ଭିକେ ପାଣ୍ଡିଆନ୍‌ଙ୍କ ସ୍ବେଚ୍ଛାକୃତ ଅବସର ଆବେଦନକୁ ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ବର: ବରିଷ୍ଠ ଆଇଏଏସ୍‌ ଅଧିକାରୀ ଭି କାର୍ତ୍ତିକେୟ ପାଣ୍ଡିଆନ୍‌ ସ୍ବେଚ୍ଛାକୃତ ଅବସର ନେଇଥିବା ନେଇ ସୂଚନା ହସ୍ତଗତ ହୋଇଛି । ଶ୍ରୀ ପାଣ୍ଡିଆନ୍‌ଙ୍କ ସ୍ବେଚ୍ଛାକୃତ ଅବସରକୁ କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ମଂଜୁର କରିଥିବା ନେଇ ପତ୍ର ଗଣମାଧ୍ୟମ ନିକଟରେ ପହଞ୍ଚିଛି । ଆମର ହସ୍ତଗତ ହୋଇଥିବା ପତ୍ରରେ କେନ୍ଦ୍ର ସରକାରଙ୍କ ଅନୁସଚିବ ଭୁପିନ୍ଦର ପାଲ ସିଂ ଏ ସଂକ୍ରାନ୍ତରେ ପତ୍ର ଲେଖି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବଙ୍କୁ ଅବଗତ କରିଛନ୍ତି।

ଗତ ୨୦ ତାରିଖ ଦିନ ଭି କେ ପାଣ୍ଡିଆନ୍ ସ୍ବେଚ୍ଛାକୃତ ଅବସର ଲାଗି ଆବେଦନ କରିଥିଲେ ଓ ରାଜ୍ୟ ସରକାର ଏହାକୁ ଗ୍ରହଣ  କରିବା ସହ କେନ୍ଦ୍ରର ଅନୁମୋଦନ ଲାଗି ପଠାଇଥିଲେ। ଏହାପରେ ଓଡ଼ିଶା କ୍ୟାଡରର ୨୦୦୦ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ପାଣ୍ଡିଆନଙ୍କ ସ୍ବେଚ୍ଛାକୃତ ଅବସର ନେଇ କେନ୍ଦ୍ର ସରକାର ସାଧାରଣ ପ୍ରଶାସନ ବିଭାଗକୁ ଜଣାଇଛନ୍ତି। ଶ୍ରୀ ପାଣ୍ଡିଆନ୍‌ଙ୍କ ପ୍ରସ୍ତାବ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଦ୍ବାରା ଗୃହୀତ ହୋଇଥିବା କେନ୍ଦ୍ର କାର୍ମିକ ବିଭାଗ ଜଣାଇଛି।

ସୂଚନାଯୋଗ୍ୟ, ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଭିକେ ପାଣ୍ଡିଆନ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ଉପଜିଲ୍ଲାପାଳ ଭାବେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ଉପଜିଲ୍ଲାପାଳ ଦାୟିତ୍ବ ତୁଲାଇଥିଲେ। ଏହାପରେ  ୨୦୦୫ରୁ ୨୦୦୭ ପର୍ଯ୍ୟନ୍ତ ସେ ମୟୂରଭଞ୍ଜ ଜିଲ୍ଲାପାଳ ଭାବେ ଅବସ୍ଥାପିତ ହୋଇଥିଲେ । ୨୦୦୭ରୁ ୨୦୧୧ ପର୍ଯ୍ୟନ୍ତ ଶ୍ରୀ ପାଣ୍ଡିଆନ୍ ଗଞ୍ଜାମ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ। ମୁଖ୍ୟମନ୍ତ୍ରୀ ଜିଳ୍ଲାର ଜିଲ୍ଲାପାଳ ଭାବେ ଦାୟିତ୍ବ ନିର୍ବାହ ପରେ ସେ ୨୦୧୧ ମସିହାରେ  ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦରେ ନିଯୁକ୍ତ ହୋଇଥିଲେ । ଏହାପରେ ସେ  ୨୦୧୯ରେ ୫ଟି ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଗ୍ରହଣ କରିଥିଲେ। ୨୦୨୩ ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ଭି ‌କେ ପାଣ୍ଡିଆନ୍ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ।

Spread the love