ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଦେଖି ବିଜେପି ନେତାଙ୍କ ମୁଣ୍ଡ କାମ କରୁନି

ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିଲିକା, ବ୍ରହ୍ମଗିରି, ପିପିଲି, ରଣପୁର ଓ ନୟାଗଡ଼ରେ ନିର୍ବାଚନ ପ୍ରଚାର କରି ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଓ ବିଧାନସଭା ପ୍ରାର୍ଥୀମାନଙ୍କୁ ବିପୁଳ ଭୋଟରେ ଜିତାଇ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତୀ କରିବାକୁ ଅନୁରୋଧ କରିଛନ୍ତି । ଶେଷରେ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀର ଜୟଦେବ ବିଧାନସଭା ଅଞ୍ଚଳରେ ବିଶାଳ ଜନସଭାରେ ଭାଷଣ ଦେଇ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଅନୁରୋଧ କରିଛନ୍ତି ।

ସବୁ ସଭାରେ ବିଶାଳ ଜନସମାବେଶ ଦେଖି ପାଣ୍ଡିଆନ କହିଥିଲେ ଯେ ଲୋକଙ୍କ ବିପୁଳ ସମର୍ଥନ ଦେଖି ବିରୋଧି ଦଳ ହତୋତ୍ସାହ ହେଲେଣି । ସେମାନେ ମିଛ କହିବା, ଅପପ୍ରଚାର କରିବା ଆଦି ଆରମ୍ଭ କଲେଣି । ଆପଣମାନେ ତାଙ୍କୁ ଉଚିତ ଜବାବ ଦେବେ ।ବିରୋଧୀ ବିଜେପି ଦଳର ମୁଖା ଖୋଲି, ଶ୍ରୀ ପାଣ୍ଡିଆନ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଦେଖି ସେମାନଙ୍କ ମୁଣ୍ଡ କାମ କରୁନି । କୋଉଠି କ’ଣ କହୁଛନ୍ତି ଜାଣିପାରୁନାହାନ୍ତି । ତାଙ୍କର ସବୁ ନେତା ଆସି କହୁଛନ୍ତି ଓଡ଼ିଶାକୁ ଏକ ନମ୍ୱର କରିବେ । ଆସାମ ମୁଖ୍ୟମନ୍ତ୍ରୀ ବି କହୁଛନ୍ତି ଓଡ଼ିଶାକୁ ଏକ ନମ୍ବର କରିବେ । ତା’ହେଲେ ଆସାମକୁ କ’ଣ କରିବେ ? ଯୁଆଡ଼େ ଯାଉଛନ୍ତି, କହୁଛନ୍ତି-ଏକ ନମ୍ବର କରିବେ । କର୍ଣ୍ଣାଟକ, ତେଲେଙ୍ଗାନା, ମହାରାଷ୍ଟ୍ର… ସବୁଠି କହୁଛନ୍ତି ସେହି ରାଜ୍ୟକୁ ଏକ ନମ୍ବର କରିବେ । ସେମାନେ ପ୍ରଥମେ ଆଗେ ନିଷ୍ପତ୍ତି କରନ୍ତୁ କେଉଁ ରାଜ୍ୟକୁ ଏକ ନମ୍ବର କରିବେ । ୨୫ ବର୍ଷ ହେଲା ଡବଲ ଇଞ୍ଜିନ ସରକାର ଥାଇ ଏପର୍ଯ୍ୟନ୍ତ ଗୁଜରାଟକୁ ଏକ ନମ୍ବର କରିପାରିଲେ ନାହିଁ । ସେମାନେ କେବଳ ଆପଣମାନଙ୍କୁ ଭୁଆଁ ବୁଲାଉଛନ୍ତି ।

ପୁରୀ ମନ୍ଦିରର ପରିକ୍ରମା ପ୍ରକଳ୍ପର ଉଦାହରଣ ଦେଇ ସେ କହିଲେ ଯେ, ପୁରୀ କାମ ଏତେ ସୁନ୍ଦର ହୋଇଛି, ସେମାନେ ସହି ପାରୁନାହାନ୍ତି । କହୁଛନ୍ତି ଯେ ଏଥିପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । କିନ୍ତୁ ପ୍ରକୃତରେ ଖର୍ଚ୍ଚ ହୋଇଛି ମାତ୍ର ୩୫୦ କୋଟି ଟଙ୍କା । ସେମାନଙ୍କୁ ଆପଣମାନେ ବିଶ୍ୱାସ କରନ୍ତୁ ନାହିଁ ।ବିଜେପି ନେତା ସବୁ ଟୁରିଷ୍ଟ ଭଳି ଆସୁଛନ୍ତି, ସମୁଦ୍ରକୂଳ, ଜଗନ୍ନାଥ ମନ୍ଦିର ବୁଲି ଯିବା ବଦଳରେ ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି, ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି, ଓଡ଼ିଶାବାସୀ ସେମାନଙ୍କୁ ଉଚିତ ଜବାବ୍‍ ଦେବେ।

ବିଜେପି ଦଳରୁ ବହୁତ ନେତା ଆସି କହୁଛନ୍ତି ଚିଲିକାରେ ସେତୁ କରିବେ । ୨୦୧୪ ନିର୍ବାଚନ ବେଳେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି ଆସି କହିଥିଲେ ଚିଲିକାରେ ସେତୁ କରିବେ ବୋଲି, ଏ ପର୍ୟ୍ୟନ୍ତ ହେଲା କି ? କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କ ମତ ଚିଲିକା ଉପରେ ସେତୁ ହୋଇପାରିବ ନାହିଁ । ସେମାନଙ୍କ କଥାରେ ତାଳମେଳ ରହୁନି, କେବଳ ଲୋକଙ୍କୁ ଠକିବା ପାଇଁ କହୁଛନ୍ତି । ଭୋଟବେଳେ ବିଜେପି ଦଳ ଲୋକଙ୍କ ପ୍ରତି ଯେଉଁ ଆନ୍ତରିକତା ଦେଖାଉଛି । ଭୋଟ ପରେ ମଧ୍ୟ ଲୋକଙ୍କ ପ୍ରତି ସେଭଳି ଆନ୍ତରିକତା ସେମାନେ ରଖିବେ ବୋଲି ମୋର ଆଶା । ଯଦି ଚିଲିକାରେ ସେତୁ ହେବ, ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ବୋଲି ସେ କହିଥିଲେ ।

Spread the love