କାଶୀପୁର ଥାନା ଘେରାଉ କଲେ ୪୦ ଗ୍ରାମବାସୀ, ଘରୋଇ କମ୍ପାନି ବିରୋଧରେ ଗର୍ଜିଲେ ଲୋକେ

ରାୟଗଡା: କାଶୀପୁର ଥାନା ସମ୍ମୁଖରେ ମଙ୍ଗଳବାର ସନ୍ଧ୍ୟାରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା। ମୈତ୍ରୀ କମ୍ପାନି ଗୋ ବ୍ୟାକ୍‌, ବେଦାନ୍ତ କମ୍ପାନି ଗୋ ବ୍ୟାକ୍‌ ନାରାରେ ଥାନା ପ୍ରକମ୍ପିତ ହୋଇ ଉଠିଥିଲା। ପୁଲିସ ମୈତ୍ରୀ କମ୍ପାନି ପାଇଁ କାମ କରୁଥିବା ବେଳେ ସାଧାରଣ ଲୋକଙ୍କ ସମସ୍ୟା ବୁଝୁନଥିବା ଅଭିଯୋଗ କରି କଳାହାଣ୍ଡି ଏବଂ ରାୟଗଡା ଜିଲ୍ଲାର ୬ଟି ପଞ୍ଚାୟତର ୪୦ ଖଣ୍ଡ ଗ୍ରାମର ପ୍ରାୟ ୫୦୦ରୁ ଉର୍ଦ୍ଧ୍ବ ଲୋକ କାଶୀପୁର ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶୁଙ୍ଗେର ଅଞ୍ଚଳର ତିନୋଟି ଗ୍ରାମରେ ପୁଣି ଏକ ଖଣି କାମ ଆରମ୍ଭ ହେବା ନେଇ ମୈତ୍ରୀ କମ୍ପାନି ପକ୍ଷରୁ ଜୋରସୋରେ ଉଦ୍ୟମ କରାଯାଇଥିବାକୁ ବିରୋଧ କରାଯାଇ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିଲା।

ମୈତ୍ରୀ କମ୍ପାନିରେ କାର୍ଯ୍ୟରତ ଟିକିରି ଅଞ୍ଚଳର ପୃଷ୍ଟି ଦୁରିଆ ନାମରେ ମଧ୍ୟ ଶୁଙ୍ଗେର ଅଞ୍ଚଳରେ ଅଶାନ୍ତ ବାତାବରଣ ସୃଷ୍ଟି କରିଥିବା ନେଇ ଜୁଲାଇ ୨ ତାରିଖ ଦିନ ଅଞ୍ଚଳବାସୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ବେଳେ ଅଞ୍ଚଳବାସୀ ରାୟଗଡା ଏସପି ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ମୈତ୍ରୀ କମ୍ପାନିର ପୃଷ୍ଟି ଦୁରିଆ ପୁନର୍ବାର ଶୁଙ୍ଗେର ଅଞ୍ଚଳକୁ ଯାଇ ଲୋକ ମାନଙ୍କୁ ନେଇ କିଛି ଦିନ ତଳେ ରେଙ୍ଗା ଠାରେ ଏକ ବୈଠକ କରିଥିଲେ। ଅଞ୍ଚଳବାସୀଙ୍କ ଏତଲାକୁ ପୁଲିସ ଗ୍ରହଣ କରୁନାହିଁ କି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ କରି ପୁଲିସ ବିରୋଧରେ ସ୍ବରତ୍ତୋଳନ କରିଥିଲେ।ଅଞ୍ଚଳବାସୀଙ୍କୁ ଭତ୍ତା ଦେବା ନାମରେ ବିଶୃଙ୍ଖଳା ସୂଷ୍ଟି କରୁଥିବା ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି। ପୁଣି ଦୁଇଦିନ ତଳେ ମୈତ୍ରୀର କର୍ମଚାରୀ ପୃଷ୍ଟି ଦୁରିଆ ଶୁଙ୍ଗେର ଅଞ୍ଚଳରେ ଭତ୍ତା ପ୍ରଦାନ ନାମରେ ଯାଇଥିବାବେଳେ ଅଞ୍ଚଳବାସୀ ଭାଇଚାରା ନଷ୍ଟ କରୁଥିବା ନେଇ ଯୁକ୍ତି ତର୍କ କରିଥିବାବେଳେ ପୃଷ୍ଟି ଦୁରିଆ କାଶୀପୁର ପୁଲିସ ନିକଟରେ ଅଭିଯୋଗ କରିଥିଲେ। ପୁଲିସ ମଧ୍ୟ ତୁରନ୍ତ ଶୁଙ୍ଗେର ଅଞ୍ଚଳରେ ଯାଇ ତଦନ୍ତ କରୁଥିବା ନେଇ ଅଞ୍ଚଳବାସୀ କ୍ଷୁବ୍ଧ ହେବା ସହ ପୋଲିସ କମ୍ପାନିର ହାତବାରାଶି ସାଜିଥିବା ଅଭିଯୋଗ କରିଥିଲେ।

ମଙ୍ଗଳବାର ୬ଟି ପଞ୍ଚାୟତର ୪୦ ଖଣ୍ଡ ଗ୍ରାମର ଲୋକେ ଏକତ୍ର ହୋଇ ପୁଲିସ ନିକଟରେ ଏକ ଏତଲା ଦାୟର କରିଥିଲେ। ଏତଲାରେ ଦର୍ଶାଯାଇଛି ଯେ, ଏହି ୪୦ ଖଣ୍ଡ ଗ୍ରାମକୁ ଯାଇ ମୈତ୍ରୀ କମ୍ପାନିର ପୃଷ୍ଟି ଦୁରିଆ ଲୋକମାନଙ୍କର ଆଧାର କାର୍ଡ ଏବଂ ବ୍ୟାଙ୍କ ପାସ ବୁକ ମାଗୁଛନ୍ତି।କିଛି ଲୋକଙ୍କର ଆଧାର ନମ୍ବର ଏବଂ ବ୍ୟାଙ୍କ ନମ୍ବର ନେବା ପରେ ଆଉ କିଛି ଲୋକଙ୍କର ଆଧାର ଓ ବ୍ୟାଙ୍କ ଖାତା ନେଇ ଫେରାଇ ନଥିବାରୁ ଲୋକେ ହଇରାଣ ହେଉଛନ୍ତି। ତେେବ ଗ୍ରାମବାସୀ ଏହି ଲୋକ ମାନଙ୍କୁ ଧରି କାହିଁକି ଆଧାର କାର୍ଡ ଓ ବ୍ୟାଙ୍କ ପାସବୁକ ମାଗୁଛ ବୋଲି ପଚାରିବାରୁ ସେମାନେ ଆମେ ମୈତ୍ରୀ କମ୍ପାନି ତରଫୁ ଆସିଛୁ। ତୁମ ଅଞ୍ଚଳର ସିଜମାଳି, କୁଟୁଙ୍ଗମାଳି, ମାଜିଙ୍ଗମାଳି ଅଞ୍ଚଳରେ ଖଣି କାମ ଆରମ୍ଭ ହେବ ତେଣୁ ତୁମ ଗ୍ରାମର ତିନି ଚାରି ଜଣକୁ ଭତ୍ତା ପ୍ରଦାନ କରାୟିବ। ବିନା ଗ୍ରାମ ସଭା, ବିନା ପଲ୍ଲୀସଭାରେ କିପରି ତୁମେ ଆମର ଆଧାର କାର୍ଡ ଓ ବ୍ୟାଙ୍କ ଖାତା ମାଗୁଛ ବୋଲି ଗ୍ରାମବାସୀ ପ୍ରଶ୍ନ କରିଥିଲେ। ତେବେ ପୃଷ୍ଟି ଦୁରିଆ ରାଗିଯାଇ ତୁମମାନଙ୍କୁ ଗୁଣ୍ଡା ଲଗାଇ ପିଟିବା ସହ ଜବରଦସ୍ତ କାମ କରିବି ବୋଲି କହିଥିବା ନେଇ ଅଭିଯୋଗ କରିଥିଲେ। ଏଥିସହ ଆଦିବାସୀ ହରିଜନ ବୋଲି ଗାଳିଗୁଲଜ କରିଥିଲେ ବୋଲି ଅଭିଯୋଗ କରାଯାଇଛି। ତେବେ ଦେଖିବାର ବାକିରହିଲା ମୈତ୍ରୀ କମ୍ପାନି ଓ ବେଦାନ୍ତ କମ୍ପାନିକୁ ସହଯୋଗ କରୁଥିବା ପୁଲିସ ଅଞ୍ଚଳବାସୀଙ୍କୁ ମନେଇବାରେ କେତେ ସଫଳ ହେଉଛି।

Spread the love