UP ପରେ MP ଏବେ ବିହାରରେ ଆରମ୍ଭ ହେଲା ବୁଲଡୋଜରର ଯୁଗ!

ପାଟନା ୨୫।୩:  ଉତ୍ତରପ୍ରଦେଶ ଭଳି ଏବେ ବିହାରରେ ବି ବୁଲଡୋଜର ଚାଲିବା ଆରମ୍ଭ ହୋଇଛି। ଏ ବାବଦେ ବିହାର ରାଜସ୍ୱ ଓ ଭୂ-ସଂସ୍କାର ମନ୍ତ୍ରୀ ତଥା ବିଜେପି ନେତା ରାମ ସୂରତ ରାୟ ଏକ ବୟାନ ବି ଦେଇଛନ୍ତି। ସେ କହିଛନ୍ତି ଯେ ବିହାର ଦରଭଙ୍ଗା ଜିଲ୍ଲାରେ ଗରିବ ଲୋକଙ୍କ ନାମରେ ପର୍ଚ୍ଚା ଥିବା ଜମିରୁ ଅବୈଧ ଅତିକ୍ରମଣକୁ ବୁଲଡୋଜର ଲଗାଇ ଭାଙ୍ଗି ଦିଆଯାଇଛି। ତେବେ ଏପ୍ରିଲ ପହିଲା ଏପରି କାମ ଆହୁରି ତୀବ୍ର ହେବ ବୋଲି ମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ ଯିଏ ଯେଉଁଠି ବି ସରକାରୀ ଜମି ଜବରଦଖଲ କରିବ ସେଠାରେ ବୁଲଡୋଜର ନିଶ୍ଚିତ ଚାଲିବ । ଦରଭଙ୍ଗା ଜିଲ୍ଲାରେ ବେଆଇନ ଜବରଦଖଲକାରୀଙ୍କୁ ହଟିଯିବାକୁ କୁହାଯାଇଥିଲା। ତେବେ ସେମାନେ ସରକାରଙ୍କୁ ଚାଲେଞ୍ଜ କରିବା ଯୋଗୁ ବୁଲଡୋଜର ଚାଲିଲା ବୋଲି ମନ୍ତ୍ରୀ କହିଛନ୍ତି। କେବଳ ସରକାରୀ ଜମି ଜବରଦଖଲ ନୁହେଁ ଦାଦାଗିରି କରୁଥିବା ଲୋକଙ୍କୁ ମଧ୍ୟ ଏଥିରୁ ନିସ୍ତାର ମିଳିବନି ବୋଲି ସତର୍କ କରାଇଛନ୍ତି। ଯେତେବେଳେ ବୁଲଡୋଜର ଚାଲିବ ସେତେବେଳେ ଅଟକାଇବାକୁ ଜମା ଉଦ୍ୟମ କରିବେନି ବୋଲି ନିତିଶଙ୍କ ମନ୍ତ୍ରୀ ସଫାସଫା ଶୁଣାଇ ଦେଇଛନ୍ତି।

ଏପରି ଜମି ଜବରଦଖଲ ହଟାଇବାକୁ ସବୁ ବ୍ଲକକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆବଣ୍ଟିତ ହୋଇଥିବା ମନ୍ତ୍ରୀ ବିଧାନପରିଷଦରେ କହିଛନ୍ତି। ତେବେ ସଦନରେ ମନ୍ତ୍ରୀ ଜବାବ ରଖୁଥିବା ବେଳେ ଏଠାରେ ଚାଲୁଥିବା ବୁଲଡୋଜର ୟୁପିର ନା ବିହାରର ବୋଲି ବିଧାୟକ ପଚାରିବାରୁ ଏଠାରେ ବିହାରୀ ବୁଲଡୋଜର ଚାଲୁଥିବା କହିଛନ୍ତି। କାରଣ ୟୁପି ଅପେକ୍ଷା ବିହାର ବୁଲଡୋଜର ଅଧିକ ମଜଭୂତ ବୋଲି କହିବା ଗୃହରେ କିଛି ସମୟ ଲାଗି ହାସ୍ୟରୋଳ ସୃଷ୍ଟି କରିଥିଲା।

କିଛିଦିନ ପୂର୍ବେ ମଧ୍ୟପ୍ରଦେଶରେ ମାମା କି ବୁଲଡୋଜରର ଏଣ୍ଟ୍ରି ହୋଇଥିଲା। ବିହାରରେ କେବେଠୁ ଏଣ୍ଟ୍ରି ହେଲା ବୋଲି ପ୍ରଶ୍ନରେ ରାଜସ୍ୱମନ୍ତ୍ରୀ ବିଧାନସଭା ବଜେଟ୍ ଅଧିବେଶନ ସରିବା ପରେ ଏପ୍ରିଲ ପହିଲାରୁ ପୁରାମାତ୍ରାରେ ଏଣ୍ଟ୍ରି ହୋଇଯିବ ବୋଲି କହିଛନ୍ତି। ତେବେ ନ୍ୟାୟର ସହିତ ସମସ୍ତ ବେଆଇନ ଜବରଦଖଲ ହଟାଇ ଦିଆଯିବ ବୋଲି ମନ୍ତ୍ରୀ ଗୃହକୁ ଆଶ୍ୱସ୍ତ କରିଛନ୍ତି।

Spread the love