ବନ୍ଦେ ଭାରତ ଟ୍ରେନ୍‌ରେ ପୁରୀରୁ ହାୱଡ଼ା ଯାତ୍ରା କରୁଛନ୍ତି କି? ଜାଣନ୍ତୁ ଭୋଜନରେ ପାଇବେ କେଉଁକେଉଁ ଖାଦ୍ୟ

ଭୁବନେଶ୍ବର: ଭାରତୀୟ ରେଳବାଇର ଦ୍ରୁତଗାମୀ ଟ୍ରେନ୍‌ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଶନିବାର (୨୦୨୩ ମେ’ ୨୦) ଠାରୁ ନିୟମିତ ଭାବେ ହାୱଡ଼ା-ପୁରୀ ମଧ୍ୟରେ ଚଳାଚଳ କରିବ। ଏହି ଟ୍ରେନ୍‌ରେ ଯାତ୍ରୀଙ୍କ ଭଡ଼ାକୁ ନେଇ ସାମାଜିକ ଗଣମାଧ୍ୟମରେ କେତେ ରକମର ପ୍ରତିକ୍ରିୟା ଆସୁଛି। ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହୁଥିବା ୟୁଜର୍ସ କହୁଛନ୍ତି, ଏହା ଗରିବ ଲୋକଙ୍କର ଟ୍ରେନ୍‌ ନୁହେଁ। ଅନ୍ୟ ଟ୍ରେନ୍‌ ତୁଳନାରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଯାତ୍ରୀ ଭଡ଼ା ବେଶୀ ରହୁଛି ବୋଲି କହୁଛନ୍ତି। ହାଓଡା-ପୁରୀ ମଧ୍ୟରେ ଚେୟାର କାର୍‌ ଟିକଟ ୧୨୬୫ ଟଙ୍କା ଓ ଏକ୍‌ଜେକ୍ୟୁଟିଭ୍‌ ଚେୟାର ଟିକଟ ୨୪୨୦ ଟଙ୍କା ରହିଛି; କିନ୍ତୁ ପୁରୀ-ହାଓଡ଼ା ମଧ୍ୟରେ ସେଇ ସମାନ ଗାଡ଼ିରେ ଚେୟାର କାର ଟିକଟ ୧୪୩୦ ଟଙ୍କା ଓ ଏକ୍‌ଜେକ୍ୟୁଟିଭ୍‌ ଚେୟାର ଟିକଟ ଦର ୨୬୧୫ ଟଙ୍କା ରହିଛି।

ଉପରୋକ୍ତ ଟ୍ରେନ୍‌ ଭଡ଼ାରେ ଭୋଜନର ମୂଲ୍ୟକୁ ମଧ୍ୟ ଯୋଡ଼ାଯାଇଛି। ଜଣେ ଯାତ୍ରୀ ଯଦି ଭୋଜନ ଚାହିଁବେ ନାହିଁ, ତାହେଲେ ଟିକେଟ ଦର କମ୍‌ ହୋଇଯିବ। ହାୱଡ଼ାରୁ ପୁରୀ ଚେୟାର କାର୍‌ରେ ଯାଉଥିବା ଯାତ୍ରୀଙ୍କ ଟିକେଟରେ ଚା’, ଜଳଖିଆ ଓ ଭୋଜନ ପାଇଁ ୧୬୨ ଟଙ୍କା ଓ ଏକ୍‌ଜେକ୍ୟୁଟିଭ୍‌ ଚେୟାରରେ ଯାତ୍ରା ପାଇଁ ୧୯୫ ଟଙ୍କା ଯୋଡ଼ା ଯାଇଛି। ଅପରପକ୍ଷେ ପୁରୀରୁ ହାୱଡ଼ା ଚେୟାର କାର୍‌ରେ ଯାଉଥିବା ଯାତ୍ରୀଙ୍କ ଟିକେଟରେ ଚା’, ଜଳଖିଆ ଓ ଭୋଜନ ପାଇଁ ୩୨୮ ଟଙ୍କା ଓ ଏକ୍‌ଜେକ୍ୟୁଟିଭ୍‌ ଚେୟାରରେ ଯାତ୍ରା ପାଇଁ ୩୮୯ ଟଙ୍କା ଆଦାୟ କରାଯାଉଛି।

ରେଳବାଇର ସୂତ୍ର ଅନୁସାରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଯାତ୍ରୀଙ୍କୁ ମାଟି ପାତ୍ରରେ ଚା’ ମିଳିବ। ଜଳଖିଆରେ ଏକ ସିଙ୍ଗଡ଼ା, ମିଠା, ଜେଲି, ସାଣ୍ଡୱିଚ୍‌, ମୁଗ ପ୍ୟାକେଟ୍‌ ଓ ଚକୋ-ବିସ୍କୁଟ୍‌ ମିଳିବ। ସେହିପରି, ମଧ୍ୟାହ୍ନ ଭୋଜନରେ ଭାତ, ରୁଟି, ଡାଲି, ଆଚାର, ସନ୍ତୁଳା, ମିକ୍ସ ଭଜା ଆଦି ମିଳିବ।

ରେଳବାଇ ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଟ୍ରେନ୍‌ ନମ୍ବର ୨୨୮୯୫ (ହାଓଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍‌) ହାୱଡ଼ା ଠାରୁ ସକାଳ ୬ଟା ୧୦ରୁ ବାହାରି ପୁରୀରେ ମଧ୍ୟାହ୍ନ ୧୨ଟା ୩୫ରେ ପହଞ୍ଚିବ। ଏହି ଯାତ୍ରା ସମୟରେ ଖଡ଼ଗପୁରରେ ୭ଟା ୪୦, ବାଲେଶ୍ବରରେ ୯ଟା ୩, ଭଦ୍ରକରେ ୯ଟା ୪୦, ଯାଜପୁର-କେନ୍ଦୁଝରରୋଡରେ ୧୦ଟା ୭, କଟକରେ ୧୦ଟା ୫୦, ଭୁବନେଶ୍ବରରେ ୧୧ଟା ୨୦ ଓ ଖୋର୍ଦ୍ଧାରୋଡରେ ୧୧ଟା ୪୨ ମିନିଟରେ ପହଞ୍ଚିବ।

ସେହିପରି ଟ୍ରେନ୍‌ ନମ୍ବର ୨୨୮୯୬ (ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌) ୫୦୨ କିଲୋମିଟର ଗତି କରିବା ପାଇଁ ପୁରୀରୁ ଅପରାହ୍‌ଣ ୧ଟା ୫୦ରେ ଯାତ୍ରା ଆରମ୍ଭ କରିବ। ଖୋର୍ଦ୍ଧାରୋଡରେ ୨ଟା ୨୩, ଭୁବନେଶ୍ବରରେ ୨ଟା ୪୫, ଯାଜପୁର-‌କେନ୍ଦୁଝରରୋଡରେ ୪ଟା ୩, ଭଦ୍ରକରେ ୪ଟା ୩୩, ବାଲେଶ୍ବରରେ ୫ଟା ୧୩ ଓ ଖଡ଼ଗପୁରରେ ୬ଟା ୪୨ରେ ପହଞ୍ଚିବ। ଉଭୟ ଅପ୍‌ ଓ ଡାଉନ୍‌ ଟ୍ରେନ୍‌ ଭୁବନେଶ୍ବର ଷ୍ଟେସନରେ ୪ ମିନିଟ ଓ ଅନ୍ୟ ଷ୍ଟେସନଗୁଡ଼ିକରେ ୨ ମିନିଟ ଲେଖାଏଁ ଅଟକିବ।

Spread the love