ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ: ଢେଙ୍କାନାଳ ସଦର ରେଞ୍ଜର୍‌ ବିଭୁଦାନନ୍ଦ ମିଶ୍ରଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ବର/ଢେଙ୍କାନାଳ/ଖୁଣ୍ଟୁଣୀ: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫ ହେଲେ ଢେଙ୍କାନାଳ ସଦର ରେଞ୍ଜର୍‌ ବିଭୁଦାନନ୍ଦ ମିଶ୍ର। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ସଦର ରେଞ୍ଜର୍‌ ବିଭୁଦାନନ୍ଦ ମିଶ୍ର ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। କଟକ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଢେଙ୍କାନାଳ, କଟକ, ଭୁବନେଶ୍ୱରରେ ଥିବା ଶ୍ରୀ ମିଶ୍ରଙ୍କ ପୈତୃକ ଘର, ବର୍ତ୍ତମାନର ବାସଗୃହ, ଅଫିସ‌୍, ତାଙ୍କ ଭାଇ ଓ ପୁଅବୋହୂଙ୍କ ଘର ଆଦି ୮ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଛି। କୁବେର ଭଣ୍ଡାର ପରି ତାଙ୍କ ଘରର ବିଭିନ୍ନ ସ୍ଥାନରୁ ପୁଳାପୁଳା ଟଙ୍କା ବାହାରିଛି। ଏପରିକି ତାଙ୍କ ଟଏଲେଟ୍‌ ଫ୍ଲସ୍‌ ମଧ୍ୟରେ ଲୁଚାଇ ରଖିଥିବା ଟଙ୍କାକୁ ଓଦା ଅବସ୍ଥାରେ ଭିଜିଲାନ୍ସ ଅଧିକାରୀମାନେ ଜବତ କରିଛନ୍ତି।ରେଞ୍ଜର୍‌ ଶ୍ରୀ ମିଶ୍ରଙ୍କର ଢେଙ୍କାନାଳ ସହର କାଲଟାକ୍ସ ଷ୍ଟେସନ୍‌ ରୋଡ୍‌ ରତ୍ନ ବଜାରରେ ଏକ ୩ ମହଲା କୋଠା ଓ ୨ ମହଲା କୋଠା, ସହରସ୍ଥିତ ସଂପର୍କୀୟଙ୍କ ଘର, କାର୍ଯ୍ୟାଳୟ, ସରକାରୀ ବାସଭବନ, କଟକ ଆଠଗଡ଼ ଥାନା ରାହାଙ୍ଗୁଳସ୍ଥିତ ଇସି ବ୍ରଏଲର୍‌ ଫାର୍ମ (ମିଶ୍ର ଫାର୍ମହାଉସ୍‌), ଆଠଗଡ଼ ବୀରକିଶୋରପୁରସ୍ଥିତ ପୈତୃକ ଘର, ଭୁବନେଶ୍ୱର ରସୁଲଗଡ଼ ଜିଜିପି କଲୋନିସ୍ଥିତ ‘ବ୍ରିନ୍ଦା ବସେରା’ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ୍‌ ଆଦି ୮ଟି ସ୍ଥାନରେ ଚଢ଼ଉ କରାଯାଇଛି। ୭ ଜଣ ଡିଏସ୍‌ପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୬ ଇନ୍‌ସପେକ୍ଟର, ୬ ଜଣ ଏସ୍‌ଆଇ ଓ ଅନ୍ୟ କର୍ମଚାରୀ ଚଢ଼ଉରେ ସାମିଲ ହୋଇଥିଲେ।

ଢେଙ୍କାନାଳ ରତନ ବଜାରସ୍ଥିତ ୩ ମହଲା ଘରେ କଟକ ଭିଜିଲାନ୍ସ ବିଭାଗର ୬ ଜଣିଆ ଟିମ୍‌ ଚଢ଼ଉ କରିଥିଲା। ଘର ଭିତରେ ରାଜକୀୟ କାଇଦାରେ ରହୁଥିଲେ ଶ୍ରୀ ମିଶ୍ର। ଘର ଭିତର, ବାହାର ସାଜସଜ୍ଜା ଓ ଟଙ୍କାପଇସା ଦେଖି ଭିଜିଲାନ୍ସ ଅଧିକାରୀଙ୍କ ଆଖି ଖୋସି ହୋଇ ଯାଇଥିଲା। ଚଢ଼ଉ ଚାଲିଥିବାବେଳେ ଶ୍ରୀ ମିଶ୍ର ୫୦୦ ଟଙ୍କିଆ ୨ଟି ନୋଟ୍‌ ବିଡ଼ା ଟଏଲେଟ୍‌ ଫ୍ଲସ୍‌ ଟ୍ୟାଙ୍କରେ ପୂରେଇ ଦେଇଥିଲେ। ସେହିପରି ଘର ପରିସରରେ ରହିଥିବା ଏକ ଗାଡ଼ି ଭିତରେ ଲୁଚାଇ ରଖାଯାଇଥିବା ୪ ଲକ୍ଷ ୯୨ ହଜାର ଟଙ୍କାକୁ ମଧ୍ୟ ଜବତ କରାଯାଇଛି। ଘରେ ଶାଗୁଆନ କାଠର ଫର୍ଣ୍ଣିଚର, କବାଟ, ସିଲିଂ, କପ୍‌ବୋର୍ଡ ଆଦି ସୌଖୀନ ସାମଗ୍ରୀର ସାଜସଜ୍ଜା ସାଙ୍ଗକୁ ଭଳିକି ଭଳି ଦାମୀ ହାତଘଣ୍ଟା, ହୀରା, ସୁନାରୁପା ଅଳଙ୍କାର, କାର, ୨ଟି ଆକ୍ଟିଭା ସ୍କୁଟର, ଗୋଟିଏ ମଟରସାଇକେଲ ସମେତ ବିଭିନ୍ନ ସାମଗ୍ରୀ ଜବତ ହୋଇଛି। ଆଠଗଡ଼ ରାହାଙ୍ଗୁଳସ୍ଥିତ ୮ ଏକର ଜମି ଉପରେ ଶ୍ରୀ ମିଶ୍ରଙ୍କର ଏକ ବିଶାଳ ଫାର୍ମହାଉସ ମଧ୍ୟ ଠାବ କରିଛି ଭିଜିଲାନ୍ସ। ସେଠାରେ ଦୁଇଟି ବ୍ରଏଲର କୁକୁଡ଼ା ଫାର୍ମ ଥିବାବେଳେ ଏକାଥରକେ ୨୨ ହଜାର କୁକୁଡ଼ାର ରଖାଯିବାର ବ୍ୟବସ୍ଥା ରହିଛି। ଫାର୍ମ ଭିତର ତଥା ମୁଖ୍ୟ ଫାଟକ ନିକଟରେ ରହିଛି ଆଖି ଝଲସିବା ଭଳି ପାର୍କ ବା ପ୍ରମୋଦ ଉଦ୍ୟାନ। ଏହି ପାର୍କରେ ବିଭିନ୍ନ କିସମର ଫୁଲଫଳ, ଗଛ, ଘାସର ସୁଦୀର୍ଘ ଗାଲିଚା, ସିମେଣ୍ଟରେ ତିଆରି ଭାଲୁ, କଇଁଛ, ବୁଦ୍ଧଦେବ ଓ ଶିବଲିଙ୍ଗ, ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାରର ଦୋଳି, ଆଖିଦୃଶିଆ ଖୋଲା ଡାଇନିଂ ପ୍ଲେସ, ଏକାଧିକ କଂକ୍ରିଟ୍‌ ବେଞ୍ଚ, ବିଶ୍ରାମ ନେବା ପାଇଁ ଦ୍ବିତଳ ପ୍ରାସାଦ ଇତ୍ୟାଦି ରହିଛି। ଆହୁରି ମଧ୍ୟ ଫାର୍ମ ହାଉସ୍‌ର ପାର୍କକୁ ଲାଗି ତାରଜାଲି ଘେରା ଛୋଟଛୋଟ ଆଜବେଷ୍ଟସ୍‌ ସେଡ୍‌ରେ ଠେକୁଆ, ମୟୂର, ଶୁଆ, ହଂସ ଆଦି ରଙ୍ଗବେରଙ୍ଗର ବନ୍ୟ ପଶୁପକ୍ଷୀଙ୍କୁ ରଖାଯାଇଛି। ବନ ଅଧିକାରୀ ହୋଇଥିଲେ ମଧ୍ୟ ରେଞ୍ଜର ଶ୍ରୀ ମିଶ୍ର କିଭଳି ବେଆଇନ ଭାବେ ଆବଦ୍ଧ କରି ବନ୍ୟ ପଶୁପକ୍ଷୀଙ୍କୁ ରଖିଛନ୍ତି, ତାହା ଭିଜିଲାନ୍ସ ଟିମ୍‌କୁ ଚକିତ କରିଛି। ଏଥିସହ ଦେଶୀ ବନରାଜ କୁକୁଡ଼ା, ବତକ, ବିଭିନ୍ନ ରଙ୍ଗର ପାରା ମଧ୍ୟ ଏଠାରେ ରହିଥିବା ଦେଖିବାକୁ ମିଳିଛି। ଉକ୍ତ ଫାର୍ମହାଉସ୍‌ ଚିଡ଼ିଆଖାନାର ଭ୍ରମ ସୃଷ୍ଟି କରିଛି। ରେଞ୍ଜର୍‌ ବିଭୁଦାନନ୍ଦ ମାସକୁ ୪-୫ଥର ଏଠାକୁ ପରିବାର ସହ ଆସି ରୁହନ୍ତି ବୋଲି କାର୍ଯ୍ୟରତ ଫାର୍ମ କର୍ମଚାରୀ ଓ ଅଞ୍ଚଳବାସୀ ସୂଚନା ଦେଇଛନ୍ତି।

ରେଞ୍ଜର୍‌ ଶ୍ରୀ ମିଶ୍ର ଦୀର୍ଘବର୍ଷ ଧରି ଢେଙ୍କାନାଳରେ ରହିଛନ୍ତି। ପ୍ରଥମେ ସେ ମହାବିରୋଡ଼, ଦଦରାଘାଟିରେ ଫରେଷ୍ଟର୍‌ ଥିଲେ। ପରେ ୨୦୧୩ରୁ ୨୦୧୯ ମସିହା ପର୍ଯ୍ୟନ୍ତ ଭୁବନରେ ଫରେଷ୍ଟର୍‌ ଥିଲେ। ପଦୋନ୍ନତି ମିଳିବା ପରେ ୨୦୨୧ ମସିହା ପର୍ଯ୍ୟନ୍ତ କାମାକ୍ଷାନଗର ଓ ୨୦୨୧ ଅକ୍ଟୋବର ୧୧ ତାରିଖରୁ ଢେଙ୍କାନାଳ ସଦର ରେଞ୍ଜର ଭାବେ କାର୍ଯ୍ୟରତ ଥିଲେ। ବର୍ତ୍ତମାନ ସେ ଢେଙ୍କାନାଳ ସଦର ରେଞ୍ଜର ସହିତ ହିନ୍ଦୋଳ ରେଞ୍ଜର୍‌ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି। ଚାକିରି ଜୀବନ ଆରମ୍ଭରୁ ସେ ପ୍ରାୟ ୧୫ ବର୍ଷ ଧରି ଢେଙ୍କାନାଳ ଜିଲ୍ଲାରେ ରହି ଅନୁଚିତ ଉପାୟରେ ବିପୁଳ ସଂପତ୍ତି ଜମା କରିଛନ୍ତି।

Spread the love