କରୋନା କାଳରେ ନେଇଥିବା ଫିସ୍‌ର ୧୫% ଅର୍ଥ ଫେରସ୍ତ କରିବେ ସ୍କୁଲ

ଉତ୍ତର ପ୍ରଦେଶର କୋଟି କୋଟି ଅଭିଭାବକଙ୍କ ପାଇଁ ବଡ଼ ଖୁସିର ଖବର। କାରଣ, ରାଜ୍ୟର ଯୋଗୀ ସରକାର କରୋନା କାଳରେ ସ୍କୁଲଗୁଡ଼ିକ ଆଦାୟ କରିଥିବା ଫିସ୍‌ର ୧୫ ପ୍ରତିଶତ ଅର୍ଥ ଫେରାଇବାକୁ କିମ୍ବା ତାହାକୁ ଆଗାମୀ ଫିସ୍‌ରେ ଆଡ୍‌ଜଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସ୍ୱତନ୍ତ୍ର ସଚିବଙ୍କ ତରଫରୁ ସମସ୍ତ ଜିଲ୍ଲାର ଡିଏମ୍‌ ଏବଂ ଜିଲ୍ଲା ବିଦ୍ୟାଳୟ ନିରୀକ୍ଷକଙ୍କୁ ଆଦେଶ ଜାରି କରାଯାଇଛି।

ସମସ୍ତ ବୋର୍ଡର ସ୍କୁଲଙ୍କୁ ୨୦୨୦-୨୧ ସେସନରେ ନିଆଯାଇଥିବା ଫିସ୍‌ର ୧୫ ପ୍ରତିଶତ ଅର୍ଥ ଫେରାଇବାକୁ ପଡ଼ିବ, ନଚେତ୍‌ ତାହାକୁ ଆଗାମୀ ଫିସ୍‌ରେ ଆଡ୍‌ଜଷ୍ଟ କରିବାକୁ ପଡ଼ିବ।  ଆଦେଶରେ କୁହାଯାଇଛି ଯେ ଯେଉଁ ଛାତ୍ରଛାତ୍ରୀମାନେ ସ୍କୁଲ ଛାଡ଼ି ସାରିଛନ୍ତି, ସେମାନଙ୍କୁ ୧୫ ପ୍ରତିଶତ ଫିସ୍‌ ଫେରାଇବାକୁ ହେବ। ଅନ୍ୟପଟେ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କର ଫିସ୍‌କୁ ଆଗାମୀ ଫିସ୍‌ରେ ଆଡ୍‌ଜଷ୍ଟ କରିବାକୁ ପଡ଼ିବ।

ସୂଚନାଥାଉ କି, କରୋନା କାଳରେ ଫିସ୍‌ ନେବାକୁ ନେଇ ଆହ୍ଲାବାଦ ହାଇକୋର୍ଟରେ ପିଟିସନ ଦାୟର ହୋଇଥିଲା, ଯାହା ଉପରେ ୬ ଫେବୃୟାରୀ ୨୦୨୩ରେ କୋର୍ଟଙ୍କ ନିଷ୍ପତ୍ତି ଆସିଥିଲା। କୋର୍ଟ ସରକାରଙ୍କୁ ୧୫ ପ୍ରତିଶତ ଫିସ୍‌ ଫେରସ୍ତ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଅନୁପାଳନ କରି ସମସ୍ତ ଜିଲ୍ଲାର ଜିଲ୍ଲା ଅଧିକାରୀମାନଙ୍କୁ ଆଦେଶ ଜାରି କରାଯାଇଛି। ଏଥିସହିତ କୁହାଯାଇଛି ଯେ ଯେଉଁ ସ୍କୁଲ କର୍ତ୍ତୃପକ୍ଷ ଫିସ୍‌ ଆଡ୍‌ଜଷ୍ଟ କିମ୍ବା ଫେରସ୍ତ କରିବାକୁ ମନା କରନ୍ତି, ତାଙ୍କ ବିରୋଧରେ ଅଭିଭାବକମାନଙ୍କ ଅଭିଯୋଗ ଆଧାରରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ୨୦୨୦-୨୧ରେ କରୋନା ଯୋଗୁ ଦେଶରେ ଲକ୍‌ଡାଉନ ଲାଗିଥିଲା। ଏହି ସମୟରେ ସମସ୍ତ ସ୍କୁଲ ବନ୍ଦ ରହିଥିଲା ଏବଂ ଅନଲାଇନ ପାଠପଢ଼ା ଚାଲିଥିଲା। ଏହା ପରେ ବି ସ୍କୁଲଗୁଡ଼ିକ ସମ୍ପୂର୍ଣ୍ଣ ଫିସ୍‌ ଆଦାୟ କରୁଥିଲେ, ଯାହା ବିରୋଧରେ ଅଭିଭାବକମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Spread the love