ୟୁପିଆଇ ଆପ୍ ଏବଂ କ୍ୟୁ ଆର କୋଡ ସ୍କାନ ଦ୍ୱାରା ଏଟିଏମରୁ ଉଠିବ ଟଙ୍କା

ଏଟିଏମରୁ ଟଙ୍କା ଉଠାଇବା ପାଇଁ ଏଟିଏମ କାର୍ଡର ଆବଶ୍ୟକତା ନାହିଁ । ଏଣିକି କେବଳ ୟୁପିଆଇ ଆପ୍ ଏବଂ କ୍ୟୁ ଆର କୋଡ ସ୍କାନ ଦ୍ୱାରା ଏଟିଏମରୁ ଉଠିବ ଟଙ୍କା । ଏନସିଆର କର୍ପୋରେସନ ପକ୍ଷରୁ ଏହି ବ୍ୟବସ୍ଥା ଆରମ୍ଭ କରାଯାଉଛି । ଏନସିଆର ପକ୍ଷରୁ ଇଣ୍ଟରପେରେବୁଲ କାର୍ଡଲେସ କ୍ୟାସ ୱିଥଡ୍ରୟାଲ (ଆଇସିସିଡବ୍ଲ୍ୟୁ) ବ୍ୟବସ୍ଥା ଲାଗୁ କରାଯାଉଛି ।

ଏହି ବ୍ୟବସ୍ଥାକୁ ନେଇ ସିଟି ୟୁନିୟନ ବ୍ୟାଙ୍କ ଏନସିଆର ସହିତ ହାତ ମିଳାଇଛି । ପ୍ରାୟ ୧୫୦୦ଟି ଏଟିଏମରେ ଏହି କ୍ୟୁଆର କୋଡ ବ୍ୟବସ୍ଥା ଲାଗୁ କରାଯାଇଛି ।

ଫୋନରେ ରହିଥିବା ୟୁପିଆଇ ଆପ୍ ହେଉ କିମ୍ବା ପକେଟରେ ରହିଥିବା ଏଟିଏମ୍, ଉଭୟ ବ୍ୟବସ୍ଥା ଠାରୁ ଏହା ଗୋଟିଏ ପାଦ ଆଗରେ ବୋଲି ଏନସିଆର କର୍ପୋରେସନ ଚେୟାରମ୍ୟାନ ନାଭରୋଜ ଦସ୍ତୁର କହିଛନ୍ତି । ଗ୍ରାହକଙ୍କୁ ସୁବିଧା ପ୍ରଦାନ ପାଇଁ ଏନସିଆର ଓ ଆଇସିସିଡବ୍ଲ୍ୟୁ ସହିତ ସିଟି ବ୍ୟାଙ୍କ ହାତ ମିଶାଇଛି ବୋଲି ସିଟି ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ଏନ କାମାକୋଡି ପ୍ରକାଶ କରିଛନ୍ତି ।ଏହି ବ୍ୟବସ୍ଥା ପାଇଁ ଆପଣଙ୍କୁ କେବଳ ଆପଣଙ୍କ ୟୁପିଆଇ ଆକ୍ଟିଭେଟ ଥିବା ମୋବାଇଲ ଆବଶ୍ୟକ । ଭିମ୍, ପେଟିଏମ୍, ଗୁଗୁଲ ପେ ପରି ଆପ ରହିଥିଲେ ଏହି ସେବାର ଲାଭ ଉଠାଇ ହେବ । ଏଟିଏମେରେ ରହିଥିବା କ୍ୟୁଆର କୋଡ ସ୍କାନ କରିବା ସହିତ ଆବଶ୍ୟକ ପରିମାଣର ଅର୍ଥ ଉଠାଇ ହେବ ବୋଲି ଜଣାପଡିଛି । ବର୍ତ୍ତମାନ ପରସ୍ଥିତିରେ ଏହି ବ୍ୟବସ୍ଥାରେ ଅର୍ଥ ଉଠାଣ ଲିମିଟ ୫ ହଜାର ଟଙ୍କା ରହିଥିବା ବେଳେ ଆଗକୁ ଏହା ବଢିବାର ସମ୍ଭାବନା ରହିଛି । ବର୍ତ୍ତମାନ କିଛି ନିର୍ଦ୍ଦିଷ୍ଟ ସିଟି ୟୁନିୟନ ବ୍ୟାଙ୍କ ଏଟିଏମରେ ଏହି ସୁବିଧା ଉପଲବ୍ଧ ହେଉଛି ।ସୁରକ୍ଷା ବ୍ୟବସ୍ଥାରୁ ଏହା ସବୁଠାରୁ ସୁରକ୍ଷିତ ବୋଲି କୁହାଯାଉଛି । କାର୍ଡ ଚୋରି ହେବାର ଭୟ ରହିଥିବା ବେଳେ କାର୍ଡର ଡୁପ୍ଲିକେଟ ମଧ୍ୟ ହେବା ସମ୍ଭବ । ତେବେ ଏହି ବ୍ୟବସ୍ଥାରେ ଏମିତି କିଛି ହେବାର ସମ୍ଭାବନା କମ୍ । ପ୍ରତି ଦେଣନେଣ ପାଇଁ ଭିନ୍ନ ଭିନ୍ନ କ୍ୟୁଆର କୋଡ ବ୍ୟବହୃତ ହେଉଥିବାରୁ ଏହା ସବୁଠାରୁ ସୁରକ୍ଷିତ ବ୍ୟବସ୍ଥା ବୋଲି କୁହାଯାଇଛି । ଏନସିଆର ଏବଂ ଏନପିସିଆଇ ପକ୍ଷରୁ କିଛି ଘରୋଇ ବ୍ୟାଙ୍କ ସହିତ ଆଲୋଚନା ଅନ୍ତିମ ପର୍ଯ୍ୟାୟରେ ରହିଛି ଏବଂ ଖୁବ ଶୀଘ୍ର ଅନ୍ୟାନ୍ୟ ବ୍ୟାଙ୍କ ଗୁଡିକ ଏଥିରେ ସାମିଲ କରାଯିବ ବୋଲି କହିଛନ୍ତି ଏନସିଆର କର୍ପୋରେସନ ଚେୟାରମ୍ୟାନ ନାଭରୋଜ ଦସ୍ତୁର ।

Spread the love