ମଦ ବ୍ୟବସାୟୀଙ୍କଠାରୁ ମାସିକିଆ ବଟି ୫୦ ହଜାର ନେଉଥିଲେ ଦୁଇ ପୁଲିସ ବାବୁ, ମାଡ଼ି ବସିଲା ଭିଜିଲାନ୍ସ

ଭୁବନେଶ୍ବର/ଚାନ୍ଦିପୁର: ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ଥାନା ଆଇଆଇସି ଗଣେଶ୍ୱର ପ୍ରଧାନ ଓ ଏଏସ୍ଆଇ ପ୍ରଦୀପ ମହାନ୍ତି। ଉଭୟ ପୁଲିସ ବାବୁ ଆଜି ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି।

ସୂଚନା ଅନୁସାରେ ଚାନ୍ଦିପୁର ଥାନା ଆଇଆଇସି ଗଣେଶ୍ୱର ପ୍ରଧାନ ଓ ଏଏସ୍ଆଇ ପ୍ରଦୀପ ମହାନ୍ତି ସ୍ଥାନୀୟ ଅଞ୍ଚଳର ଜଣେ ମଦ ବ୍ୟବସାୟୀଙ୍କୁ ମାସିକିଆ ବଟି ବାବଦକୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସେମାନେ ମଦ ବ୍ୟବସାୟୀଙ୍କୁ ଧମକାଉ ଥିଲେ।  ଏନେଇ ଏତଲାକାରୀ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ମଦ ବ୍ୟବସାୟୀଙ୍କ ଅଭିଯୋଗ କ୍ରମେ ଦୁଇ ପୁଲିସ ବାବୁଙ୍କ ପାନେ ଦେବା ପାଇଁ ଭିଜିଲାନ୍ସ ବିଭାଗ ରୂପରେଖ ପ୍ରସ୍ତୁତ କରିଥିଲା। ଆଜି ଅପରାହ୍‌ଣରେ ଅଭିଯୋଗକାରୀଙ୍କ ଠାରୁ ଉଭୟ ଗଣେଶ୍ବର ପ୍ରଧାନ ଓ ପ୍ରଦୀପ ମହାନ୍ତି ୫୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ। ଲାଞ୍ଚ ନେବାର ଅଳ୍ପ ସମୟ ପରେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଅତର୍କିତ ଚଢ଼ଉ କରିଥିଲେ। ତେବେ ଉଭୟ ଶ୍ରୀ ପ୍ରଧାନ ଓ ଶ୍ରୀ ମହାନ୍ତି ନେଇଥିବା ଲାଞ୍ଚ ଘଟଣାସ୍ଥଳରୁ ମିଳିଥିଲା। ଏହା ପରେ ଭିଜିଲାନ୍ସ ଟିମ୍‌ କାର୍ଯ୍ୟାଳୟ ଓ ସେମାନଙ୍କର ନିବାସରେ ଚଢ଼ଉ ଜାରି ରଖିଛନ୍ତି।

ସୂଚନାଯୋଗ୍ୟ, ଗତ ୧୩ ତାରିଖ ଦିନ ସହିଦନଗର ଥାନା ଏଏସ୍‌ଆଇ ମମତା ବସ୍ତିଆଙ୍କୁ ଭିଜିଲାନ୍ସ ଗିରଫ କରିବା ସହ ୧୫ହଜାର ଲାଞ୍ଚ ଟଙ୍କା ଜବତ କରିଥିଲା। ଜଣେ ଏତଲକାରୀଙ୍କୁ ମାମଲାରେ ସହଯୋଗ କରିବା ପାଇଁ ଲାଞ୍ଚ ନେଲା ବେଳେ ଶ୍ରୀମତୀ ବସ୍ତିଆ ଧରାପଡ଼ିଥିଲେ। ଭିଜିଲାନ୍ସର ୩ଟି ଟିମ୍‌ ସମାନ୍ତରାଳ ଭାବେ କଟକ ସିଡିଏସ୍ଥିତ ଅର୍‌ଭିଲ୍‌ ଆପାର୍ଟମେଣ୍ଟ, ସହିଦନଗରସ୍ଥିତ ସରକାରୀ କାର୍ଯ୍ୟାଳୟ ଏବଂ ବିରିଡ଼ିସ୍ଥିତ ପୈତୃକ ଘରେ ଚଢ଼ଉ କରିଥିଲା।

Spread the love