ଅନଲକ୍-୩ରେ କ’ଣ ରହିପାରେ ଖାସ୍?

ଜୁଲାଇ ୩୧ରେ ଶେଷ ହେବାକୁ ଯାଉଛି ଅନଲକ୍-୨। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାଂଘାତିକ ଭାବରେ ବଢ଼ୁଥିବାରୁ ସମସ୍ତ କଟକଣା କୋହଳ ନକରି କେନ୍ଦ୍ର ସରକାର ଏବେ ତୃତୀୟ ପର୍ଯ୍ୟାୟ ଅନଲକ କଥା ବିଚାର କରୁଛନ୍ତି। ଅଗଷ୍ଟରୁ ଅନଲକ୍-୩ ଆରମ୍ଭ ହେବ। ଏଥିପାଇଁ ଏସଓପି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ସମୟରେ ସରକାର ଅନଲକ୍-୨ ନିୟମ ତୁଳନାରେ ଆଉ କିଛି ନିୟମ ବା ବ୍ୟବସାୟିକ ସଂସ୍ଥାକୁ ଖୋଲିବାକୁ ଅନୁମତି ଦେଇ ପାରନ୍ତି।

କରୋନା ପାଇଁ ଦେଶ ମାର୍ଚ୍ଚ ଅନ୍ତିମ ସପ୍ତାହର ଅଧାରୁ ଲକଡାଉନ୍ ରହିଛି। ତେଣୁ ଦୀର୍ଘ ୪ ମାସ ହେବ ବନ୍ଦ ହୋଇ ପଡ଼ିଥିବା ସିନେମା ହଲ୍, ଜିମ୍ ଆଦି ଖୋଲିବା ଉପରେ ସରକାର ବିଚାର କରୁଛନ୍ତି। ହେଲେ ଏହି ସମୟରେ ସାମିଜକ ଦୂରତା କଟକଣା ଲାଗୁ ରହିବ ବୋଲି ଜଣାପଡ଼ିଛି।

ନିକଟରେ କେନ୍ଦ୍ର ସୂଚନା ଓ ଲୋକ ସମ୍ପର୍କ ବିଭାଗ ସିନେମା ହଲ୍ ଖୋଲିବା ପାଇଁ ଗୃହ ମନ୍ତ୍ରାଳୟକୁ ପ୍ରସ୍ତାବ ଦେଇଥିଲା। ତେଣୁ ସରକାର ସିନେମା ହଲ୍ ଖୋଲିବା ଉପରେ ବିଚାର କରି ପାରନ୍ତି। କାରଣ ସିନେମା ହଲ ବନ୍ଦ ରହିଥିବାରୁ ହଲ୍ ମାଲିକ ମାନେ ଏବେ ଏ ନେଇ ଅସନ୍ତୋଷ ପ୍ରକାଶ କରିବା ସହିତ ଅନେକ ବ୍ୟବସାୟିକ କ୍ଷତିର ସାମ୍ନା କରୁଛନ୍ତି। ଏମିତିକି ହଲ୍ ଖୋଲିବା ବେଳେ ସେମାନେ ସରକାରଙ୍କ ନିୟମକୁ କଡ଼ାକଡ଼ି କରିବାକୁ ରାଜି ହୋଇଥିବା ସୂଚନା ରହିଛି।

ସେହିପରି ଜିମ୍ ଖୋଲିବା ନେଇ କେନ୍ଦ୍ର ସରକାର ମଧ୍ୟ ବିଚାର କରୁଛନ୍ତି। ସିନେମା ଏବଂ ଜିମ୍ ଖୋଲିବାର ନିୟମରେ ପାଖାପାଖି ସମାନତା ରହିବ ବୋଲି ଆକଳନ କରାଯାଉଛି। ସପିଂ ମଲ୍ ଖୋଲିବା ନେଇ ସ୍ଥାନୀୟ ପ୍ରଶାସନର ଅନୁମତି ଆବଶ୍ୟକ ରହିଛି। ତେଣୁ ଏବେ ସିନେମା ଏବଂ ଜିମ୍ ଖୋଲିବା ପାଇଁ ସ୍ଥାନୀୟ ପ୍ରଶାସନର ଅନୁମତି ନେବାକୁ ପଡ଼ିପାରେ ବୋଲି ଆକଳନ କରାଯାଉଛି।

ଯଦିଓ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହିତ ଅର୍ଥନୀତିକ ସ୍ଥିତି ମଧ୍ୟ ଖରାପ ଆଡ଼କୁ ଗତି କରୁଛି। ତେଣୁ ଆଉ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ଆଦି ଉପରେ ସରକାର କଟକଣା ଲଗାଇବେ ନାହିଁ ବୋଲି ଜଣାପଡ଼ିଛି।

Spread the love