ତାଇଓ୍ୱାନ ପ୍ରସଙ୍ଗରେ ପୁଣି ଆମେରିକା-ଚୀନ ମୁହାଁମୁହିଁ

ନୂଆଦିଲ୍ଲୀ ୨୮/୦୭: ତାଇୱାନ ପ୍ରସଙ୍ଗକୁ ନେଇ ଆମେରିକା ଓ ଚୀନ୍‌ ମଧ୍ୟରେ ପୁଣି ବିବାଦ ଉପୁଜିଛି । ଏଥର ଖୋଲାଖୋଲି ଭାବେ ନାଲିଆଖି ଦେଖାଇଛି ଡ୍ରାଗନ୍‌ । କହିଛି, ଆମେରିକାର ଜଣେ ବି ରାଜନେତା ତାଇୱାନ ମାଟିରେ ପାଦ ଦେବାକୁ ଉଦ୍ୟମ ନ କରନ୍ତୁ । ଯଦି ସେମାନେ ଏଭଳି କରନ୍ତି, ତେବେ ତାହାର ପରିଣତି ଭୋଗିବାକୁ ପଡ଼ିବ ।

ଆମେରିକାର ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ ଅଧ୍ୟକ୍ଷା ନାନ୍‌ସି ପେଲୋସି ତାଇୱାନ ଗସ୍ତ ପାଇଁ ପ୍ରସ୍ତୁତ ହେଉଥିବା ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ଚୀନ୍‌ ଏଭଳି କଠୋର ଆଭିମୁଖ୍ୟ ପୋଷଣ କରିଛି । ପେଲୋସିଙ୍କ ଏହି ପ୍ରସ୍ତାବିତ ଗସ୍ତ ବାବଦରେ ଜାଣିବା ପରେ ଚୀନ୍‌ କ୍ରୋଧାନ୍ୱିତ ହୋଇଉଠିଛି । ଚୀନ୍‌ କହିଛି ଯେ ନାନ୍‌ସି ତାଙ୍କର ତାଇୱାନ ଗସ୍ତ ଯୋଜନାକୁ ତୁରନ୍ତ ରଦ୍ଦ କରିବା ଆବଶ୍ୟକ । ଏହାକୁ ନେଇ ସେ ଯଦି ଆଗକୁ ବଢ଼ନ୍ତି, ତେବେ ପରିଣତି ଖରାପ ହେବ । କେବଳ ପେଲୋସି କାହିଁକି, ଆମେରିକାର କୌଣସି ରାଜନେତା ତାଇୱାନ ଗଲେ, ତାହାକୁ ଆଦୌ ବରଦାସ୍ତ କରାଯିବ ନାହିଁ ।

ଆମେରିକାରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କ ପରେ ସବୁଠୁ ବଡ଼ ସାମ୍ବିଧାନିକ ପଦବୀ ହେଉଛି ହାଉସ ଅଫ ରିପ୍ରେଜେଣ୍ଟେଟିଭ ଅଧ୍ୟକ୍ଷ । ତେଣୁ ପେଲୋସିଙ୍କ ତାଇୱାନ ଗସ୍ତ ପଛରେ କିଛି ଗୋଟାଏ ବଡ଼ ରହସ୍ୟ ଥାଇପାରେ ବୋଲି ଆଶଙ୍କା କରୁଛି ଚୀନ୍‌ । ୧୯୯୭ ପରଠାରୁ ଆମେରିକାର ଏହି ୩ଟି ବଡ଼ ପଦବୀର ଜଣେ ବି ନେତା ତାଇୱାନ ଗସ୍ତ କରିନାହାନ୍ତି । ତାଇୱାନକୁ ନିଜଠାରେ ମିଶାଇବାକୁ ଚୀନ୍‌ ଚାହୁଁଛି । ତେଣୁ ଅନ୍ୟ କୌଣସି ଦେଶର ଦଖଲକୁ ଏହା ପ୍ରଶ୍ରୟ ଦେଉନାହିଁ । ଚୀନ୍‌ର ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିଆନ୍‌ କହିଛନ୍ତି ଯେ ଯଦି ପେଲୋସି ତାଙ୍କ ଗସ୍ତ କାର୍ଯ୍ୟକ୍ରମକୁ ନେଇ ଆଗକୁ ବଢ଼ନ୍ତି, ତେବେ ଚୀନ୍‌ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ । ଆମେରିକା ଏଥିପାଇଁ ଦାୟୀ ରହିବ । ଏମିତି କି ସାମରିକ କାର୍ଯ୍ୟାନୁଷ୍ଠାନକୁ ବି ଏଡ଼ାଯାଇ ନ ପାରେ ବୋଲି ଆଉ ଜଣେ ମୁଖପାତ୍ର ସଂକେତ ଦେଇଛନ୍ତି ।

ଅନ୍ୟପକ୍ଷରେ ପେଲୋସିଙ୍କ ଗସ୍ତକୁ ରୋକିବା ପାଇଁ ବାଇଡେନ ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି । ଗସ୍ତ ଯୋଜନା ରଦ୍ଦ ପାଇଁ ଏହା ପେଲୋସିଙ୍କୁ ପରାମର୍ଶ ଦେଇଛି । ଆମେରିକାର ସେନା ବି ଏହି ପ୍ରସ୍ତାବିତ ଗସ୍ତକୁ ନାପସନ୍ଦ କରିଛି । ଏହି ଯାତ୍ରା ଅନାବଶ୍ୟକ ବୋଲି ଏହା ମତ ଦେଇଛି । ପେଲୋସି ଯଦି କୌଣସିମତେ ତାଇୱାନ ଗସ୍ତରେ ଯାଆନ୍ତି, ବେଜିଂ ଓ ୱାଶିଂଟନ ମଧ୍ୟରେ ବିବାଦ ଆହୁରି ବୃଦ୍ଧି ପାଇବ । ଆଗକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଫୋନରେ ବାର୍ତ୍ତାଳାପ ହେବାକୁ ଯାଉଛି । ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଏପ୍ରିଲରେ ତାଇୱାନ ଗସ୍ତ ପାଇଁ ପେଲୋସି ଯୋଜନା ରଖିଥିଲେ । କିନ୍ତୁ କୋଭିଡ-୧୯ରେ ଆକ୍ରାନ୍ତ ହେବା ପରେ ଏହା ସ୍ଥଗିତ ରହିଥିଲା । ଏବେ ସେ ପୁଣି ଏହାକୁ ନେଇ ପ୍ରସ୍ତୁତ ହେଉଥିବା ରିପୋର୍ଟ ପ୍ରକାଶ ପାଇଛି । ଆମେରିକୀୟ ସଂସଦରେ ନିଜର ୩୫ ବର୍ଷର କ୍ୟାରିୟରରେ ପେଲୋସି ସବୁବେଳେ ଖୋଲାଖୋଲି ଭାବେ ଚୀନ୍‌କୁ ସମାଲୋଚନା କରିଆସୁଛନ୍ତି । ବିଶେଷକରି ତାଇୱାନରେ ଚୀନର ଅଗଣତାନ୍ତ୍ରିକ କାର୍ଯ୍ୟକୁ ସେ ବିରୋଧ କରୁଛନ୍ତି । ଗତ ସପ୍ତାହରେ ପେଲୋସି କହିଥିଲେ ଯେ ତାଇୱାନକୁ ସମର୍ଥନ ଜଣାଇବା ଆମେରିକା ପାଇଁ ନିହାତି ଜରୁରି ।

Spread the love