ୟୁପି ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣାକଲା ଆପ୍, ତାଲିକାରେ ଅନେକ ଉଚ୍ଚ ଶିକ୍ଷିତ
ଲକ୍ଷ୍ନୌ ୧୬/୦୧ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଆମ୍ ଆଦମୀ ପାର୍ଟି । ପ୍ରଥମ ପର୍ଯ୍ୟାୟରେ ୧୫୦ ଜଣ ପ୍ରାର୍ଥୀଙ୍କ ତାଲିକା ଜାରିକରିଛି ଦଳ । AAP ସାଂସଦ ସଞ୍ଜୟ ସିଂହ ପ୍ରେସ୍ କନଫରେନ୍ସ କରି ପ୍ରାର୍ଥୀ ତାଲିକା ଜାରିକରିଛନ୍ତି ।
ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ୮ ଜଣ ଏମ୍ବିଏ ପ୍ରାର୍ଥୀ ଥିବାବେଳେ ୩୮ ପୋଷ୍ଟ ଗ୍ରାଜୁଏଟ୍, ୪ ଜଣ ଡାକ୍ତର, ୮ ପିଏଚ୍ଡି, ୭ ଜଣ ଇଞ୍ଜିନିୟର, ୮ଜଣ ବିଏଡ୍, ୩୯ ଗ୍ରାଜୁଏଟ୍ ଏବଂ ୬ ଜଣ ଡିପ୍ଲୋମା କରିଥିବା ପ୍ରାର୍ଥୀ ରହିଛନ୍ତି । ଏହା ଛଡା ଜାତୀୟ ସମୀକରଣର ମଧ୍ୟ ପୁରାପୁରି ଭାବେ ଧ୍ୟାନ ରଖାଯାଇଛି । ଘୋଷିତ ତାଲିକା ମଧ୍ୟରେ ୫୫ ଜଣ ଓବିସିରୁ ଥିବାବେଳେ, ଅନୂସଚିତ ଜାତିରୁ ୩୧ଜଣ, ୪୧ ଜଣ ମୁସଲମାନ ପ୍ରାର୍ଥୀ, ୬ କାୟସ୍ତ, ୭ ଜଣ ବ୍ୟବସାୟୀ ଏବଂ ୩୬ ବ୍ରାହ୍ମଣଙ୍କୁ ମୈଦାନକୁ ଓହ୍ଲାଇଛି ଦଳ ।
ବିଜେପିର ହେଭିଓ୍ବେଟ୍ ବିଧାୟକ ପଙ୍କଜ ସିଂହଙ୍କ ବିପକ୍ଷରେ ନୋଏଡାରୁ ପଙ୍କଜ ଅଓ୍ବାନାଙ୍କୁ ଆପ୍ ପ୍ରାର୍ଥୀ କରିଛି । ସେହିଭଳି ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ସିରାଥୁ ଆସନରୁ ଆପ୍ ନେତା ବିଷ୍ଣୁ କୁମାର ଜୟସଓ୍ବାଲ ନିର୍ବାଚନ ଲଢିବେ । ସେହିପରି ବିଜେପିର ଆଉ ଜେଣ ହେଭିଓ୍ବେଟ ନେତା ତଥା ଶାହାଜହାଂପୁର ବିଧାୟକ ସୁରେଶ ଖାନ୍ନାଙ୍କ ବିପକ୍ଷରେ ରାଜୀବ ଯାଦବଙ୍କୁ ପ୍ରାର୍ଥୀ କରିଛି ଆପ୍ । ଅଯୋଧ୍ୟାର ମିଲ୍କିପୁରରୁ ଅର୍ଷବର୍ଦ୍ଧନ ଏବଂ ରୁଦୌଲୀରୁ ମନୋଜ କୁମାର ମିଶ୍ରାଙ୍କୁ ଦଳ ନିର୍ବାଚନ ମୈଦନାକୁ ଓହ୍ଲାଇଛି ।