ନବମ ଦିନରେ ଉତ୍ତରକାଶୀ ଉଦ୍ଧାର କାର୍ଯ୍ୟ: ଶ୍ରମିକଙ୍କ ପାଖରେ ପହଞ୍ଚିଲା ୬ ଇଞ୍ଚ ଚଉଡ଼ା ପାଇପ୍‌

ଉତ୍ତରକାଶୀ: ଉତ୍ତରାଖଣ୍ଡରେ ‌ଟନେଲ୍‌ ଭିତରେ ଫସି ରହିଥିବା ୪୧ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ଏକ ବଡ଼ ସଫଳତା ସ୍ବରୂପ ସୋମବାର ୬ ଇଞ୍ଚ ଚଉଡ଼ା ବିକଳ୍ପ ପାଇପ୍ ପହଞ୍ଚିଛି। ଫସି ରହିଥିବା ଶ୍ରମିକମାନଙ୍କୁ ଏହା ସାହାଯ୍ୟରେ ପ୍ଲାଷ୍ଟିକ ବୋତଲରେ ପୁଷ୍ଟିକର ରନ୍ଧାଖାଦ୍ୟ ପଠାଇବାକୁ ଅଧିକାରୀମାନେ ଯୋଜନା କରୁଛନ୍ତି। ଫସି ରହିଥିବା ଶ୍ରମିକମାନେ ସମ୍ମୁଖୀନ ହେଉଥିବା ଆହ୍ୱାନପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧିକାରୀମାନେ ଡାକ୍ତରଙ୍କ ପରାମର୍ଶରେ ସେମାନଙ୍କ ପୋଷଣ ଆବଶ୍ୟକତା ପୂରଣ ପାଇଁ ଏକ ସ୍ୱତନ୍ତ୍ର ଖାଦ୍ୟ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ଜଟିଳ ସମୟରେ ଶ୍ରମିକମାନଙ୍କୁ ବଞ୍ଚାଇବା ପାଇଁ ଆଜି ପାଇପ୍ ଦ୍ବାରା ମୁଗ ଖେଚୁଡ଼ି ପଠାଯିବ। ସିଲ୍ ହୋଇଥିବା ବୋତଲରେ ଫଳ ସହ ହାଲୁକା ଖାଦ୍ୟ ମଧ୍ୟ ପଠାଯିବ।

ଯୋଗାଯୋଗ ବଜାୟ ରଖିବା ପାଇଁ ଚାର୍ଜର ଥିବା ଏକ ଫୋନ୍ ପଠାଯିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ସୋମବାର ସୁଡ଼ଙ୍ଗ ବିଶେଷଜ୍ଞଙ୍କ ଏକ ଅନ୍ତର୍ଜାତୀୟ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଉଦ୍ଧାର କାର୍ଯ୍ୟ ନବମ ଦିନରେ ପହଞ୍ଚିଥିବା ବେଳେ ଇଣ୍ଟରନ୍ୟାସନାଲ ଟନେଲିଂ ଆଣ୍ଡ ଅଣ୍ଡରଗ୍ରାଉଣ୍ଡ୍‌ ସ୍ପେସ୍ ଆସୋସିଏସନର ସଭାପତି ଆର୍ନୋଲ୍ଡ ଡିକ୍ସ ଘଟଣାସ୍ଥଳରେ ଉପସ୍ଥିତ ରହି ଏହି କାର୍ଯ୍ୟ ତଦାରଖ କରିଛନ୍ତି। ଏହାପରେ ଗଣମାଧ୍ୟମକୁ ସୂଚନା ଦେଇ ଡିକ୍ସ କହିଛନ୍ତି, ଆମର ପୁରା ଟିମ୍ ଲାଗିପଡ଼ିଛନ୍ତି। କେବଳ ଉଦ୍ଧାର ହେବାକୁ ଥିବା ବ୍ୟକ୍ତି ନୁହନ୍ତି, ଯେଉଁମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ସେମାନେ ମଧ୍ୟ ସୁରକ୍ଷିତ ରହିବା ଜରୁରୀ ବୋଲି ସେ କହିଛନ୍ତି। ଏହି କାମ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ଚାଲିଛି। ଖାଦ୍ୟ ଓ ଔଷଧ ଠିକ୍ ଭାବେ ଯୋଗାଇ ଦିଆଯାଉଛି ବୋଲି ସେ କହିଛନ୍ତି।

ଜାତୀୟ ରାଜପଥ ଓ ଭିତ୍ତିଭୂମି ବିକାଶ ନିଗମ ଲିମିଟେଡ୍ (ଏନ୍ଏଚ୍ଆଇଡିସିଏଲ୍) ଅଧୀନରେ ଏହି ଟନେଲ୍‌ ନିର୍ମାଣ କରାଯାଉଛି। ଏହା କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଚାରି ଧାମ ସବୁଦିନିଆ ସଡ଼କ ପ୍ରକଳ୍ପର ଏକ ଅଂଶ। ତୈଳ ଓ ପ୍ରାକୃତିକ ଗ୍ୟାସ ନିଗମ (ଓଏନ୍‌ଜିସି) ଗତ ନଭେମ୍ବର ୧୨ ତାରିଖରେ ଭୁଶୁଡ଼ି ପଡ଼ିଥିବା ଚାରି ଧାମ ମାର୍ଗରେ ଥିବା ସିଲ୍କିୟାରା ଟନେଲ୍‌ର ବାରକୋଟ ମୁଣ୍ଡରେ ଭର୍ଟିକାଲ ଡ୍ରିଲିଂ କାର୍ଯ୍ୟ ହାତକୁ ନେଇଛି। ଓଏନ୍‌ଜିସି ଡ୍ରିଲିଂ ହେଡ୍ ସୋମବାର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ଏବଂ ପରଦିନ ଏକ ରିପୋର୍ଟ ପ୍ରଦାନ କରିବେ ବୋଲି ଆଶା କରାଯାଉଛି। ନଭେମ୍ବର ୨୨ (ବୁଧବାର) ସୁଦ୍ଧା ଓଏନ୍‌ଜିସି ରିପୋର୍ଟ ଆଧାରରେ ସୀମା ସଡ଼କ ସଂଗଠନ (ବିଆରଓ) ରାସ୍ତାର ଆଲାଇନମେଣ୍ଟ ଚୂଡ଼ାନ୍ତ କରିବ। ସିଲ୍କିୟାରା ପ୍ରାନ୍ତରେ ଭର୍ଟିକାଲ୍ ଡ୍ରିଲିଂ କାମ ରେଳ ବିକାଶ ନିଗମ ଲିମିଟେଡ୍ (ଆର୍‌ଭିଏନ୍ଏଲ୍)କୁ ଦିଆଯାଇଛି। ରବିବାର ବିଆର୍‌ଓ ମୋଟ ୧୧୫୦ ମିଟର ରାସ୍ତା ମଧ୍ୟରୁ ଟନେଲକୁ ଯିବା ପାଇଁ ୯୭୦ ମିଟର ଆକ୍ସେସ୍ ରୋଡ୍ ସମ୍ପୂର୍ଣ୍ଣ କରିଛି। ଅବଶିଷ୍ଟ ଦୂରତା ସୋମବାର ସୁଦ୍ଧା ଅତିକ୍ରମ କରିବ ବୋଲି ଆଶା କରାଯାଉଛି।

ଆରଭିଏନ୍‌ଏଲ ପକ୍ଷରୁ ବିଦ୍ୟୁତ୍ ସଂଯୋଗ ପାଇଁ ଅନୁରୋଧ କରାଯାଇଛି, ଯାହା ଉପରେ ଜିଲ୍ଲା ପ୍ରଶାସନ ବିଚାର କରୁଛି। ନଭେମ୍ବର ୨୬ (ରବିବାର) ସୁଦ୍ଧା ଭର୍ଟିକାଲ ଡ୍ରିଲିଂ ଶେଷ ହେବାର ଯୋଜନା ରହିଛି। ଆରଭିଏନଏଲ ମଧ୍ୟ ନିର୍ଦ୍ଦିଷ୍ଟ ଉପକରଣ ବ୍ୟବହାର କରି ୧୭୦ ମିଟର ସୁଡ଼ଙ୍ଗ ନିର୍ମାଣ କରିବାକୁ ଯୋଜନା କରିଛି। ଏହି ଉପକରଣ ନଭେମ୍ବର ୨୧ (ମଙ୍ଗଳବାର) ସୁଦ୍ଧା ଘଟଣାସ୍ଥଳରେ ପହଞ୍ଚିବ। ନଭେମ୍ବର ୨୩ ସୁଦ୍ଧା ଏହି ବ୍ୟବସ୍ଥା ଶେଷ ହେବ ବୋଲି ଆଶା କରାଯାଉଛି। ସୂତ୍ରରୁ ପ୍ରକାଶ ଯେ ଟିଏଚ୍‌ଡିସି ଇଣ୍ଡିଆ ଲିମିଟେଡ୍‌କୁ ୪୮୩ ମିଟର ସୁଡ଼ଙ୍ଗ ନିର୍ମାଣ ଦାୟିତ୍ୱ ଦିଆଯାଇଛି। ସୋମବାରଠାରୁ ଏହି ଟନେଲ ବୋରିଂ ଆରମ୍ଭ ହୋଇଛି। ଜାତୀୟ ରାଜପଥ ଓ ଭିତ୍ତିଭୂମି ଉନ୍ନୟନ ନିଗମ ଲିମିଟେଡ୍ (ଏନ୍ଏଚ୍ଆଇଡିସିଏଲ୍)ର ଦାୟିତ୍ବ ସୁଡ଼ଙ୍ଗକୁ ସୁଦୃଢ଼ କରିବା ସହ ପଳାୟନ ପଥ ନିର୍ମାଣ କରିବା। ଜରୁରିକାଳୀନ ସେବା ପାଇଁ ଆବର୍ଜନା ଭିତରେ ୧୫୦ ମିଲିମିଟର ଇସ୍ପାତ ପାଇପ୍ ସ୍ଥାପନ କରାଯାଉଛି। ନ୍ୟାସନାଲ ହାଇଡ୍ରୋଇଲେକ୍ଟ୍ରିକ୍ ପାୱାର କର୍ପୋରେସନ (ଏନଏଚପିସି) ଏବଂ ସତଲୁଜ ଜଳ ବିଦ୍ୟୁତ୍ ନିଗମ ଲିମିଟେଡ (ଏସଜେଭିଏନଏଲ)କୁ ସିଲ୍କିୟାରା ମୁଣ୍ଡରେ ୧-୧.୨ ମିଟର ବ୍ୟାସ ବିଶିଷ୍ଟ ବୋରହୋଲ ଖୋଳିବା ପାଇଁ ଦାୟିତ୍ୱ ଦିଆଯାଇଛି। ଅଗ୍ରଗତି ଉପରେ ନଜର ରଖିବା ପାଇଁ ଭାରତୀୟ ସେନା ଘଟଣାସ୍ଥଳରେ ରହିଛି। ସୁଡ଼ଙ୍ଗ ସ୍ଥଳରେ ଏକ ଡ୍ରୋନ୍ ପହଞ୍ଚିଛି, ଯାହା ଆକାଶମାର୍ଗରୁ ତଦାରଖ କରିବାରେ ସହାୟକ ହେବ।

ଉତ୍ତରାଖଣ୍ଡ ସରକାର ବିଭିନ୍ନ କେନ୍ଦ୍ରୀୟ ଏଜେନ୍ସି ସହ ସମନ୍ୱୟ ରକ୍ଷା ପାଇଁ ନୋଡାଲ ଅଫିସର ଭାବେ ନିଯୁକ୍ତ କରିଥିବା ଆଇଏଏସ୍ ଅଧିକାରୀ ନୀରଜ ଖଇରୱାଲ ଆଜି ସିଲ୍କିୟାରା ଟନେଲରେ ପହଞ୍ଚିଛନ୍ତି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ)ର ରୋବୋଟିକ୍ସ ଟିମ୍ ସୁଡ଼ଙ୍ଗ ସ୍ଥଳରେ ପହଞ୍ଚିଛନ୍ତି। ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଡିକ୍ସ କହିଛନ୍ତି ଯେ, ଏହା ବହୁତ ସକାରାତ୍ମକ ଦେଖାଯାଉଛି କାରଣ ଆମ ସହିତ ହିମାଳୟ ଭୂବିଜ୍ଞାନର ଶ୍ରେଷ୍ଠ ବିଶେଷଜ୍ଞ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହ ଫୋନ୍ ଯୋଗେ ଚାଲିଥିବା ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ବିଷୟରେ କଥା ହୋଇଛନ୍ତି। କେନ୍ଦ୍ର ଓ ରାଜ୍ୟ ଏଜେନ୍ସି ମଧ୍ୟରେ ପାରସ୍ପରିକ ସମନ୍ୱୟ ରକ୍ଷା କରି ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Spread the love