୬ଟି ଇନିଂସରେ ବ୍ୟାଟରୁ ବାହାରିଲାନି ୧୦୦ ରନ୍

ନୂଆଦିଲ୍ଲୀ ୧୮/୦୭: ଫର୍ମକୁ ଫେରୁ ନାହାଁନ୍ତି ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ବ୍ୟାଟର ବିରାଟ କୋହଲି । ବାରମ୍ବାର ବିଫଳ ହେଉଛନ୍ତି । ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ସେ ଖାସ୍ ପ୍ରଦର୍ଶନ କରିପାରି ନଥିଲେ । ୧୭ ରନ୍ କରି ପ୍ୟାଭିଲିୟନ ଫେରିଥିଲେ ରନ୍ ମେସିନ୍ ।  

ଗସ୍ତରେ କେବଳ ୭୬ ରନ୍

ବିରାଟ ଚଳିତ ବର୍ଷ ଇଂଲଣ୍ଡ ଗସ୍ତରେ ୬ଟି ଇନିଂସରୁ ମାତ୍ର ୭୬ ରନ୍ କରିଛନ୍ତି । ସର୍ବପ୍ରଥମେ ଏଜବେଷ୍ଟନ୍ ଟେଷ୍ଟରେ ସେ ପ୍ରଥମ ଓ ଦ୍ୱିତୀୟ ପାଳିରେ ୩୧ ରନ୍ କରିଥିଲେ । ଏହାପରେ ଟି୨୦ ସିରିଜରେ ସେ ମୋଟ୍ ୧୨ ରନ୍ କରିଥିଲେ । ତେବେ ଦିନିକିଆରେ ସେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ଫ୍ୟାନ୍ସଙ୍କୁ ଆଶା ଭାଙ୍ଗିଛନ୍ତି । ଲର୍ଡସରେ ସେ ୧୬ ରନ୍ କରିଥିବା ବେଳେ ମାଞ୍ଚେଷ୍ଟରରେ ୧୭ ରନ୍ କରିପାରିଥିଲେ ।

୭୯ ଇନିଂସ ହେଲା ଶତକ ନାହିଁ

ବିରାଟ ୯୫୦ ଦିନ ହେଲା ଅନ୍ତର୍ଜାତୀୟ ଫର୍ମାଟରେ କୌଣସି ଶତକ ଲଗାଇ ନାହାଁନ୍ତି । ୩୩ ବର୍ଷୀୟ ବିରାଟ ୨୦୧୯ ନଭେମ୍ବରରେ ଶେଷ ଶତକ ଲଗାଇଥିଲେ । ଏହାପରେ ବିରାଟ ୬୮ ମ୍ୟାଚରେ ୭୯ ଇନିଂସ ଖେଳିଥିଲେ ବି ୨୫୫୪ ରନ୍ କରିଛନ୍ତି । ଯେଉଁଥିରେ ୨୪ଟି ଅର୍ଦ୍ଧଶତକ ରହିଛି । ହେଲେ ଗୋଟିଏ ବି ସେ ଶତକ ଲଗାଇ ନାହାଁନ୍ତି ।

ଅଫଷ୍ଟମ୍ପର ଦୁର୍ବଳତା

ଗତ କିଛି ବର୍ଷ ହେଲା ବିରାଟ ସମାନ ଢଙ୍ଗରେ ଆଉଟ୍ ହେଉଛନ୍ତି । ଅଫ୍ ଷ୍ଟମ୍ପରୁ ବାହାରକୁ ଯାଉଥିବା ବଲରେ ହିଁ ବେଶୀ ଥର ପ୍ୟାଭିଲିୟନ ଫେରିଛନ୍ତି ବିରାଟ । ପୂର୍ବରୁ ସେ ଏପରି ବଲରେ ଖୁବ୍ ରନ୍ କରିଥିଲେ । ଏବେ କିନ୍ତୁ ଏହି ବଲରେ ବୋଲରଙ୍କ ଶିକାର ହେଉଛନ୍ତି । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଓ ତୃତୀୟ ଦିନିକିଆରେ ମଧ୍ୟ ସେ ଅଫ ଷ୍ଟମ୍ପ୍ ବାହାର ବଲରେ ଆଉଟ୍ ହୋଇଥିଲେ ।

Spread the love