ, ଲାବରେଟୋରି, ସମ୍ମିଳନୀ କକ୍ଷ, ସାଇନ୍ସ ବ୍ଲକ, ଶୌଚାଳୟ, ଜିମ୍‌, କମନ୍‌ ରୁମ୍‌ ପରି ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଦେବାକୁ ପିଲାମାନେ ମତ ଦେଇଛନ୍ତି। ଭିତ୍ତିଭୂମିର ବିକାଶ ଆବଶ୍ୟକ ଥିବା ନେଇ ସେମାନେ ଦର୍ଶାଇବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ବର, ବାଲେଶ୍ବର, ସମ୍ବଲପୁର, ବ୍ରହ୍ମପୁର ଓ ଜୟପୁରସ୍ଥିତ ଆଞ୍ଚଳିକ ନିର୍ଦ୍ଦେଶକଙ୍କଠାରୁ ରିପୋର୍ଟ ମଗାଯାଇଛି। ୧୪ ଦିନ ମଧ୍ୟରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନକୁ ପରିଦର୍ଶନରେ ଯିବା ସହ ଭିତ୍ତିଭୂମି ସମ୍ପର୍କିତ ପୂର୍ଣ୍ଣାଙ୍ଗ ରିପୋର୍ଟ ଦେବାକୁ କୁହାଯାଇଛି। ଯିବା ପୂର୍ବରୁ ବିଭାଗକୁ ଅବଗତ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

Spread the love