ମାଲ ବୋଝେଇ ପିକ୍‌ଅପ୍‌, ଅଟୋରେ ବୁହା ହୋଉଛନ୍ତି ଦିନ ମଜୁରିଆ ଶ୍ରମିକ

ବେତନଟୀ ସଦର: ପରିବହନ ବିଭାଗ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଲୋକମାନଙ୍କୁ ସୁରକ୍ଷିତ ଯାତ୍ରା ବାବଦ‌ରେ ସଚେତନ କରାଯାଉଛି। ହେଲେ ମୟୁରଭଞ୍ଜ ଜିଲ୍ଲା ବେତନଟୀ ଅଞ୍ଚଳରୁ ଆସିଥିବା ଏକାଧିକ ଚିତ୍ର ଦେଖିଲେ ଉକ୍ତ କାର୍ଯ୍ୟକ୍ରମ ଯେ ଭାଷଣ ଓ ରାଲି ଭିତରେ ସୀମିତ ରହିଯାଇଛି, ତାହା ଜଳ ଜଳ ହୋଇ ଦିଶୁଛି । ବର୍ତ୍ତମାନ ଚାଲିଥିବା ଖରିପ ଚାଷ କାର୍ଯ୍ୟ ପାଇଁ ବେତନଟୀ-ବୈଶିଙ୍ଗା ରାସ୍ତାରେ ଯାଉଥିବା ଏକାଧିକ ପିକଅପ ଭ୍ୟାନ ଓ ଅଟୋ ଡାଲାରେ ମାତ୍ରାଧିକ ଦିନ ମଜୁରିଆ ଶ୍ରମିକ ମାନଙ୍କୁ ନେଇ ଯାତ୍ରା କରୁଛନ୍ତି। ଏମିତିକି ସମୟ ସମୟରେ ମାଛ ଶୁଖୁଆ ଭଳି ୫୦ ଜଣରୁ ଅଧିକ ଶ୍ରମିକ ବିପଦସଂକୁଳ ଅବସ୍ଥାରେ ବସି ଯାଉଛନ୍ତି। ତେବେ ଏପରି ସମୟରେ ବିଭାଗ ପକ୍ଷରୁ ଯାଞ୍ଚ ହେବା ସହ ସଂପୃକ୍ତ ଗାଡି ଡ୍ରାଇଭର ଓ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି। ଏହି ନିକଟ ଅତୀତରେ ବିଭିନ୍ନ ସମୟରେ ପିକ୍‌ଅପ୍‌ ଭ୍ୟାନ୍‌ ଓ ଅଟୋ ଡାଲାରେ ଏହିପରି ମାତ୍ରାଧିକ ଶ୍ରମିକ ଓ ଅସୁରକ୍ଷିତ ଅବସ୍ଥାରେ ଯାତ୍ରା କାରଣରୁ ଗାଡି ଗୁଡିକ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇ ବହୁ ଧନଜୀବନ ନଷ୍ଟ ହେବାର ନଜିର ରହିଛି।

Spread the love