ଓଡିଆ ଭାଷା, ସଂସ୍କୃତି ଏବଂ ପଂରପଂରାକୁ ବଜାୟ ରଖି ନୂତନ ଓଡିଶା ଗଠନ କରିବାକୁ ଯୁବପିଢୀଙ୍କୁ ଆହ୍ୱାନ ଦେଲେ ରାଜ୍ୟ ସଭାପତି ସମୀର ମହାନ୍ତି

ଭୁବନେଶ୍ୱର : ଭାଷାର ବ୍ୟବହାର ବିନା ରାଜ୍ୟର ବିକାଶ ଅସମ୍ଭବ । ଏଥି ସହ ଓଡିଆ ଭାଷାକୁ ଭଲପାଇବା ସହ ସମ୍ମାନ କରିବା ଆବଶ୍ୟକ । ଭାଷା ଦ୍ୱାରା ହିଁ ଗୋଟିଏ ଜାତିର ଇତିହାସ, ସଂସ୍କୃତି ଓ ଏ୍ୟୌତିହ୍ୟ ସଂର୍ପକରେ ଜଣାପଡେ । ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଭାଷା ଭିତିକ ରାଜ୍ୟ ଭାବେ ଓଡିଶା ପ୍ରଥମ ରାଜ୍ୟ ଭାବେ ମାନ୍ୟତା ପାଇଥିଲା । ଆଜି ୮୬ତମ ଉତ୍କଳ ଦିବସ ଅବସରରେ ବିଜେପି
ଯୁବମୋର୍ଚ୍ଚା ପକ୍ଷରୁ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ଯୋଗଦାନ ଥିବା ମହାପୁରୁଷମାନଙ୍କୁ ଗଭୀର ଶ୍ରଦ୍ଧାଜଂଳି ପ୍ରଦାନ କରାଯାଇଥିଲା । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟଠାରେ ଫକୀର ମୋହନ ସେନାପତି ଓ ଉପେନ୍ଦ୍ର ଭଞ୍ଜ, ଗୋପବନ୍ଧୁ ଛକଠାରେ ଗୋପବନ୍ଧୁ ଦାସ, ରାଜଭବନ ଛକ ମଧୁସୂଦନ ଦାସଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହ ସେମାନଙ୍କ ଗାଥାକୁ ମନେପକାଇଥିଲେ । ଆଜି ଉତ୍କଳ ଦିବସରେ ଓଡିଆ ଭାଷା, ସଂସ୍କୃତି ଏବଂ ପଂରପଂରାକୁ ବଜାୟ ରଖିବା ସଙ୍ଗେସଙ୍ଗେ ଯୁବପିଢୀଙ୍କୁ ନୂତନ ଓଡିଶା ଗଠନରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଥିଲେ । ଖଣ୍ଡବିଖଣ୍ଡିତ ରାଜ୍ୟକୁ ଏକତ୍ରିତ କରିଥିବା ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତିକୁ ବଂଚାଇ ରଖିବା ପାଇଁ ଉତ୍କଳ ଗୌରବ ମଧୁସୂଦନ ଦାସ, କବିସୂର୍ଯ୍ୟ ବଳଭଦ୍ର ରଥ, ଉତ୍କଳମଣି ଗୋପବନ୍ଧୁ ଦାସ, କବି ସମ୍ରାଟ ଉପେନ୍ଦ୍ର ଭଂଜ, ବଳରାମ ଦାସ, ଜଗନ୍ନାଥ ଦାସ, ପୁରୁଷୋତମ ଦେବ, ଶାରଳା ଦାସ, ସନ୍ଥ କବି ଭୀମ ଭୋଇ, ସ୍ୱଭାବ କବି ଗଙ୍ଗାଧର ମେହେର, ବ୍ୟାସ କବି ଫକୀର ମୋହନ ସେନାପତି, ପଣ୍ଡିତ ନୀଳକଣ୍ଠ ଦାସ, ଗୋଦାବରିଶ ମିଶ୍ର, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ରାଧାନାଥ ରାୟ, ଗୈାରୀଶଙ୍କର ରାୟଙ୍କ ସମେତ ଅନେକ କବି ଓ ଲେଖକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେହିପରି ଓଡିଆ ଭାଷାର ସୁରକ୍ଷା ସହ ସ୍ୱତନ୍ତ୍ର ଓଡିଶା ଗଠନରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମୟୁରଭଞ୍ଜ ରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ, ବାମଣ୍ଡା ରାଜା ସୁଢଲ ଦେବ ପ୍ରମୁଖ ଓଡିଶାର ବରପୁତ୍ରମାନଙ୍କ ଯଶକୁ ଏହି ଅବସରରେ ସ୍ମରଣ କରାଯାଇଥିଲା । ରାଜ୍ୟରେ ଦିନକୁ ଦିନ ଓଡିଆ ଭାଷା ପ୍ରତି ସମ୍ମାନ ଏବଂ ଆନ୍ତରିକତା କମିବା ରାଜ୍ୟକୁ ଏକ ବିପଦପୂର୍ଣ୍ଣ ଭବିଷ୍ୟତ ଆଡକୁ ନେଇ ଯାଉଛି । ଓଡିଆ ଭାଷାକୁ ରାଜ୍ୟସରକାର ଯଥେଷ୍ଟ ସମ୍ମାନ ଦେଉନାହାଁନ୍ତି । ଆଜିର ଦିନରେ ଯୁବପିଢୀମାନେ ଓଡିଆର ଭାଷା ସାହିତ୍ୟ, ସଂସ୍କୃତି ଓ ମହାପୁରୁଷମାନଙ୍କର ବୀରତ୍ୱର ଗାଥା ମନେପେକାଇବା ସହ ଓଡିଆ ଭାଷାକୁ ଅଗ୍ରଣୀ ଭାଷାଭାବେ ପରିଗଣିତ କରିବା ପାଇଁ ଶ୍ରୀ ମହାନ୍ତି ଆହ୍ୱାନ ଦେଇଛନ୍ତି ।
ଏହି ଶ୍ରଦ୍ଧାଜଂଳି କାର୍ଯ୍ୟକ୍ରମରେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟ, ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ, ଯୁବମୋର୍ଚ୍ଚା ସାଧାରଣ ସଂପାଦକ ଓମ ପ୍ରକାଶ ମିଶ୍ର ଓ ଦୀପକ ଗୋଚ୍ଛାୟତଙ୍କ ସମେତ ଯୁବମୋର୍ଚ୍ଚାର ବହୁ ପଦାଧିକାରୀ ଏବଂ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Spread the love