ଚିକିଟି ଏନଏସି ନିର୍ବାଚନକୁ ଅବୈଧ ଘୋଷଣା କରାଯାଉ : ଭୃଗୁ ବକ୍ସିପାତ୍ର

ଭୁବନେଶ୍ୱର, ତା.୨୫/୦୨: ଚଳିତ ପଂଚାୟତ ଓ ପୈାର ନିର୍ବାଚନରେ ବିଜୁ ଜନତା ଦଳର କର୍ମୀମାନଙ୍କ ଗୁଣ୍ଡାଗର୍ଦ୍ଦି ସବୁ ସୀମାକୁ ଟପିଯାଇଛି । ଏଥିରେ ସେମାନଙ୍କୁ ସଂପୂର୍ଣ୍ଣ ସହାୟତା କରୁଛି ପୋଲିସ ଓ ପ୍ରଶାସନ । ପୋଲିସ ଓ ପ୍ରଶାସନର ଉପସ୍ଥିତିରେ ଶାସକ ବିଜେଡି ନେତା ଓ କର୍ମୀମାନେ ବ୍ୟାପକ ମାତ୍ରରେ ବୁଥ୍ ରିଗିଂ କରୁଥିବା ସତ୍ୱେ ବିଶୃଙ୍ଖଳାକାରୀଙ୍କ ବିରୁଦ୍ଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଶାସକ ବିଜେଡିର ସମସ୍ତ ଅଗଣତାନ୍ତ୍ରୀକ ଓ ହିଂସା କାର୍ଯ୍ୟକଳାପ ପ୍ରସଙ୍ଗରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିବା ସତ୍ୱେ କୈାଣସି କାର୍ଯ୍ୟାନୁଷ୍ଠାନ ନିଆ ନଯିବା କାରଣରୁ ରାଜ୍ୟରେ ନିର୍ବାଚନୀ ହିଂସାକାଣ୍ଡ କ୍ରମାଗତ ଭାବେ ବୃଦ୍ଧି ପାଇଛି । ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଏବଂ ନିର୍ବାଚନ ଆଚରଣ ବିଧି ଉଲଘଂନ କରୁଥିବା ସରକାରୀ କର୍ମଚାରୀ ଏବଂ ଏଭଳି ଅଗଣତାନ୍ତ୍ରୀକ କାର୍ଯ୍ୟରେ ସଂପୃକ୍ତ ଥିବା ପୋଲିସ ଅଧିକାରୀଙ୍କ ପ୍ରତି ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ରାଜ୍ୟ ନିର୍ବାଚନ କମିଶନ । ଗତ କାଲି ଗଂଜାମ ଜିଲ୍ଲା ଚିକିଟି ଏନଏସି ନିର୍ବାଚନ ସମୟରେ ଶାସକ ବିଜେଡି ତରଫରୁ ଯେଉଁ ଭଳି ଭାବେ ବ୍ୟାପକ ବୁଥ୍ ରିଗିଂ କରାଗଲା ଏବଂ ଏହାକୁ ବିରୋଧ କରିବାରୁ ବିଜେପି କାର୍ଯ୍ୟକର୍ତାଙ୍କ ଉପରେ ଯେଉଁ ଭଳି ମରଣାନ୍ତକ ଆକ୍ରମଣ କରାଗଲା, ତାହା ଅତ୍ୟନ୍ତ ନିନ୍ଦନୀୟ ଓ ସଂପୂର୍ଣ୍ଣ ଅଗଣତାନ୍ତ୍ରୀକ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି ।
ଗତ କାଲି ଘଟିଯାଇଥିବା ଚିକିଟି ଘଟଣା ପ୍ରସଙ୍ଗକୁ ନେଇ ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଘଟଣା ସଂପର୍କରେ ଅବଗତ କରିବା ସହିତ ଦୋଷୀଙ୍କ ବିରୁଦ୍ଧରେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ଜଣାଇଛନ୍ତି । ଚିକିଟି ଏନଏସିର ୧୨ଟି ୱାର୍ଡର ୧୩ଟି ବୁଥରେ ଭୋଟ ଦାନ କରାଯାଇଥିଲା । ଶାସକ ବିଜେଡି ଦ୍ୱାରା ବ୍ୟାପକ ମାତ୍ରରେ ବୁଥ୍ ରିଗିଂ କରାଯିବା ସହିତ ବୁଥ୍ ଭିତରେ ଥିବା ବିଜେପି ଏଜେଂଟଙ୍କୁ ଧମକଚମକ ଦେଖାଇ ଭୟଭୀତ କରିବା ସହ ବୁଥରୁ ଜୋରଜବରଦସ୍ତ ବାହାର କରିଦେଇଥିଲେ । ସ୍ଥାନୀୟ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ମନୋରଂଜନ ଦ୍ୟାନସାମନ୍ତରା ସ୍ଥାନୀୟ ଚେୟାରମ୍ୟାନ ପ୍ରାର୍ଥୀ ପୁଷ୍ପାଞ୍ଜଳୀ ସେଠୀଙ୍କ ବାସଭବନରେ ରହି ନିର୍ବାଚନ କାର୍ଯ୍ୟ ତଦାରଖ କରୁଥିବା ସମୟରେ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଯୋଜନାବଦ୍ଧ ଭାବେ ୩୦୦ରୁ ଉର୍ଦ୍ଧ୍ୱ ବିଜେଡି ଗୁଣ୍ଡା ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ବହୁ ସଂଖ୍ୟାରେ ଗାଡି ଭାଙ୍ଗିରୁଜି ଯାଇଥିଲା । ଏହି ଆକ୍ରମଣରେ ବହୁ ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତା ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ନୂଆଗାଁ ଆଇଆଇସି ହିଂସାକାଣ୍ଡ ସମୟରେ ଉପସ୍ଥିତ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଶାସକ ବିଜେଡିର ହାତବାରିସୀ ସାଜିଛନ୍ତି । ପୋଲିସ ଓ ପ୍ରଶାସନର ନିର୍ଦ୍ଦିଷ୍ଟ ରାଜନୈତିକ ଦଳୀୟ ସମର୍ଥନ ଅତ୍ୟନ୍ତ ଅସାମ୍ବିଧାନିକ । ତେଣୁ ରାଜ୍ୟ ନିର୍ବାଚନ କମିଶନ ତୁରନ୍ତ ଗତ କାଲିର ନିର୍ବାଚନକୁ ଅବୈଧ ଘୋଷଣା କରିବା ସହିତ ପୁନଃ ମତଦାନ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଶ୍ରୀ ବକ୍ସିପାତ୍ର ଦାବୀ କରିଛନ୍ତି ।
ଏହି ପ୍ରତିନିଧି ଦଳରେ ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋରଂଜନ ଦ୍ୟାନସାମନ୍ତରା ଓ ଜୟନ୍ତ ଜେନା, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ ଦାସଙ୍କ ସମେତ ବହୁ ପ୍ରାର୍ଥୀ ଉପସ୍ଥିତ ଥିଲେ ।

Spread the love