ଉତ୍କଳ ସିନେ ଚାମ୍ୱର୍ସ ଅଫ କମର୍ସ ସଙ୍ଘକୁ ବଦନାମ କରିବାକୁ ଷଡଯନ୍ତ୍ର

ଭୁବନେଶ୍ବରଠାରେ ଏକ ପ୍ରେସ ମିଟ୍ ଆୟୋଜନ କରି ଗଣମାଧ୍ୟମ ଆଗରେ ଉତ୍କଳ ସିନେ ଚାମ୍ୱର୍ସ ଅଫ କମର୍ସ (ୟୁସିସିସି)ର କର୍ମକର୍ତା ମାନେ ପ୍ରଯୋଜକ ସଞ୍ଜୟ ନାୟକ, ସ୍ଥିତ ପଟ୍ଟନାୟକ, ଏନ୍ ଗଙ୍ଗାଧର ରେଡ୍ଡୀ ଓ ରବି ପଣ୍ଡାଙ୍କ ଉପରେ ବର୍ଷିଛନ୍ତି । କର୍ମକର୍ତା ମାନେ କହିଛନ୍ତି ଯେ “ଚଳଚ୍ଚିତ୍ର ନିର୍ମାଣ, ବିତରଣ, ଓ ପ୍ରସାରଣ ପରି ତିନୋଟି ବିଭାଗକୁ ପରିଚାଳନା କରୁଥିବା ଏହି ସଙ୍ଘ ୩୭ ବର୍ଷର ପୁରୁଣା ସଙ୍ଘ ରାଜ୍ୟର ଚଳଚିତ୍ର ବ୍ୟାପରକୁ ସହଜ ଓ ଶୃଙ୍ଖଳିତ କରିବାକୁ ଗଠନ ହୋଇଥିଲା | ଏହି ସଙ୍ଘ ଏକ ପବିତ୍ର, ସୁନ୍ଦର, ଶୃଙ୍ଖଳିତ ସଙ୍ଘ ଓ ଏହାର ସମସ୍ତ କର୍ମକର୍ତା ମାନେ ଏକ ପରିବାର ସଦୃଶ । ହେଲେ କିଛି ଦିନ ତଳେ ଆମର କିଛି ସଦସ୍ୟ ନିଜର କିଛି ସ୍ବାର୍ଥ ସାଧନ ପାଇଁ ଆମକୁ ନ ପଚାରି, ଆମଠାରୁ ଅନୁମତି ନ ନେଇ ଗଣମାଧ୍ୟମ ଆଗରେ ବହୁତ ଭୁଲ ତଥ୍ୟ ଦେଇ ସଂଘ କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । ଆପଣ ମାନଙ୍କୁ ଅନୁରୋଧ ପ୍ରମାଣ ନଥାଇ ସେଭଳି ବ୍ୟକ୍ତି ଙ୍କୁ ସହଯୋଗ କରନ୍ତୁ ନାହିଁ କି ପ୍ରମାଣ ବିହୀନ ଖବର ପରିବେଷଣ କରନ୍ତୁ ନାହିଁ”।

“ୟୁସିସିସିର ପ୍ରଯୋଜକ ସଙ୍ଘର ଆଜୀବନ ସଦସ୍ୟ ଚାନ୍ଦା ୫୦୦୦୦ ଟଙ୍କା ଯାହା ମାତ୍ର ଥରେ ଦେବାକୁ ପଡ଼େ ଓ ବାର୍ଷିକ ୫୦୦ଟଙ୍କା ସଙ୍ଘର ବିକାଶ ମୂଳକ କାର୍ଯ ପାଇଁ ଦେବାକୁ ପଡ଼େ ଓ ଏହା ଜେନେରାଲ ବଡି ମିଟିଂରେ ଗ୍ରହଣ ହୋଇସାରିଛି । ଅଭିଯୋଗ ଅନୁଯାୟୀ ୩ କୋଟିର ହେରଫେର ସମ୍ପୂର୍ଣ ମିଥ୍ୟା ଓ ମନଗଢା କଥା। ଆମେ ଜାଣିବାକୁ ଚାହୁଁଛୁ କେମିତି କୋଉ ବାଟରେ ତିନି କୋଟି ସଙ୍ଘ ରୋଜଗାର କଲା । ଏହା ଏକ ହାସ୍ୟପଦ କଥା, ଯାହା ଉଚ୍ଚ ନ୍ୟାୟଲୟ ରେ ବିଚାରଧିନ ଅଛି ଓ ସମସ୍ତ ଦସ୍ତାବୀଜ ଆମେ ନ୍ୟାୟାଳୟରେ ଦାଖଲ କରିଛୁ । ରସିଦ ବହି ରେ କେବଳ ବାର୍ଷିକ ଚାନ୍ଦା ନଗଦ ଟଙ୍କା ଆକାରରେ ଆଦାୟ କରାଯାଏ। ଯଦି କେହି ସଦସ୍ୟ କୋଟି କୋଟି ଟଙ୍କା କୌଣସି ସଦସ୍ୟଙ୍କ ବ୍ଯାଙ୍କ ଖାତା ରେ ଜମା କରିଛନ୍ତି ବା କୌଣସି ପ୍ରକାରରେ ଦେଇଛନ୍ତି ତେବେ ପ୍ରମାଣ ସହ କୁହନ୍ତୁ । ୟୁସିସିସି ତୁରନ୍ତ ପଦକ୍ଷେପ ନେବ,” ବୋଲି ପ୍ରେସ ମିଟ୍ କରି ସଦସ୍ୟ ମାନେ କହିଛନ୍ତି ।

“ଏହା ଛଡା ସଙ୍ଘ ର କର୍ମକର୍ତା ପାଇଁ ନିର୍ବାଚନ ପ୍ରତିବର୍ଷ କରା ଯାଏ, ପ୍ରତିଦ୍ବନ୍ଦୀ କେହି ରୁହନ୍ତି ନାହିଁ ଯାହା ଫଳରେ ଆମେ ପୂର୍ବ ପଦପଦବୀକୁ କାୟମ୍ ରଖୁ । ଚଳିତ ବର୍ଷ ସଙ୍ଘର ନିର୍ବାଚନ ସବୁଦିଗକୁ ଆଖିଆଗରେ ରଖି ଓ ସବୁ ନିୟମକୁ ପାଳନ କରି, ରାଜ୍ୟପୋଲିସଙ୍କ ସହାୟତା ରେ ସୁଚାରୁରୂପେ ସଂପୂର୍ଣ୍ଣ କରାଯାଇଛି । କୌଣସି କ୍ଷେତ୍ରରେ ସଙ୍ଘର ନିୟମ ପରିବର୍ତନ ବା ସଙ୍ଘର କୌଣସି ସଦସ୍ୟଙ୍କ ବ୍ୟକ୍ତିଗତ ସ୍ବାର୍ଥ ଆଖିଆଗରେ ନରଖି ସମ୍ପୂର୍ଣ ନିରପେକ୍ଷ ଭାବରେ ସଙ୍ଘକୁ ଓଡିଆ ଚଳଚିତ୍ରର ବିକାଶ ପାଇଁ କାର୍ଯ କରିବାକୁ ଆମେ ସମସ୍ତେ ପାରୂପର୍ୟଂତ ଚେଷ୍ଟା କରିବୁ,” ବୋଲି ସଙ୍ଘର ସକ୍ରିୟ ସଦସ୍ୟମାନେ କହିଛନ୍ତି ।

Spread the love