ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ ନେଇ UP ରାଜନୀତିରେ ଏତେ ହଟଚମଟ କାହିଁକି?

ଲକ୍ଷ୍ନୌ ୧୨।୧:  ଉତ୍ତରପ୍ରଦେଶ ଶ୍ରମମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ଇସ୍ତଫା ଏବେ ରାଜ୍ୟ ରାଜନୀତିରେ ଆଲୋଡନ ସୃଷ୍ଟି କରିଛି। ମୌର୍ଯ୍ୟ ସପାରେ ଯୋଗ ଦେଇଥିବା ନେତା ଅଖିଳେଶ ଯାଦବ ଟ୍ୱିଟ୍‌ କରିଛନ୍ତି। ହେଲେ ଏପର୍ଯ୍ୟନ୍ତ ନିଜେ ମୌର୍ଯ୍ୟ କୌଣସି ଅଧିକାରୀକ ସୂଚନା ଜାରି କରି ନାହାନ୍ତି। ତେବେ ଅଖିଳେଶଙ୍କ ସହ ମୌର୍ଯ୍ୟଙ୍କ ଫଟୋ ଗଣମାଧ୍ୟମରେ ପ୍ରସାରିତ ହେବା ପରଠାରୁ ରାଜନୈତିକ ଦଳମାନେ ନିଜର ଲାଭକ୍ଷତି ହିସାବ ଆରମ୍ଭ କରିଦେଇଛନ୍ତି।

ମଙ୍ଗଳବାର ମୌର୍ଯ୍ୟ ବିଜେପିରୁ ଇସ୍ତଫା ଦେଇଥିଲେ। ଏହି ଅବସରରେ ସେ ଗଣମାଧ୍ୟମକୁ ଭେଟିବା ବେଳେ ତାଙ୍କର ଇସ୍ତଫାର ପ୍ରଭାବ ୨୦୨୪ ନିର୍ବାଚନ ପରେ ଜଣାପଡିବ ବୋଲି କହିଥିଲେ। ହେଲେ ଗତ ୨୪ ଘଣ୍ଟାରେ ଯାହା ହେଲାଣି ଏଥିରୁ ବିଧାନସଭା ନିର୍ବାଚନରେ ହିଁ ଦଳ ତାଙ୍କର ଅଭାବ ନିଶ୍ଚିତ ଅନୁଭବ କରିବ ବୋଲି ଆକଳନ କରାଯାଉଛି। ନେତାଙ୍କ ଦଳ ଡିଆଁ କିଛି ନୂଆ କଥା ନୁହେଁ, ତେବେ ମୌର୍ଯ୍ୟଙ୍କ ଇସ୍ତଫାକୁ ନେଇ ଏତେ ଚର୍ଚ୍ଚା କାହିଁକି ତାହିଁ ବର୍ତ୍ତମାନ ସମୟର ସବୁଠୁ ବଡ ପ୍ରଶ୍ନ।  ଏଥିରେ ଆସନ୍ତୁ ଜାଣିବା ୟୁପି ରାଜନୀତିରେ ମୌର୍ଯ୍ୟଙ୍କ ପ୍ରଭାବ କେତେ ?

୬୮ ବର୍ଷ ବୟସ୍କ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ମୂଳତଃ ପ୍ରତାପଗଡ଼ ଜିଲ୍ଲାର ବାସିନ୍ଦା। ସେ ଗତ ୩ ଦଶନ୍ଧୀ ହେଲା ରାଜ୍ୟ ରାଜନୀତିରେ ତାଙ୍କ ଲାଗି ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସମର୍ଥ ହୋଇଛନ୍ତି।  ଜଣେ ପଛୁଆ ବର୍ଗ ନେତା ଭାବେ ଜଣାଶୁଣା ମୌର୍ଯ୍ୟ ପଶ୍ଚିମ ଉତ୍ତରପ୍ରଦେଶରୁ ଆରମ୍ଭ କରି ପୂର୍ବ ଉତ୍ତରପ୍ରଦେଶର ଆଗ୍ରାରୁ ଗୋରଖପୁର ପର୍ଯ୍ୟନ୍ତ ପ୍ରଭାବ ରଖନ୍ତି। କୋଇରୀ ସମାଜ ତାଙ୍କର ମୁଖ୍ୟ ଜନାଧାର।  କୋଇରୀମାନେ କୁଶୱାହା, ଶାକ୍ୟ, ମୌର୍ଯ୍ୟ ଓ କୋଲୀ ଭାବେ ପଶ୍ଚିମ ଉତ୍ତରପ୍ରଦେଶରୁ ପୂର୍ବ ଉତ୍ତରପ୍ରଦେଶର ଆଗ୍ରାରୁ ଗୋରଖପୁର ପର୍ଯ୍ୟନ୍ତ ବ୍ୟାପି ରହିଛନ୍ତି।

ୟୁପିରେ ଯାଦବଙ୍କ ପରେ କୋଇରୀ ସବୁଠୁ ବଡ଼ ଭୋଟ ବ୍ୟାଙ୍କ। ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଏପର୍ଯ୍ୟନ୍ତ ଏହି ଅଣ ଯାଦବ ଭୋଟ ବ୍ୟାଙ୍କର ପ୍ରତିନିଧିତ୍ୱ କରିଆସୁଛନ୍ତି। ଏଣୁ କୌଣସି ଦଳରେ ତାଙ୍କର ଉପସ୍ଥିତି ସରକାର ଗଢ଼ିବାରେ ବିଶେଷ ସହାୟକ ସାବ୍ୟସ୍ତ ହେବ ବୋଲି ବିଚାର କରାଯାଉଛି। ଗତ ୨୦୧୭ ୟୁପି ବିଧାନସଭା ନିର୍ବାଚନରେ ମଧ୍ୟ ଦେଖା ଯାଇଛି।  ଉତ୍ତରପ୍ରଦେଶର ଆଗ୍ରା, ଜୌନପୁର, ଗାଜିପୁର, ବଲିଆ, ମଉ, କୁଶିନଗର, ଗୋରଖପୁର ଓ ମହାରାଜଗଞ୍ଜରେ କୋଇରୀ ସମାଜର ଆଧିପତ୍ୟ ରହିଛି। ଏହି ସବୁ ଅଞ୍ଚଳରେ ମାତ୍ର କିଛି ହଜାର ଭୋଟ ହିଁ ରାଜ୍ୟର ଭାଗ୍ୟ ନିର୍ଦ୍ଧାରଣରେ ନିର୍ଣ୍ଣାୟକ ହେଉଛି।

ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ଜୀବନୀ ପୁସ୍ତକର ଲେଖକ ଅଜୟ ବୋଷ ମଧ୍ୟ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ଗୁରୁତ୍ୱକୁ ସ୍ୱୀକାର କରନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ କୁଶୱାହା ଅଧ୍ୟୁଷିତ ଅଞ୍ଚଳର ଯେଉଁ ଆସନରେ ମୁହାଁମୁହିଁ ଟକ୍କର ହୁଏ ସେଠାରେ ମୌର୍ଯ୍ୟଙ୍କ ଉପସ୍ଥିତି ବେଶ କାମ ଦେଖାଇଥାଏ। ଏଣୁ କୌଣସି ଦଳରେ ସ୍ୱାମୀପ୍ରସାଦ ମୌର୍ଯ୍ୟଙ୍କ ଉପସ୍ଥିତି ରେସ୍ଲିଂ ରିଂରେ ଅଣ୍ଡରଟେକରଠାରୁ କମ ନୁହେଁ ବୋଲି ଉଲ୍ଲେଖ କରିଛନ୍ତି। ଏଥର ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ବେଶ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆକଳନ କରାଗଲାଣି। ଏଣୁ ଏ ବାବଦେ ଏପର୍ଯ୍ୟନ୍ତ ବିଭିନ୍ନ ସର୍ଭେକ୍ଷଣ ସଂସ୍ଥା କରିଥିବା  ଏଗଜିଟ୍‌ପୋଲ ଫଳାଫଳ ଏବେ ଓଲଟ ପଡିବାରେ ଲାଗିଲାଣି।

ଯେଉଁସବୁ କ୍ଷେତ୍ରରୁ ବିଜେପିର ସହଜ ବିଜୟ ଆକଳନ କରାଯାଉଥିଲା ଏବେ ସେହି ସବୁ କ୍ଷେତ୍ରରେ ଜୋରଦାର ଟକ୍କରର ସମ୍ମୁଖୀନ ହେବ ବୋଲି ଆକଳନ କରାଯାଉଛି। ଏଥିରେ ମୌର୍ଯ୍ୟ ଏପର୍ଯ୍ୟନ୍ତ ନିଜର ପରବର୍ତ୍ତି ନିଷ୍ପତ୍ତି ଘୋଷଣା କରି ନାହାନ୍ତି। ଏହି ଘୋଷଣା ପରେ ନିର୍ବାଚନରେ ଲାଭକ୍ଷତି ହିସାବର ପୁନର୍ମୂଲ୍ୟାୟନ ହେବ ବୋଲି ଜଣାପଡିଲାଣି। ତେବେ ଅଖିଳେଶ ଓ ତାଙ୍କ ଦଳ ମୌର୍ଯ୍ୟଙ୍କୁ ହାତଛଡା କରି ନପାରନ୍ତି ବୋଲି ଅନୁମାନ କରାଯାଉଛି।

Spread the love