ହାଣ୍ଡିଶାଳରେ ମହଙ୍ଗା ମାଡ଼: ପରିବାରେ ହାତ ମାରି ହେଉନି
ଭୁବନେଶ୍ଵର ୧୭।୧୧: ହାଣ୍ଡିଶାଳରେ ମହଙ୍ଗା ମାଡ଼ । ରନ୍ଧନ ଗ୍ୟାସ ଦର ଆକାଶଛୁଆଁ, ପରିବାରେ ହାତ ମାରି ହେଉନି । ସହଜେ ତ କାର୍ତ୍ତିକ ମାସ ଚାଲିଛି । ପଞ୍ଚୁକ ବି ଆରମ୍ଭ ହୋଇଯାଇଛି । ହାଟକୁ ଗଲେ ୫୦ ତଳକୁ ପରିବା ପାଇବେନି ଆପଣ। । ସେପଟେ ଗ୍ୟାସ ସିଲିଣ୍ଡର ଦର ବି କନ୍ଦାଉଛି । ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି । ଆସନ୍ତା ୨୨ରୁ ୩ଦିନ ଧରି ଆନ୍ଦୋଳନ କରିବ ।
ଘରର ବଜେଟ୍ ବିଗାଡିଦେଲାଣି ଗ୍ୟାସର ଦର । ରନ୍ଧନ ଗ୍ୟାସ ଦର ବୃଦ୍ଧି ବିରୋଧରେ ପ୍ରତିବାଦ କରିବାକୁ ଘୋଷଣା କରିଛି ବିଜେଡି । ଆସନ୍ତା ୨୨ରୁ ୩ ଦିନ ଧରି ଆନ୍ଦୋଳନ କରିବ ବିଜେଡି । ୨୨ରେ କଟକ ଆରଡିସି, ୨୩ରେ ସମ୍ବଲପୁର ଆରଡିସି ଏବଂ ୨୪ରେ ବ୍ରହ୍ମପୁର ଆରଡିସି କାର୍ଯ୍ୟାଳୟ ଆଗରେ ବିଜୁ ମହିଳା, ଯୁବ ଏବଂ ଛାତ୍ର ଜନତା ଦଳ ବିକ୍ଷୋଭ କରିବ । ସାଢେ ୩ବର୍ଷ ଭିତରେ ୭୦ପ୍ରତିଶତ ଦର ବୃଦ୍ଧି ନେଇ ବିଜେଡି ଟାର୍ଗେଟ୍ କରିଛି କେନ୍ଦ୍ର ସରକାରକୁ । କେନ୍ଦ୍ରର ଉଜ୍ଜଳା ଯୋଜନା ବିଫଳ ହୋଇଥିବା ବିଜେଡି ସମାଲୋଚନା କରିଛି ।
କେବଳ ଗ୍ୟାସ ନୁହେଁ ପରିବା ଦର ବି ଚିନ୍ତା ବଢାଇଛି । ପଞ୍ଚୁକରେ ଘରେ ଆମିଷ ପଶୁନି ସେପଟେ ପରିବା ବଜାରରେ ଲାଗିଛି ନିଆଁ । ଅଧାରୁ ଅଧିକ ପରିବା ଦାମ ୭୦ଟଙ୍କା ଉପରେ । ରାଜଧାନୀ ୟୁନିଟ୍-୧ ମାର୍କେଟ୍ ଦର ସାମାନ୍ୟ କମ୍ । ହେଲେ ଗଳି କନ୍ଦିରେ ବସୁଥିବା ପରିବା ବେପାରୀ ଦର ଶୁଣିଲେ କାନ ମୁଣ୍ଡା ଭାଁ ଭାଁ ହେଇଯିବ । କିଲେ ନେବା ଜାଗାରେ ଅଢ଼େଇ ଶହ ନେଇ କାମ ଚଳାଉଛନ୍ତି ଖାଉଟି । ୫୦୦ ଟଙ୍କାର ପରିବା କିଣିଲେ ମଧ୍ୟ ବ୍ୟାଗ ଭର୍ତ୍ତି ହେଉନି । ବ୍ୟବସାୟୀଙ୍କ କହିବା କଥା ଲଗାଣ ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି ପରିବା ଫସଲ । ପରିବା ପାଇଁ ଆନ୍ଧ୍ର, ପଶ୍ଚିମବଂଗ, ତାମିଲନାଡ଼ୁ, କର୍ଣ୍ଣାଟକ, ମହାରାଷ୍ଟ୍ର ଉପରେ ନିର୍ଭର କରିବାକୁ ପଡ଼ୁଛି । ତେଣୁ ଆସନ୍ତା ୨ ସପ୍ତାହ ପରିବା ଦର ଚଢା ରହିବ ବୋଲି କହୁଛନ୍ତି ବ୍ୟବସାୟୀ ।
ପରିବା ଏବଂ ଗ୍ୟାସ ଦର ବୃଦ୍ଧି ସାଧାରଣ ଖଉଟିକୁ ନାକେଦମ କରିସାରିଲାଣି । ବେପାରୀଙ୍କ ଠାରୁ ଆରମ୍ଭ ସରକାର, ଯିଏ ଯାହାର ସଫେଇ ରଖୁଛନ୍ତି । ଏଣେ କିନ୍ତୁ ଖାଉଟି ଅପେକ୍ଷା କରିଛି କେବେ ତାଉପରୁ ବୋଝ ଖସିବ।