କାଦୁଅ ପଚ ପଚ ରାସ୍ତାରେ ଧାନ ଗଛ ଲଗାଇ ଅଭିନବ ପ୍ରତିବାଦ

ମାଲକାନଗିରି: ବର୍ଷା ଋତୁରେ ବାଲିଟ୍ରକ ସାଜିଲା କାଳ। ଲଗାତାର ଗାଁ ରାସ୍ତାରେ ବାଲି ଟ୍ରକଗୁଡିକ ଯିବା ଆସିବା କରିବା ଦ୍ବାରା ଏବେ ଗାଁ ରାସ୍ତା ଶୋଚନୀୟ ହୋଇପଡିଛି। ରାସ୍ତା ପାଲଟିଛି ମରଣଯନ୍ତା। ବାରମ୍ବାର ଏନେଇ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଉଥିଲେ ମଧ୍ୟ କେହି ନଶୁଣିବାରୁ ରାସ୍ତାରେ ଧାନ ଗଛ ଲଗାଇ ଅଭିନବ ପ୍ରତିବାଦ କଲେ ଗ୍ରାମବାସୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଥିଲି ବ୍ଲକର ଚାଉଳମେନ୍ଦି ପଞ୍ଚାୟତରେ। ଚାଉଳମେନ୍ଦି ବାଲିଘାଟରୁ ପ୍ରତିଦିନ ବଡ ବଡ ଟିପ୍ପରଗୁଡିକ ମାଡକାମୀଗୁଡା ଏବଂ ମୁଣ୍ଡାଗୁଡା ଦେଇ ବାଲି ନେଉଛନ୍ତି। ବାରମ୍ବାର ଗାଁ ରାସ୍ତାରେ ଭାରିଯାନଗୁଡିକ ଯିବାଆସିବା କରିବା ଦ୍ବାରା ରାସ୍ତା ଖରାପ ପଡିଛି।ରାସ୍ତାରେ କାଦୁଅ ପଚ ପଚ ହୋଇଥିବା ଦେଖିବାକୁ ମିଳିଛି । ଏପରିକି ଏହି ରାସ୍ତାରେ ପାଦରେ ଚାଲି ଯିବା ମଧ୍ୟ କଷ୍ଟକର ହୋଇପଡିଛି।

ବହୁ ବାର ଦାବି କରିବା ପରେ ଏହି ଗ୍ରାମକୁ ସରକାର ରାସ୍ତା କଲେ ସତ କିନ୍ତୁ ଭାରି ଯାନ ଯିବା ଆସିବା କରିବା ଦ୍ବାରା ଏହି ରାସ୍ତାଗୁଡିକ ବର୍ଷା ଦିନେ ଖରାପ ହୋଇଯାଉଛି। ରାସ୍ତାରେ ଦୁଇ ଫୁଟର ଗାତ ସୃଷ୍ଟି ହୋଇଛି। ସେହି ଗାତରେ ବର୍ଷା ପାଣି ଭରି ରହିବା ଫଳରେ ମୋଟରସାଇକେଲ ଆରୋହୀମାନେ ପ୍ରତିଦିନ ଦୁର୍ଘଟଣାର ଶିକାର ହେଉଛନ୍ତି। ତେବେ ଏନେଇ ଦୁଇ ଗ୍ରାମବାସୀ ବିଭାଗୀୟ ଅଧିକାରୀ ଏବଂ ବାଲି ଟ୍ରକଗୁଡିକକୁ ରାସ୍ତାରେ ବର୍ଷା ଦିନେ ନଆସିବା ପାଇଁ ଅନୁରୋଧ କରୁଥିଲେ ମଧ୍ୟ କେହି ନଶୁଣିବାରୁ ବାଧ୍ୟ ହୋଇ ଲୋକେ ରାସ୍ତାରେ ଧାନ ଗଛ ଲଗାଇ ଅଭିନବ ପ୍ରତିବାଦ କଲେ। ଶତାଧିକ ଗ୍ରାମବାସୀ ଏହି ରାସ୍ତାରେ ଛିଡା ହୋଇ ବାଲି ଟ୍ରକକୁ ବନ୍ଦ କରାଯାଉ ବୋଲି ଦାବି କରିଥିଲେ। ଏଥିରେ ଯଦି ପ୍ରଶାସନ କୌଣସି ପଦକ୍ଷେପ ନ ନିଏ ତେବେ ଆଗାମୀ ଦିନରେ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବୁ ବୋଲି ଚେତାବନୀ ଦେଇଛନ୍ତି।

Spread the love