କିଏ ହେବା ଦରକାର କଂଗ୍ରେସ ଅଧ୍ୟକ୍ଷ? ଆସିଲା ସି-ଭୋଟର ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ ୨୫।୯: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ନୋମିନେସନ ଲାଗି ପ୍ରାର୍ଥୀ ପତ୍ର ସଂଗ୍ରହ ଆରମ୍ଭ ହୋଇସାରିଲାଣି। ତେବେ ଏଥିରେ କଂଗ୍ରେସର ଆଗାମୀ ସଭାପତି କିଏ ହେବ ତାହା ଏବେବି ପ୍ରଶ୍ନ ହୋଇ ରହିଛି। କଂଗ୍ରେସ ଅଧ୍ୟକ୍ଷ ପଦବୀ ନିମନ୍ତେ ଅନେକ ଲୋକଙ୍କ ନାମ ଏବେ ଚର୍ଚ୍ଚା ହେଉଛି। ଏଥିରେ ଏବିପି ନ୍ୟୁଜର ସି-ଭୋଟର ସର୍ଭେ  ହୋଇଥିବା ବେଳେ ଚମକାଇବା ଭଳି ତଥ୍ୟ ଆସିଛି।

ନିର୍ବାଚନରେ ଗାନ୍ଧି ପରିବାରରୁ କେହିପ୍ରାର୍ଥୀ ହେବେ ନାହିଁ ତାହା ସ୍ପଷ୍ଟ ଜଣାପଡୁଛି। ଏଣୁ ବିଭିନ୍ନ ପ୍ରଦେଶ କଂଗ୍ରେସ ପକ୍ଷରୁ ରାହୁଲଙ୍କୁ ସଭାପତି କରିବା ପାଇଁ ପ୍ରସ୍ତାବ ଗୃହୀତ କରୁଛନ୍ତି। ଏ ବାବଦେ ରାହୁଲଙ୍କୁ ବୁଝେଇବା ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ଉଦ୍ୟମ କରିଛନ୍ତି। ତେବେ ଏଥିରୁ କୌଣସି ସୁଫଳ ମିଳି ନାହିଁ। ଏଥିରେ  ସି ଭୋଟର ସର୍ଭେ ରିପୋର୍ଟରେ ଲୋକେ ମଧ୍ୟ ରାହୁଲ ଏଆଇସିସି ସଭାପତି ହୁଅନ୍ତୁ ବୋଲି ଚାହୁଁଥିବା ଜଣାପଡିଛି।

କଂଗ୍ରେସର ସଭାପତି ହେବା ପାଇଁ ସବୁଠୁ ଯୋଗ୍ୟତମ ପ୍ରାର୍ଥୀ କିଏ ବୋଲି ହୋଇଥିବା ସାପ୍ତାହିକ ସର୍ଭେରେ ୪ ହଜାର ୩୬୧ ଜଣ ଲୋକ ଅଂଶ ଗ୍ରହଣ କରିଥିଲେ। ଭୋଟରେ କଂଗ୍ରେସ ସଭାପତି ପଦବୀ ନିମନ୍ତେ ଚର୍ଚ୍ଚା ହେଉଥିବା ନାମ ଅଶୋକ ଗେହଲଟ, ଶଶି ଥରୁରଙ୍କ ସହ ରାହୁଲଙ୍କ ନାମ ମଧ୍ୟ ରଖାଯାଇଥିଲା। ଯଦିଓ ରାହୁଲ ଏଥିରେ ପ୍ରାର୍ଥୀ ହେବେ ନାହିଁ ତଥାପି ୪୬ ପ୍ରତିଶତ ଲୋକେ ରାହୁଲ କଂଗ୍ରେସର ସଭାପତି ହୁଅନ୍ତୁ ବୋଲି ଭୋଟ ଦେଇଛନ୍ତି।

ସେହିପରି ନିର୍ବାଚନ ହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଅଧିକ ସମର୍ଥନ ମିଳିବ ବୋଲି ୧୩ ପ୍ରତିଶତ ଲୋକେ ମତ ଦେଇଥିବା ବେଳେ ଶଶି ଥରୁରଙ୍କ ସପକ୍ଷରେ ୧୧ ପ୍ରତିଶତଙ୍କ ଭୋଟ ପଡିଛି। ତେବେ ରାହୁଲ, ଗେହଲଟ କି ଥରୁର କେହି ବି କଂଗ୍ରେସ ସଭାପତି ପଦବୀ ନିମନ୍ତେ ଉପଯୁକ୍ତ ନୁହନ୍ତି ବୋଲି ୩୦ ପ୍ରତିଶତ ଲୋକେ ମତ ଦେଇଛନ୍ତି।

ଏଆଇସିସି ସଭାପତି ନିର୍ବାଚନ ଲାଗି ଗତ ସେପ୍ଟେମ୍ବର ୨୨ ତାରିଖ ଦିନ ଅଧିସୂଚନା ଜାରି ହୋଇଥିଲା। ସେହି ଅନୁସାରେ ୩୦ ସେପ୍ଟେମ୍ବର ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ହୋଇଥିବା ବେଳେ ୧ ଅକ୍ଟୋବର ଯାଞ୍ଚ ଓ ୮ ଅକ୍ଟୋବର ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ। ଯଦି ଏକାଧିକ ପ୍ରାର୍ଥୀ  ମୈଦାନରେ ରହିଲେ ତେବେ ଅକ୍ଟୋବର ୧୭ ତାରିଖ ଦିନ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ୧୯ ତାରିଖରେ ଭୋଟ ଗଣନା ହେବ।     

Spread the love