୪୦ ବର୍ଷ ପରେ… ଆଉ ଜଣେ ଭାରତୀୟଙ୍କୁ ମହାକାଶ ପଠାଇବାକୁ ଆମେରିକା ପ୍ରସ୍ତୁତ: ‘ନାସା’ ମୁଖ୍ୟ

ନୂଆଦିଲ୍ଲୀ: ୨୦୨୪ରେ ଆଉ ଜଣେ ଭାରତୀୟ ନାଗରିକଙ୍କୁ ମହାକାଶକୁ ପ୍ରେରଣ କରାଯିବ ବୋଲି ମଙ୍ଗଳବାର ଦିନ ଆମେରିକୀୟ ମହାକାଶ ସଂସ୍ଥାନ ‘ନାସା’ର ମୁଖ୍ୟ କହିଛନ୍ତି।

ସ୍ମରଣଯୋଗ୍ୟ, ୧୯୮୪ ମସିହାରେ ରାକେଶ ଶର୍ମା ପ୍ରଥମ ଭାରତୀୟ ନାଗରିକ ଭାବେ ମହାକାଶକୁ ଯାତ୍ରା କରିଥିଲେ।

ଏହାର ୪୦ ବର୍ଷ ପରେ ଅର୍ଥାତ୍‌ ୨୦୨୪ ଶେଷସୁଦ୍ଧା ଆଉ ଜଣେ ଭାରତୀୟ ନାଗରିକଙ୍କୁ ‘ଆନ୍ତର୍ଜାତିକ ମହାକାଶ ଷ୍ଟେସନ୍‌’କୁ ପଠାଯିବ ବୋଲି ‘ନ୍ୟାସ୍‌ନାଲ୍‌ ଏରେନଟିକ୍‌ସ୍‌ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେସନ୍‌’ର (ନାସା) ପ୍ରଶାସକ ବିଲ୍‌ ନେଲ୍‌ସନ୍‌ କହିଛନ୍ତି।

ନେଲ୍‌ସନ୍‌ କହିଛନ୍ତି, ‘ଆନ୍ତର୍ଜାତିକ ମହାକାଶ ଷ୍ଟେସନ୍‌’କୁ ଜଣେ ଭାରତୀୟଙ୍କୁ ପଠାଇବା ଓ ତାଲିମ ଦେବା କାର୍ଯ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା ସାହାଯ୍ୟ କରିବ। କିନ୍ତୁ, ଉକ୍ତ ମହାକାଶଚାରୀଙ୍କୁ ଚୟନ କରିବ ‘ଇସ୍ରୋ’। ମହାକାଶଚାରୀ ମନୋନୟନରେ ‘ନାସା’ ଅନ୍ତର୍ଭୁକ୍ତ ହେବ ନାହିଁ। ଏହି ଅଭିଯାନର ସବିଶେଷ ପ୍ରସ୍ତୁତି ନିମନ୍ତେ ‘ଇସ୍ରୋ’ ଉଦ୍ୟମ ଚଳାଇଛି।

ଉଲ୍ଲେଖଯୋଗ୍ୟ, ମହାକାଶ ଯାତ୍ରା କରିବାର ଗୌରବ ଅନେକ ଭାରତୀୟ ବଂଶୋଦ୍ଭବ ଅର୍ଜନ କରିସାରିଥିଲେ ବି ଏ ପର୍ଯ୍ୟନ୍ତ ମା‌ତ୍ର ଜଣେ ଭାରତୀୟ ନାଗରିକ ମହାକାଶ ଯାତ୍ରା କରିଛନ୍ତି। ସେ ହେଉଛନ୍ତି, ଭାରତୀୟ ବାୟୁସେନାର ପୂର୍ବତନ ୱିଙ୍ଗ୍‌ କମାଣ୍ଡର୍‌ ରାକେଶ ଶର୍ମା। ‘ସୋଭିଏତ୍‌ ଇଣ୍ଟର୍‌କସ୍‌ମସ୍‌’ ଯୋଜନାରେ ୧୯୮୪ ଏପ୍ରିଲ୍‌ ୩ ତାରିଖ ଦିନ ସେ ‘ସୋୟୁଜ୍‌ ଟି-୧୧’ ମହାକାଶଯାନରେ ମହାକାଶ ଯାତ୍ରା କରିଥିଲେ।

ଭାରତ-ଯୁକ୍ତରାଷ୍ଟ୍ର ଆମେରିକା ସହଯୋଗ ବୃଦ୍ଧି ନିମନ୍ତେ ଭାରତର ଏକାଧିକ ସହର ଗସ୍ତରେ ଆସିଥିବା ନେଲ୍‌ସନ୍‌ କହିଛନ୍ତି, ଭାରତ ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ବଡ଼ ସହଯୋଗୀ ଏବଂ ମହାକାଶରେ ମହାକାଶଚାରୀଙ୍କ କାର୍ଯ୍ୟକଳାପ ନିମିତ୍ତ ମଧ୍ୟ ଭବିଷ୍ୟତର ଜଣେ ବଡ଼ ସହଯୋଗୀ। ଆସନ୍ତାବର୍ଷ ଯୁକ୍ତରାଷ୍ଟ୍ର ଆମେରିକା ଚନ୍ଦ୍ରର ଦକ୍ଷିଣ ମେରୁରେ ଅନେକ ଘରୋଇ ଲାଣ୍ଡର୍‌ ଅବତରଣ କରାଇବ। କିନ୍ତୁ, ଅସଲ କଥା ହେଲା, ଭାରତ ସେଠାରେ ପ୍ରଥମେ ଲ୍ୟାଣ୍ଡର୍‌ ଅବତରଣ କରାଇଥିବାରୁ ଧନ୍ୟବାଦର ପାତ୍ର।

ମଙ୍ଗଳବାର ଦିନ ତାଙ୍କ ନେତୃତ୍ବାଧୀନ ଉଚ୍ଚସ୍ତରୀୟ ଆମେରିକୀୟ ପ୍ରତିନିଧି ଦଳ ମହାକାଶ ମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସହିତ ଆଲୋଚନା କରିଥିଲେ।

Spread the love