ଶେଷ ହେଉଛି ବିଦେଶ ମନ୍ତ୍ରୀ ଜୟଶଙ୍କରଙ୍କ ସମେତ ୧୦ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ, ଜୁଲାଇ ୨୪ରେ ଭୋଟଗ୍ରହଣ

ନୂଆଦିଲ୍ଲୀ: ଗୋଆ, ଗୁଜରାଟ ଓ ପଶ୍ଚିମବଙ୍ଗର ୧୦ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ଗୋଆର ଗୋଟିଏ, ଗୁଜୁରାଟରୁ ୩ ଏବଂ ପଶ୍ଚିମବଙ୍ଗର ୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଘୋଷଣା ହୋଇଛି। ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଜୁଲାଇ ୧୩ ଏବଂ ଭୋଟ ଗ୍ରହଣ ଓ ଗଣତି ଜୁଲାଇ ୨୪ରେ ହେବ। ଗୁଜରାଟରୁ ବୈଦେଶିକ ମନ୍ତ୍ରୀ ଥିବା ଏସ. ଜୟଶଙ୍କରଙ୍କ ରାଜ୍ୟସଭା ସଦସ୍ୟ କାର୍ଯ୍ୟକାଳ ଶେଷ ହେଉଛି । ସେହିପରି ପଶ୍ଚିମବଙ୍ଗରୁ ଡେରେକ୍ ଓ’ବ୍ରାଏନ୍, ସୁସ୍ମିତା ଦେବ ଓ ସୁଖେନ୍ଦୁ ଶେଖର ରାୟଙ୍କ କାର୍ଯ୍ୟକାଳ ଶେଷ ହେଉଛି ।

ଗୋଆରୁ ବିନୟ ତେନ୍ଦୁଲକରଙ୍କ କାର୍ଯ୍ୟକାଳ ଜୁଲାଇ ୨୮ରେ ଶେଷ ହେଉଥିବା ବେଳେ ଗୁଜୁରାଟରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ଦିନେଶ ଜେମାଲଭାଇ ଅନଭାଡିଆ ଓ ଲୋଖଣ୍ଡୱାଲା ଯୁଗଲ ସିଂହ ମାଥୁରଜୀଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୮ରେ ଶେଷ ହେବ। ପଶ୍ଚିମବଙ୍ଗରେ ଡେରେକ୍ ଓ’ବ୍ରାଏନ୍, ଦୋଲା ସେନ୍, ପ୍ରଦୀପ ଭଟ୍ଟାଚାର୍ଯ୍ୟ, ସୁସ୍ମିତା ଦେବ, ଶାନ୍ତା ଛେତ୍ରୀ ଓ ସୁଖେନ୍ଦୁ ଶେଖର ରାୟଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୮ରେ ଶେଷ ହେଉଛି। ପଶ୍ଚିମବଙ୍ଗରେ ଲୁଜିନହୋ ଜୋଆଚିମ୍ ଫାଲେରୋଙ୍କ ଇସ୍ତଫା ପରେ ଖାଲି ପଡ଼ିଥିବା ରାଜ୍ୟସଭା ଆସନ ପାଇଁ ମଧ୍ୟ ନିର୍ବାଚନ ହେବ। ଏହି ଆସନର କାର୍ଯ୍ୟକାଳ ୨୦୨୬ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ରହିବ ।

 

Spread the love