ପରୀ ହତ୍ୟାକାଣ୍ଡ ମାମଲା: ତଣ୍ଟିଚିପି ହତ୍ୟା କଲାବେଳେ ପରୀର ନାକରୁ ରକ୍ତ ବାହାରିଥିଲା
ବହୁଚର୍ଚ୍ଚିତ ନୟାଗଡ଼ ସଦର ଥାନା ଅନ୍ତର୍ଗତ ଯଦୁପୁର ଗାଁର ନାବାଳିକା ପରୀକୁ ତଣ୍ଟିଚିପି ହତ୍ୟା କରାଯିବା ବେଳେ, ତାର ନାକରୁ ରକ୍ତ ବାହାରିଥିଲା। ଅଭିଯୁକ୍ତ ସରୋଜ ସେଠୀ ତଦନ୍ତକାରୀଙ୍କ ଆଗରେ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛି ବୋଲି ଏସଆଇଟି ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ପରୀର ନାକରୁ ରକ୍ତ ବାହାରୁଥିବା ବେଳେ ସରୋଜ ଏହାକୁ ଏକ ଟାୱେଲରେ ପୋଛିଥିଲା। କ୍ରାଇମବ୍ରାଞ୍ଚ ଏସ୍ଆଇଟି କହିଛି ଯେ ରକ୍ତଭିଜା ଟାୱେଲକୁ ଯଦୁପୁରସ୍ଥିତ ସରୋଜର ଘରୁ ଜବତ କରାଯାଇଛି। ଏବେ ରକ୍ତଭିଜା ଟାୱେଲକୁ ପରୀକ୍ଷା ପାଇଁ ପରୀକ୍ଷାଗାରକୁ ପଠାଯାଇଛି।
କ୍ରାଇମ୍ବ୍ରାଞ୍ଚକୁ ଗତକାଲି ରାତିରେ ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ ଘର ପଛପଟ ପୋଖରୀରୁ ଲେଗିନ୍ସ ମିଳିଥିଲା। ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ଏହି ପୋଖରରୁ ଜଳ ନିଷ୍କାସନ କରି ଖୋଜାଖୋଜି କରିବା ପରେ ଲେଗିନ୍ସଟି ମିଳିଥିଲା। ଘଟଣାର ତଦନ୍ତ କରୁଥିବା କ୍ରାଇମ୍ବ୍ରାଞ୍ଚ ଏସ୍ଆଇଟି ମୁଖ୍ୟ ଅରୁଣ ବ୍ରୋଥାଙ୍କ କହିବା ଅନୁସାରେ ପରୀକୁ ହତ୍ୟା କରି ସାରି ତା’ର ମୃତଦେହ ଓ ଲେଗିନ୍ସକୁ ଏହି ପୋଖରୀକୁ ଫିଙ୍ଗି ଦେଇଥିଲା।
ପ୍ରାଥମିକ ଅନୁସନ୍ଧାନ ବେଳେ ଲେଗିନ୍ସଟି ମିଳିପାରି ନଥିବାରୁ ମଙ୍ଗଳବାର ପୋଖରୀରୁ ଜଳ ନିଷ୍କାସନ କରିଥିଲା ଏସ୍ଆଇଟି। ଏହି କାମରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ଙ୍କୁ ନିୟୋଜିତ କରାଯାଇଥିଲା। ପୋଖରୀରୁ ମିଳିଥିବା ଲେଗିଙ୍ଗ୍ସକୁ ଜବତ କରି ଏସ୍ଆଇଟି ନିଜର ହେପାଜତକୁ ନେଇଛି।
ଉଲ୍ଲେଖଯୋଗ୍ୟ ଗତ ଜୁଲାଇ ୧୪ ତାରିଖରେ ପରୀ ଗାଁ ଦାଣ୍ଡରେ ଖେଳୁଥିବା ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରି ନଥିଲା। ଝିଅକୁ ନପାଇ ପରିବାର ପକ୍ଷରୁ ସଦର ଥାନାରେ ଏତଲା ଦିଆଯାଇଥିଲା। ଏଭଳି ସ୍ଥିତିରେ ସେହିମାସ ୨୩ରେ ପରୀର ଖଣ୍ଡବିଖଣ୍ଡିତ ଶରୀରାଂଶ ଉଦ୍ଧାର ହୋଇଥିଲାଯ ଦୀର୍ଘ ୪ ମାସ ଧରି ପୁଲିସ ଅନୁସନ୍ଧାନ କରୁଥିବା କହୁଥିଲେ ମଧ୍ୟ ହତ୍ୟାକାରୀ ନିକଟରେ ପହଞ୍ଚିବାକୁ ଫେଲ୍ ମାରିଥିଲାଯ ଅଭିଯୁକ୍ତ ବିଜେଡି ଦଳର ହୋଇଥିବାରୁ ଓ ସେମାନଙ୍କୁ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ସୁରକ୍ଷା ଦେଉଥିବା ଅଭିଯୋଗ ଆସିଥିଲା। ଏଭଳି ସ୍ଥିତିରେ ପରୀ ବାପା, ମା’ ଗତ ୨୪ ତାରିଖରେ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ପରେ ସରକାର ପ୍ରଥମେ କ୍ରାଇମବ୍ରାଞ୍ଚ, ପରେ ଏସଆଇଟି ଗଠନ କରି ତଦନ୍ତ କରିବାକୁ ନିର୍ଦେଶ ଦେଇଥିଲେ। ବରିଷ୍ଠ ଆଇପିଏସ୍ ଅରୁଣ ବ୍ରୋଥାଙ୍କୁ ଏସଆଇଟି ମୁଖ୍ୟ ଭାବେ ଦାୟିତ୍ବ ଦିଆଯାଇଥିଲା।