ପୋଷାକ ପିନ୍ଧିଲେ ଶୁଣିପାରିବେ ହୃଦୟର ସ୍ପନ୍ଦନ

ନୂଆଦିଲ୍ଲୀ:ବୈଜ୍ଞାନିକମାନେ ଏବେ ଏମିତି ପୋଷାକ ତିଆରି କରିବାରେ ସଫଳ ହୋଇଛନ୍ତି, ଯାହାଦ୍ବାରା ଆପଣ ସହଜରେ ହୃଦୟ ଓ ନିଃଶ୍ବାସ ପ୍ରଶ୍ବାସ ଉପରେ ନଜର ରଖିପାରିବେ।ଆଗରୁ ନିଜ ହୃଦସ୍ପନ୍ଦନ, ପଲ୍ସ ଆଦିର ସ୍ଥିତି ମାପିବା ପାଇଁ ସ୍ମାର୍ଟୱାଚ୍‌ର ବ୍ୟବହାର କରୁଥିଲେ।କିିନ୍ତୁ ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି(MIT) ଏବଂ ରୋଡ ଆଇଲ୍ୟାଣ୍ଡ୍ ସ୍କୁଲ୍ ଅଫ୍ ଡିଜାଇନ୍ (RISD)ର ବୈଜ୍ଞାନିକମାନେ ଏମିତି ଏକ ପୋଷାକ ତିଆରି କରିଛନ୍ତି, ଯାହା ସାହାଯ୍ୟରେ ଆମେ ଆମର ହୃଦୟର ସ୍ପନ୍ଦନ ଏବଂ ନିଃଶ୍ୱାସକୁ ସହଜରେ ଶୁଣିପାରିବା। ଏହା ବ୍ୟତୀତ ଆଖପାଖର ଧିର ଶବ୍ଦ ମଧ୍ୟ ଶୁଣିହେବ। ଏହି ପୋଷାକ ଉଭୟ ମାଇକ୍ରୋଫୋନ୍‌ ଓ ସ୍ପିକର ଭଳି କାମ କରିଥାଏ।

ଏହି ଅନୁସନ୍ଧାନ ଏକ ନେଚର୍‌ ଜର୍ନାଲରେ ପ୍ରକାଶିତ ହୋଇଛି। ଏମଆଇଟିର ମୁଖ୍ୟ ବୈଜ୍ଞାନିକ ୱେଇ ୟାନ୍‌ କହିଛନ୍ତି, ‘‘ଏହି ପୋଷାକ ମଣିଷ ଚର୍ମ ସହ ସ୍ପଷ୍ଟ ଭାବେ ଜୋଡ଼ି ହୋଇ ରହିଥାଏ, ଏହାକୁ ପିନ୍ଧିବା ବ୍ୟକ୍ତି ନିଜ ହୃଦୟ ଓ ଶ୍ବାସକ୍ରିୟାର ସ୍ଥିତି ଉପରେ ନଜର ରଖିପାରିବେ।’’ ସେ ଆହୁରି କହିଛନ୍ତି, ‘‘ଆମେ ଏହାକୁ ଆହୁରି ଉନ୍ନତ କରିବାକୁ ଚେଷ୍ଟା କରୁଛୁ, ଯାହା ଦ୍ବାରା ଏହା ମହାକାଶ ଯାନ ଓ ବିଲ୍ଡିଂ ଫାଟଗୁଡ଼ିକ ଉପରେ ମଧ୍ୟ ନଜର ରଖିପାରିବ’’।

ବୈଜ୍ଞାନିକଙ୍କ କହିବା ମୁତାବକ, ମାଇକ୍ରୋଫୋନ୍ ପରି ଏହି କପଡା ଶବ୍ଦକୁ ଯାନ୍ତ୍ରିକ କମ୍ପନରେ ପରିଣତ କରେ। ଏହାପରେ ଏହି କମ୍ପନଗୁଡ଼ିକୁ ବୈଦ୍ୟୁତିକ ସଙ୍କେତରେ ପରିଣତ କରେ। ଠିକ୍‌ ଯେମିତି ଆମ କାନ କାମ କରିଥାଏ। MITର ବୈଜ୍ଞାନିକ ୟୋଏଲ୍ ଫିଙ୍କ କହିଛନ୍ତି, ଏହି ପ୍ରକାରର କପଡ଼ା ତିଆରି କରିବା ପାଇଁ ଆମେ ମଣିଷ ଶରୀରର କାନର ପରଦା ଦ୍ୱାରା ଅନୁପ୍ରାଣିତ ହୋଇଥିଲୁ, ପରେ ଏହା ସାମ୍ନାକୁ ଆସିଥିଲା ​​ଯେ କାନର ପରଦା ମଧ୍ୟ ଏକ ପ୍ରକାର କପଡ଼ାରେ ତିଆରି।

Spread the love