ଆଜି ଦୁବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :  ରୋମ୍‌ ଗସ୍ତ କାର୍ଯ୍ୟକ୍ରମ ଶେଷକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଦୁବାଇରେ ପହଞ୍ଚିବେ। ୨୯ ତାରିଖରେ ମଧ୍ୟ-ପ୍ରାଚ୍ୟର ପୁଞ୍ଜିପତିମାନଙ୍କ ସହ ରାଜ୍ୟରେ ପୁଞ୍ଜି ନିବେଶ ନେଇ ଇନ୍‌ଭେଷ୍ଟର୍ସ ମିଟ୍‌ରେ ଆଲୋଚନା କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟରେ ପୁଞ୍ଜି ନିବେଶ କରିଥିବା ଶିଳ୍ପପତିଙ୍କ ଏକ ଟିମ୍‌ ମଧ୍ୟ ବୈଠକରେ ଯୋଗଦେବ। ପୁଞ୍ଜିପତିଙ୍କ ସହ ମୁଖ୍ୟମନ୍ତ୍ରୀ ଓ୍ବାନ୍‌ ଟୁ ଓ୍ବାନ୍‌ କଥା ହେବେ। କରୋନା ସମୟରେ ବି ରାଜ୍ୟରେ ରେକର୍ଡ ପରିମାଣର ପୁଞ୍ଜି ନିବେଶ ହୋଇଛି । ଦୁବାଇରେ ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ ସହିତ ପେଟ୍ରୋ କେମିକାଲ୍ସ, ପେଟ୍ରୋଲିୟମ ସେକ୍ଟର ଏବଂ ଡାଉନ୍‌ଷ୍ଟ୍ରିମ ଇଣ୍ଡଷ୍ଟ୍ରି ଉପରେ ଫୋକସ ରହିବ। ଓଡ଼ିଶାରେ ଥିବା ଶିଳ୍ପ ବାତାବରଣ, ଲ୍ୟାଣ୍ଡ ବ୍ୟାଙ୍କ, ଇନ୍‌ଭେଷ୍ଟମେଣ୍ଟକୁ ଗ୍ରାଉଣ୍ଡ ଜିରୋରେ ରୂପାୟନ ପର୍ଯ୍ୟନ୍ତ ସରକାରଙ୍କ ସହଜ ଓ ସମୟ ଉପଯୋଗୀ ବ୍ୟବସ୍ଥା ବାବଦରେ ମୁଖ୍ୟମନ୍ତ୍ରୀ ଓ ଟିମ୍‌ ଓଡ଼ିଶା ପୁଞ୍ଜିପତିଙ୍କ ସହ ଆଲୋଚନା କରିବେ।ମୁଖ୍ୟମନ୍ତ୍ରୀ ଆଜି ରାତି ୮ଟା ୨୦ ମିନିଟ୍‌ରେ ଦୁବାଇରେ ପହଞ୍ଚିବେ। ମୁଖ୍ୟମନ୍ତ୍ରୀଙ୍କୁ ଦୁବାଇ ବିମାନବନ୍ଦରରେ ସ୍ବାଗତ କରିବା ଲାଗି ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବରିଷ୍ଠ ବିଧାୟକ ଦେବୀପ୍ରସାଦ ମିଶ୍ର, ଏମ୍‌ପି ସୁଜିତ୍‌ କୁମାର, ବିଧାୟକ ଦିବ୍ୟଶଙ୍କର ମିଶ୍ର ଓ ଆକାଶ ଦାସ ନାୟକ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ଆସନ୍ତା ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିଆସିବା କାର୍ଯ୍ୟକ୍ରମ ରହିଛି।

Spread the love