ରାଜ୍ୟ ସରକାରଙ୍କୁ ଭୁଆଁ ବୁଲାଉଛି ବେଦାନ୍ତ

ଝାରସୁଗୁଡ଼ା: ବେଦାନ୍ତ ଆଲୁମିନିୟମ୍‌ କମ୍ପାନି ସରକାରଙ୍କ ରାଜକୋଷ ସହ ଖେଳୁଥିବା ସ୍ପଷ୍ଟ ହୋଇଛି। ୟା ଭିତରେ ବେଦାନ୍ତର ମୂଳ କମ୍ପାନି ଅର୍ଥାତ୍‌ ଷ୍ଟେରଲାଇଟ୍‌ ଇଣ୍ଡଷ୍ଟ୍ରିଜ (ଇଣ୍ଡିଆ) ଲିମିଟେଡ୍‌ର ପ୍ରକଳ୍ପ ରିପୋର୍ଟ ହସ୍ତଗତ ହୋଇଛି। ବେଦାନ୍ତ ତଞ୍ଚକତ‌ା କରି ସରକାରଙ୍କୁ ବର୍ତ୍ତମାନର ପ୍ରକଳ୍ପ ମୂଲ୍ୟର ୧ ପ୍ରତିଶତ ତ ଦୂରର କଥା ମୂଳ ପ୍ରକଳ୍ପର ୧ ପ୍ରତିଶତ ବି ପ୍ରଦାନ କରିନାହିଁ ତାହା ସାମ୍ନାକୁ ଆସିଛି। କମ୍ପାନି ସରକାରଙ୍କୁ ଭୁଆଁ ବୁଲେଇ ଟିକସ ଫାଙ୍କିବାରେ ସଫଳ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତନାଘନା ଆରମ୍ଭ ହୋଇଛି।

ହସ୍ତଗତ ହୋଇଥିବା ମୂଳ ପ୍ରକଳ୍ପ ରିପୋର୍ଟ ଅନୁସାରେ, ରୁଗ୍‌ଣ ମାଡ୍ରାସ ଆଲୁମିନିୟମ୍‌ କମ୍ପାନିକୁ ହାତକୁ ନେଇ ଷ୍ଟେରଲାଇଟ୍‌ ଇଣ୍ଡଷ୍ଟ୍ରିଜ୍‌ ମହାରାଷ୍ଟ୍ରରୁ ବ୍ୟବସାୟ ଆରମ୍ଭ କରିଥିଲା। ୨୦୦୬ରେ କମ୍ପାନି ଓଡ଼ିଶାର ଝାରସୁଗୁଡ଼ାରେ ବୃହତ୍‌ ଆଲୁମିନିୟମ୍‌ କମ୍ପାନି ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେବା ପରେ ଏହି ମୁଖବନ୍ଧ ରିପୋର୍ଟ ସରକାରଙ୍କ ନିକଟରେ ଦାଖଲ କରିଥିଲା। ଯେଉଁଥିରେ ଝାରସୁଗୁଡ଼ା ଜିଲ୍ଲାରେ କୋଇଲାଭିତ୍ତିକ ୬ଟି ୧୨୦ ମେଗାୱାଟ୍‌ ବିଶିଷ୍ଟ ତାପଜ ବିଦ୍ୟୁତ୍‌ କେନ୍ଦ୍ର ଓ ୨ ଲକ୍ଷ ୧୮ ହଜାର ଟନ୍‌ ବାର୍ଷିକ ଉତ୍ପାଦନକ୍ଷମ ଆଲୁମିନିୟମ୍‌ ସ୍ମେଲଟର୍‌ ପ୍ଲାଣ୍ଟ ପ୍ରତିଷ୍ଠା କରିବ ବୋଲି ଦର୍ଶାଇଥିଲା। ତାପଜ ବିଦ୍ୟୁତ୍‌ କେନ୍ଦ୍ର ଓ ସ୍ମେଲଟର୍‌ ପ୍ଲାଣ୍ଟ ପାଇଁ ୬ ହଜାର କୋଟି ଟଙ୍କା ଓ ଆଲୁମିନିୟମ୍‌ ବିଶୋଧନାଗାର ପାଇଁ ୨ ହଜାର ୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କମ୍ପାନି ସେତେବେଳେ ରିପୋର୍ଟରେ ଉଲ୍ଲେଖ କରିଥିଲା। ପରେ ଷ୍ଟେରଲାଇଟ୍‌ ଇଣ୍ଡଷ୍ଟ୍ରିଜ୍‌ର ନାମ ପରିବର୍ତ୍ତନ ହୋଇ ବେଦାନ୍ତ ହେବା ସହ କମ୍ପାନିର ସମ୍ପ୍ରସାରଣ ବି ହୋଇଛି।

୧୨୦ ମେଗାୱାଟ୍‌ ବିଶିଷ୍ଟ ତାପଜ ବିଦ୍ୟୁତ୍‌ କେନ୍ଦ୍ର ସମ୍ପ୍ରସା‌ରିତ ହୋଇ ୨୪୦୦ ମେଗାୱାଟ୍‌ରେ ପହଞ୍ଚିଛି। ସେହିଭଳି ସ୍ମେଲଟର ପ୍ଲାଣ୍ଟର କ୍ଷମତା ପ୍ରାୟ ୯ଗୁଣା ବୃଦ୍ଧି ପାଇ ୧୮ ଲକ୍ଷ ଟନ୍‌ ବାର୍ଷିକ ଉତ୍ପାଦନରେ ପହଞ୍ଚିଥିବା ନେଇ ଖୋଦ୍‌ ବେଦାନ୍ତ ପକ୍ଷରୁ ବିଭିନ୍ନ ପ୍ରେସ୍‌ ବିବୃତିରେ ସୂଚନା ପ୍ରଦାନ କରାଯାଉଛି। ମୂଳ ପ୍ରକଳ୍ପର ମୂଲ୍ୟକୁ ଆଧାରକୁ ନେଲେ ୮୫୦୦ କୋଟିର ୧ ପ୍ରତିଶତ ଅର୍ଥାତ୍‌ ୮୫ କୋଟି ଟଙ୍କା କମ୍ପାନି ସରକାରଙ୍କୁ ଲେବର ସେସ୍‌ ବାବଦକୁ ପ୍ରଦାନ କରିବା କଥା। ମୂଳ ରିପୋର୍ଟଠାରୁ କମ୍ପାନି ବର୍ତ୍ତମାନ ସୁଦ୍ଧା ଅନ୍ୟୁନ ୧୦ ଗୁଣା ସମ୍ପ୍ରସାରିତ ହୋଇସାରିଛି। ମୋଟ ଉପରେ କଂପାନି ତାପଜ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର, ସ୍ମେଲଟର୍‌ ପ୍ଲାଣ୍ଟ, ଆସ୍‌ପଣ୍ଡ ଓ ଟାଉନ୍‌ସିପ୍‌ ନିର୍ମାଣ କରିଛି। ଯାହାର ମୋଟ୍‌ ମୂଲ୍ୟ ପ୍ରାୟ ୯୦ ହଜାର କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି। ମାତ୍ର ବେଦାନ୍ତ ୯୦ ହଜାର କୋଟିର ୧ ପ୍ରତିଶତ ଦୂରର କଥା ମୂଳ ପ୍ରକଳ୍ପ ରିପୋର୍ଟର ୧ ପ୍ରତିଶତ ଟଙ୍କା ବି ସରକାରଙ୍କ ରାଜକୋଷକୁ ପ୍ରଦାନ କରିନି। ବରଂ ଏକାଧିକ ଥର ତଞ୍ଚକତା କରି ୩ଟି ପର୍ଯ୍ୟାୟରେ ମାତ୍ର ୬ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ଧରାଇ ଭୁଆଁ ବୁଲେଇ ଦେଇଛି।

କେବଳ ସେତିକି ନୁହେଁ ବରଂ ଏହି ଲେବର ସେସ୍‌ ମାମଲାରେ ବେଦାନ୍ତ ହାଇକୋର୍ଟରେ ପରାସ୍ତ ହେବା ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ୨୦୧୬ ଅକ୍ଟୋବର ୧୮ରେ ସୁପ୍ରିମକୋର୍ଟରେ ଜଷ୍ଟିସ୍‌ ଏକେ ସିକ୍ରିଙ୍କ ଖଣ୍ଡପୀଠ ମଧ୍ୟ ଏହି ଲେବର ସେସ୍‌ ପ୍ରଦାନ କରିବାକୁ ବେଦାନ୍ତକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର କମ୍ପାନି ସେହି ସମୟରେ ରାଜନୈତିକ ଚାପ ଓ ଜିଲ୍ଲା ପ୍ରଶାସନର କିଛି ଅଧିକାରୀଙ୍କୁ ହାତ କରି ଏହି ଟିକସ ଫାଙ୍କିବାର ୨ ବର୍ଷ ପରେ ୬ କୋଟି ଟଙ୍କା ଜମା କରିଥିଲା। ଏ ସଂପର୍କରେ ବେଦାନ୍ତ ପିଆର୍‌ ମୁଖ୍ୟ ଅଶ୍ବିନୀ ଚାନ୍ଦଙ୍କୁ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିଲେ ହେଁ ସେ କୌଣସି ଉତ୍ତର ଦେଇନଥିଲେ।

Spread the love