ଚମୋଲୀରେ ହିମାସ୍ଖଳନ ଯୋଗୁଁ ଭୀଷଣ ବନ୍ୟା, ୨ ମୃତଦେହ ଉଦ୍ଧାର

ଚମୋଲୀରେ ହିମାସ୍ଖଳନ ଯୋଗୁଁ ଭୀଷଣ ବନ୍ୟା ଆସିଛି। ବନ୍ୟାରେ ୧୫୦ ଜଣ ନିଖୋଜ ଅଛନ୍ତି। ୧୦ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉତ୍ତରାଖଣ୍ଡ ଚମୋଲୀ ଜିଲ୍ଲାରେ ହିମସ୍ଖଳନ ଯୋଗୁଁ ଆସିଥିବା ବନ୍ୟା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାବତଙ୍କ ସହ କଥା ହୋଇଛନ୍ତି। ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ ଟିମ ଦିଲ୍ଲୀରୁ ଏୟାର ଲିଫ୍ଟ ଜରିଆରେ ଉତ୍ତରାଖଣ୍ଡ ପଠାଯାଇଛି। ଦେବଭୂମି ଉତ୍ତରାଖଣ୍ଡକୁ ସବୁ ସମ୍ଭବ ସାହାଯ୍ୟ କରାଯିବ ବୋଲି କହିଛନ୍ତି ଅମିତ ଶହ। ଏନଡିଆରଏଫ ଡିଜି ଏସ ଇଂ ପ୍ରଧାନ କହିଛନ୍ତି, ଗ୍ଲେସିୟର ଫାଟିବା ସୂଚନା ପାଇବା କ୍ଷଣି ଏନଡିଆରଏଫ ଟିମ ଡେରାଡୁନ ବାହାରି ଯାଇଥିଲେ। ଏବେ ସୁଦ୍ଧା ୫ଟି ଏନଡିଆରଏଫ ଟିମ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି। ଏନଡିଆରଏଫ ଟିମକୁ ଏୟାର ଲିଫ୍ଟ କରାଯାଇଛି।

ଉତ୍ତରାଖଣ୍ଡରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗଙ୍ଗା ନଦୀ କୂଳରେ ଥିବା ଜନବସତି ଖାଲି କରାଯାଉଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଚମୋଲୀ ଜିଲ୍ଲାରେ ଆସିଥିବା ଅଚାନକ ବନ୍ୟା ଯୋଗୁଁ ଉତ୍ପନ୍ନ ସ୍ଥିତି ଉପରେ ଲଗାତାର ନଜର ରଖିଛନ୍ତି। ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ସମ୍ବନ୍ଧିତ ବରିଷ୍ଠ ଅଧିକାରୀଙ୍କ ସହ ଯୋଗାଯୋଗ କରୁଛନ୍ତି। ମୋଦି ଟ୍ୱିଟ କରି କହିଛନ୍ତି, ଉତ୍ତରାଖଣ୍ଡର ଦୁର୍ଭାଗ୍ୟପୂର୍ଣ୍ଣ ସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି। ସାରା ଦେଶ ଉତ୍ତରାଖଣ୍ଡ ସହ ଅଛି ଓ ସାରା ଦେଶ ରାଜ୍ୟର ସୁରକ୍ଷା ନେଇ ପ୍ରାର୍ଥନା କରୁଛି।

ଉତ୍ତରାଖଣ୍ଡ ପୋଲିସ ମହା ନିର୍ଦ୍ଦେଶକ ଅଶୋକ କୁମାର କହିଛନ୍ତି ଯେ ପାଖାପାଖି ୧୫୦ ଜଣ ନିଖୋଜ ଅଛନ୍ତି। ୧୦ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ଏବଂ କିଛି ଆହତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଅଛି ବୋଲି ସେ କହିଛନ୍ତି।

Spread the love