ମୁଁ ପୀଡ଼ିତା, ମୋ ନାମରେ ମିଥ୍ୟା ଅପପ୍ରଚାର କରାଗଲା: ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର: ନିଜର ଦାମ୍ପତ୍ୟ ଜୀବନର କଳହକୁ ନେଇ ନିରବ ରହୁଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଆଜି ମୁହଁ ଖୋଲିଛନ୍ତି | ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବର୍ଷା କହିଛନ୍ତି ଯେ,’ମୋ ଜୀବନରେ ଝଡ ଆସିଛି। ମୁଁ ପୀଡ଼ିତା।’

ଭୁବନେଶ୍ବରର ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ବସନ୍ତ ଉତ୍ସବ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି ଯେ ଏ ଜୀବନ ଅନିଶ୍ଚିତ | ଜୀବନରେ କେତେବେଳେ କ’ଣ ଘଟିବ କେହି ଜାଣି ନଥାନ୍ତି। ମୁଁ ଲାଜୁଆ, ଡରୁଆ ପ୍ରକୃତିର ଝିଅ। ମୋ ଜୀବନରେ ଝଡ ଆସିଲା, ଯାହା ଆଶା କରିନଥିଲି ସେୟା ହେଲା। ଜୀବନ ମତେ ବହୁତ୍ ଥର ତଳେ ପକେଇବାକୁ ଚେଷ୍ଟା କରିଛି, ମୁଁ  କିନ୍ତୁ ପୁଣି ଥରେ ଛିଡା ହୋଇଛି। ମୋ ପରିବାର ମତେ ଆତ୍ମ ବିଶ୍ବାସ ଯୋଗାଇଛଇ । ଆଉ ସବୁଠୁ ବଡ ଶକ୍ତି ହେଲା ଧୈର୍ଯ୍ୟ।

ଲୋକ କହନ୍ତି ମୁଁ କାହିଁକି ସୋସିଆଲ ମିଡ଼ିଆରେ ମତ ରଖୁନି। ତା’ ପରେ ନିଷ୍ପତ୍ତି ନେଲି। ସାମାଜିକ କାର୍ଯ୍ୟକ୍ରମର ଫଟୋ ସୋସିଆଲ ମିଡିଆରେ ସେୟାର କଲେ ବହୁତ୍ କମେଣ୍ଟ ଆସୁଛି ଯେ ଟିକେଟ ପାଇଁ ଏସବୁ କରୁଛି, ରାଜନୀତିକୁ ଯିବା ପାଇଁ କରୁଛି, ଦେଖେଇ ହେଉଛି। ଧିରେ ଧିରେ ଏପରି ମନ୍ତବ୍ୟ ବଢିବା ମତେ କଷ୍ଟ ଦେଲା। ଯେଉଁମାନେ ଜୀବନରେ କେବଳ ହତାଶ ହୋଇ ଅନ୍ୟର ଗୋଡ ଟାଣନ୍ତି ସେମାନେ ସଫଳ ବୋଲି ବାପା-ମା ମତେ ବୁଝାଇଥିଲେ। ଛୋଟବେଳୁ ମୁଁ ମୋ ପାରିଶ୍ରମିକ ସାମାଜିକ କାମରେ ଲଗାଇ ଥାଏ। ତା’ମାନେ କଣ ମୁଁ ଛୋଟ ବେଳୁ ରାଜନୀତିକୁ ଯିବାକୁ ଚାହୁଁଥିଲି?

ମୁଁ ପୀଡ଼ିତା। ମୋ ନାମରେ ମିଥ୍ୟା ଅପପ୍ରଚାର କରାଗଲା। ଏଗୁଡ଼ା ମୂଲ୍ୟହୀନ କଥା ଥିବାରୁ ମୁଁ ପ୍ରତିକ୍ରିୟା ରଖିନି ବୋଲି କହିବା ସହ ସୋସିଆଲ ମିଡ଼ିଆର ନକାରାତ୍ମକ ପ୍ରଚାରରୁ ଦୂରେଇ ରହିବାକୁ ଓ ଚୁପ୍ ହୋଇ ବସି ନରହି ଅନ୍ୟାୟ ବିରୁଦ୍ଧରେ ସ୍ବର ଉଠାଇବା ଦରକାର ବୋଲି ସେ ରମାଦେବୀ ବିଶ୍ବବିଦ୍ୟାଳୟର ଛାତ୍ରୀମାନଙ୍କୁ କହିଥିଲେ।

Spread the love