ଅକ୍ଟୋବର ୨୦ରେ ଭୁବନେଶ୍ବର ବନ୍ଦ ହେବନି ପରିବା ବ୍ୟବସାୟ; ମହାସଂଘର ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର: ଆସନ୍ତା ୨୦ ତାରିଖରେ ‌ଭୁବନେଶ୍ବରରେ ପରିବା ବ୍ୟବସାୟ ବନ୍ଦ ରଖିବାକୁ ଦେଇଥିବା ଚେତାବନୀରୁ ଓହରି ଯାଇଛି କଞ୍ଚା ପରିବା ବ୍ୟବସାୟୀ ମହାସଂଘ। ଆଜି ରାତିରେ ମହାସଂଘର କର୍ମକର୍ତ୍ତାମାନେ ଭୁ‌ବନେଶ୍ବର ମହାନଗର ନିଗମ (ବିଏମ୍‌ସି) ଅଧିକାରୀଙ୍କ ସହିତ ଆଲୋଚନା ପରେ ଦାବି ପୂରଣ ହେବାର ପ୍ରତିଶ୍ରୁତି ମିଳିଛି। ଏଣୁ ପୂର୍ବ ଆନ୍ଦୋଳନ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଥିବା ସୂଚନା ଦେଇଛନ୍ତି କଞ୍ଚା ପରିବା ମହାସଂଘ ସଭାପତି କବିରାଜ ସ୍ବାଇଁ। ସେ କହିଛନ୍ତି, ବିଧାୟକ ଅନନ୍ତ ନାରାୟଣ ଜେନା, ବିଏମ୍‌ସି ଡେପୁଟି କମିସନର (ମାର୍କେଟ) ଅଶୋକ କୁମାର ଲେଙ୍କା, ଜେଡଡିସି (ଦକ୍ଷିଣ-ପୂର୍ବ) ରାଜଲକ୍ଷ୍ମୀ ନାୟକ, ଏସିପି ମାନସରଂଜନ ଗଡ଼ନାୟକ, କ୍ୟାପିଟାଲ ଥାନା ଆଇଆଇସି ପଦ୍ମନାଭ ପ୍ରଧାନ ପ୍ରମୁଖଙ୍କ ସହ ମହାସଂଘର ଆଲୋଚନା ହୋଇଥିଲା। ମହାସଂଘ କରିଥିବା ସମସ୍ତ ଦାବି ଲକ୍ଷ୍ମୀ ପୂଜା ପୂର୍ବରୁ ପୂରଣ ହେବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଛନ୍ତି। ଖୁବ ଶୀଘ୍ର ବିଏମ୍‌ସି କମିସନର ମଧ୍ୟ ଏନେଇ ଆଲୋଚନା କରିବେ ଓ ଲିଖିତ ପ୍ରତିଶ୍ରୁତି ଦେବ ବୋଲି ସେ କହିଛନ୍ତି। ବୈଠକରେ ମହାସଂଘର କାର୍ଯ୍ୟକାରୀ ସଭାପତି ହୃଷୀକେଶ ଓଝା ମଧ୍ୟ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଯେ, ୪୦ ନଂ ୱାର୍ଡ କର୍ପୋରେଟରଙ୍କ ସ୍ବାମୀ ପୂଜା ମଣ୍ଡପ ନାମରେ ସ୍ବୀକୃତି ଆଣି ରାସ୍ତା ଜବରଦଖଲ କରିଥିବା ଅଭିଯୋଗ ହୋଇଥିଲା। ଯାହା ଫଳରେ  ପରିବା ଗାଡ଼ିଗୁଡ଼ିକ ବଜାର ଭିତରକୁ ଆସିପାରୁ ନଥିଲା। ତା ସହିତ ଏହି ରାସ୍ତାରେ ଅସ୍ଥାୟୀ ଶୀତବସ୍ତ୍ର, ପ୍ଲାଷ୍ଟିକ୍‌ ବଜାର ଓ ଅନ୍ୟାନ୍ୟ ବ୍ୟବସାୟ ହେଉଥିବାରୁ ହାଟର ଭିତରେ ଥିବା ବ୍ୟବସାୟୀମାନେ କ୍ଷତିଗ୍ରସ୍ତ ହେଉଥିଲେ। ଭଗବାନପୁରକୁ ହୋଲ୍‌ସେଲ୍‌ ମାର୍କେଟ୍‌କୁ ଉଠାଇ ନିଆଯିବାକୁ ଯେଉଁ ଯୋଜନା ହୋଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ସମ୍ଭବ ହେଉନାହିଁ। ଏଭଳି ଅନେକ ଅଭିଯୋଗ କରି ମହାସଂଘ ଆସନ୍ତା ୨୦ ତାରିଖରେ ପରିବା ବ୍ୟବସାୟ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲା।

Spread the love