ବିଜେପିରେ ସାମିଲ ହେଲେ ପ୍ରଦେଶ ମହିଳା ଅଧ୍ୟକ୍ଷା ସରିତା ଆର୍ଯ୍ୟ

ଡେହେରାଡୁନ୍, ୧୭/୦୧: ଉତ୍ତର ପ୍ରଦେଶ ପରେ ଉତ୍ତରଖଣ୍ଡରେ ଆରମ୍ଭ ହୋଇଛି ଦଳ ଡିଆଁ । ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ବଡ ଝଟକା । ବିଜେପିରେ ସାମିଲ ହୋଇଛନ୍ତି ସରିତା ଆର୍ଯ୍ୟ । ଗୋଟିଏ ପଟେ ବିଜେପି ହରକ ସିଂଙ୍କୁ ଦଳରୁ ବହିଷ୍କାର କରିବା ପରେ ସେ କଂଗ୍ରେସରେ ସାମିଲ ହେବା କଥା କହୁଥିବା ବେଳେ ଅନ୍ୟପଟେ ରାଜ୍ୟ କଂଗ୍ରେସର ମହିଳା ଅଧ୍ୟକ୍ଷ ସରିତା ଆର୍ଯ୍ୟ ବିଜେପିରେ ସାମିଲ ହୋଇଛନ୍ତି। ସରିତା ବିଜେପିର ସଦସ୍ୟତା ଗ୍ରହଣ କରିବାର ଗୋଟିଏ ଘଣ୍ଟା ପୂର୍ବରୁ କଂଗ୍ରେସ ତାଙ୍କୁ ଦଳରୁ ବହିଷ୍କାର କରିଥିଲା। ରାଜ୍ୟର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଏବଂ ପ୍ରଦେଶ ଅଧ୍ୟକ୍ଷ ମଦନ କୌଶିକଙ୍କ ଉପସ୍ଥିତିରେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି ସରିତା। ଏହି ଅବସରରେ ସରିତା କହିଛନ୍ତି, ଯେଉଁଠାରେ ମୋତେ ସମ୍ମାନ ମିଳିବ ମୁଁ ସେଠାକୁ ଯିବି, ଏବଂ ବିଜେପିରେ ମୋତେ ସମ୍ମାନ ମିଳିଛି । ସରିତାଙ୍କ ବିଜେପିରେ ସାମିଲ ହେବା ଉପରେ ଦୀର୍ଘ ଦିନରୁ ଅନୁମାନ କରାଯାଉଥିଲା। ବିଜେପିରେ ଯୋଗଦାନ କରିବା ନେଇ ଖବର କଂଗ୍ରେସ ପାଖରେ ମଧ୍ୟ ଥିଲା । ସରିତା ଦଳ ଛାଡିପାରନ୍ତି ଜାଣି ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ ତାଙ୍କୁ ୬ ବର୍ଷ ଯାଏଁ ଦଳରୁ ନିଲମ୍ୱନ କରିଥିଲେ।  

Spread the love