୨୦ଟି ପରିବାରକୁ ନିଆଁପାଣି ବନ୍ଦ

ଗାଁଠୁ ୩୦୦ ମିଟର ଦୂରରେ ଏକ ଅସ୍ଥାୟୀ କ୍ୟାମ୍ପରେ ରହୁଥିବା ଏହି ପରିବାର ସଦସ୍ୟଙ୍କୁ ଗାଁ ଭିତରକୁ ପ୍ରବେଶ ଅନୁମତି ନାହିଁ। ପୁରୁଷ ପୁରୁଷ ଧରି ରହୁଥିବା ଭିଟାମାଟିକୁ ସେମାନେ ଫେରି ପାରୁନାହାନ୍ତି। ଖାଲି ସେତିକି ନୁହେଁ, ନିର୍ବାସନ ଦଣ୍ଡ ଭୋଗୁଥିବା ପରିବାରର ଛାତ୍ରଛାତ୍ରୀଙ୍କ ଉପରେ ବି ଏହାର ପ୍ରଭାବ ପଡ଼ିଛି। ରାଜନୈତିକ ବିବାଦକୁ କେନ୍ଦ୍ରକରି ବାସନ୍ଦ ଥିବ‌ା ପରିବାର ସଦସ୍ୟଙ୍କୁ ଗାଁ ପ୍ରବେଶ ଅନୁମତି ନଥିବାବେଳେ ଛାତ୍ରଛାତ୍ରୀ ସ୍କୁଲ ଯାଇପାରୁନାହାନ୍ତି। ଦୀର୍ଘଦିନ ଅନୁପସ୍ଥିତ ରହିବ‌ା କାରଣରୁ ୫ ଜଣ ଛାତ୍ରଛାତ୍ରୀ ଗାଁ ସ୍କୁଲ ଛାଡିଛନ୍ତି। ଅଭିଭା‌ବକମାନେ ବାଧ୍ୟ ହୋଇ ଗାଁ ସ୍କୁଲ ଗଙ୍ଗାଧର ନୋଡାଲ ଉପ୍ରା ବିଦ୍ୟାଳୟରୁ ଟିସି ନେଇ ଗାଁ’ଠୁ ୩ କିମି ଦୂର ବାଲୁଙ୍କେଶ୍ବର ଦେବ ହାଇସ୍କୁଲ‌ରେ ପିଲାଙ୍କ ନାମ ଲେଖାଇଛନ୍ତି। ଅନ୍ୟପକ୍ଷରେ ଏଭଳି ଏକ ସ୍ପର୍ଶକାତର ଘଟଣାରେ ପୁଲିସ ଓ ଜିଲ୍ଲା ପ୍ରଶାସନର ଅହେତୁକ ନିରବତା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଅନ୍ୟପକ୍ଷରେ, ଏହା ମାନବାଧିକାର କ୍ଷୁଣ୍ଣ କରୁଥିଲେ ବି ପୁଲିସ କିମ୍ବା ଜିଲ୍ଲ‌ା ପ୍ରଶାସନ ଅଭିଯୁକ୍ତମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ବାସନ୍ଦ ପରିବାର‌ଗୁଡ଼ିକ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ସେମାନେ ଏସ୍‌ପି, ଜିଲ୍ଲାପାଳ, ଆଇଜି ଓ ଡିଜିଙ୍କ ପାଖରେ ଏକାଧିକ ଥର ଫେରାଦ ହୋଇଥିଲେ ମଧ୍ୟ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଥିବା କହିଛନ୍ତି।ବାସନ୍ଦ ୨୦ଟି ପରିବାରର ଦୋଷ ଏତିକି ଯେ ସେମାନେ ଗ୍ରାମସଭାକୁ ଅବମାନନା କରି ମୁଖ୍ୟମନ୍ତ୍ରୀଙ୍କ ସଭାରେ ଯୋଗ ଦେଇଥିଲେ। ୨୦୧୮ ନଭେମ୍ବର ୨୨ ତାରିଖରେ କୃଷ୍ଣପ୍ରସାଦ ବ୍ଲକ୍ ଚାରିଛକ‌ଠାରେ ମୁଖ୍ୟମନ୍ତ୍ରୀଙ୍କର ଏକ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଆସିବା ପୂର୍ବରୁ ସିପକୁଦା, ବନମାଳିପୁର ଗାଁରେ ଏକ ବୈଠକ ହୋଇଥିଲା। ଏକ ନିର୍ଦ୍ଦିଷ୍ଟ ଦଳର ସମର୍ଥିତ ଗାଁ ମୁଖିଆ ମୁଖ୍ୟମନ୍ତ୍ରୀଙ୍କ ସଭାରେ କେହି ଯୋଗ ନଦେବାକୁ ଅଲିଖିତ ଘୋଷଣାନାମା ଜ‌ାରି କରିଥିଲେ। ତେ‌ବେ ଗ୍ରାମର ଏହି ୨୦ଟି ପରିବାର ଗାଁ ମୁଖିଆଙ୍କ ନିଷ୍ପତ୍ତିକୁ ଅବମାନନା କରି ମୁଖ୍ୟମନ୍ତ୍ରୀଙ୍କ ସଭାରେ ଯୋଗ ଦେଇଥିଲେ। ପର ଦିନ ଗ୍ରାମସଭା ବସି ଏହି ୨୦ଟି ପରିବାରକୁ ନିଆଁପାଣି ବନ୍ଦ କରାଯିବା ସହ ଗାଁରୁ ବାସନ୍ଦ କରାଯାଇଥିଲା। ସେହିଦିନଠୁ ୨୦ଟି ପରିବାରର ୧୩୫ ଜଣ ସଦସ୍ୟ ଗାଁକୁ ଫେରି ପାରୁନାହାନ୍ତି।

Spread the love