ଇମ୍ରାନଙ୍କ ବିଦେଶୀ ‘ଷଡ଼ଯନ୍ତ୍ର’ ଦାବିକୁ ଅସ୍ୱୀକାର କଲା ଆମେରିକା

ୱାସିଂଟନ ୯।୪: ଇମ୍ରାନଙ୍କ ସରକାର ଭାଙ୍ଗିବା ପଛରେ  ବିଦେଶୀ ଷଡ଼ଯନ୍ତ୍ର ଅଭିଯୋଗକୁ ଆମେରିକା ଅଗ୍ରାହ୍ୟ କରିଦେଇଛି। ପାକିସ୍ତାନର ସଂକଟଗ୍ରସ୍ତ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ସରକାରଙ୍କୁ ଉପାଡି ଫୋପାଡିବାକୁ ବିରୋଧୀ ଦଳ ୱାସିଂଟନରେ ବିଦେଶୀ ଷଡ଼ଯନ୍ତ୍ର କରିଥିବାର ଅଭିଯୋଗ ଆଣିଥିଲେ। ତେବେ ଇମ୍ରାନଙ୍କ ଏପରି ଦାବିର କୌଣସି ସତ୍ୟତା ନଥିବା ଆମେରିକା ସ୍ପଷ୍ଟ କରିଦେଇଛି।

ଇମ୍ରାନଙ୍କ ତାଙ୍କ ବିରୋଧରେ ବିପକ୍ଷଙ୍କ ଅନାସ୍ଥା ପ୍ରସ୍ତାବ ତାଙ୍କର ସ୍ୱତନ୍ତ୍ର ବୈଦେଶିକ ନୀତି କାରଣରୁ ଏକ ବିଦେଶୀ ଷଡ଼ଯନ୍ତ୍ରର ପରିଣାମ ଥିଲା ଓ ତାଙ୍କୁ କ୍ଷମତାରୁ ହଟାଇବା ଲାଗି ବିପୁଳ ବିଦେଶୀ ଧନର ଉପଯୋଗ ହେଉଛି ବୋଲି ଦାବି କରିଥିଲେ । ଶୁକ୍ରବାର ଦେଶ ଉଦ୍ଦେଶ୍ୟରେ ଏକ ସମ୍ବୋଧନରେ ୬୯ ବର୍ଷ ବୟସ୍କ ଇମ୍ରାନ ନିଜର ଅଭିଯୋଗକୁ ଦୋହରାଇବା ସହିତ ଜନୈକ ବରିଷ୍ଠ ଆମେରିକୀୟ କୂଟନୀତିଜ୍ଞ ପାକିସ୍ତାନରେ ତାଙ୍କ ଶାସନ ପରିବର୍ତ୍ତନର ଧମକ ଦେଇଥିବାର ମଧ୍ୟ କହିଥିଲେ।

ଇମ୍ରାନ ଏହା ମଧ୍ୟ ଅଭିଯୋଗ କରିଥିଲେ ଯେ ଆମେରିକା ବିଦେଶ ବିଭାଗରେ ଦକ୍ଷିଣ ଓ ମଧ୍ୟ ଏସିଆ ବ୍ୟୁରୋଙ୍କ ସହାୟକ ସଚିବ ଡୋନାଲ୍ଡ ଲୁ ତାଙ୍କ ସରକାର ଭାଙ୍ଗିବା ଲାଗି ବିଦେଶୀ ଷଡ଼ଯନ୍ତ୍ରରେ ସାମିଲ ଥିଲେ। ତେବେ ଅନାସ୍ଥା ପ୍ରସ୍ତାବକୁ ଆଗକୁ ବଢାଇବା ଲାଗି ଇମ୍ରାନ ଅଭିଯୋଗର ଜବାବ ଦେଇ ଆମେରିକା ବିଦେଶ ବିଭାଗ ଉପମୁଖପାତ୍ର  ଜଲିନା ପୋର୍ଟର ଏହି ସବୁ ଅଭିଯୋଗରେ କୌଣସି ସତ୍ୟତା ନଥିବା ମୁଁ ସ୍ପଷ୍ଟ ରୂପେ କହିବାକୁ ଚାହୁଁଛି ବୋଲି ଗଣମାଧ୍ୟମକୁ କହିଛନ୍ତି।

ସେ କହିଥିଲେ ଯେ ପାକିସ୍ତାନର ଘଟଣାକ୍ରମ ଉପରେ ଆମେ ନିଶ୍ଚିତ ନଜର ରଖିଛୁ। କାରଣ ଆମେ ପାକିସ୍ତାନର ସାମ୍ବିଧାନିକ ପ୍ରକ୍ରିୟା ଓ ସେଠାକାର ଆଇନର ଶାସନକୁ ଆମେ ସମ୍ମାନ ଓ ସମର୍ଥନ କରୁଛୁ ବୋଲି କହିଛନ୍ତି। ଏହା ସତ୍ତ୍ୱେ ମୁଁ ପୁଣି ଥରେ କହିରଖିବାକୁ ଚାହୁଁଛି ଯେ ଏପରି ଅଭିଯୋଗର କୌଣସି ସତ୍ୟତା ନାହିଁ ବୋଲି ଜଲିନା ପୋର୍ଟର କହିଛନ୍ତି। ପାକିସ୍ତାନ ପ୍ରସଙ୍ଗକୁ ନେଇ ଆମେରିକାର ଏହା ପ୍ରଥମ ସ୍ପଷ୍ଟିକରଣ ନୁହେଁ। ଏହା ପୂର୍ବରୁ ମଧ୍ୟ ଆମେରିକା ସରକାର ମାମଲାରେ ଦୁଇ ଥର ସ୍ପଷ୍ଟିକରଣ ଦେବା ସହ ପାକିସ୍ତାନ ପ୍ରସଙ୍ଗରେ କୌଣସି ପ୍ରକାର ଭୂମିକାକୁ ଅସ୍ୱୀକାର କରିଛନ୍ତି।

ଗତ ମାର୍ଚ୍ଚ ୨୭ ତାରିଖ ଦିନ ଇସ୍ଲାମାବାଦରେ ଏକ ସାଧାରଣ ସଭାରେ ଇମ୍ରାନ ଖାନ ଏକ ପତ୍ର ସମ୍ପର୍କରେ କହିଥିଲେ ଓ ଏଥିରେ ଆମେରିକା ପକ୍ଷରୁ ପାକିସ୍ତାନ ସରକାର ପ୍ରତି ହେବାକୁ ଥିବା ବିପଦର ପ୍ରମାଣ ରହିଛି ବୋଲି କହିଥିଲେ। ପତ୍ର ଓ କଥିତ ଷଡ଼ଯନ୍ତ୍ର ଅଭିଯୋଗ ଆଧାରରେ ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲି ଉପାଧ୍ୟକ୍ଷ କାସୀମ ସୂରୀ ୩ ଏପ୍ରିଲ ଅନାସ୍ଥା ପ୍ରସ୍ତାବ ଚର୍ଚ୍ଚାକୁ ସଂସଦରେ ଅସାମ୍ବିଧାନିକ କହି ଅଗ୍ରାହ୍ୟ କରିଦେଇଥିଲେ। ଶନିବାର ପାକିସ୍ତାନ ସଂସଦ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବରେ ଭୋଟିଂ କରିବା ଲାଗି ଡକାଯାଇଥିଲା।   

Spread the love