କିଡନୀ ରୋଗ ଓ କରୋନାରେ ପୀଡିତ ଥିଲେ ୱାଜିଦ୍ ଖାନ୍

ମୁମ୍ବାଇ, ୧/୦୬: ହିନ୍ଦୀ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ  ଗାୟକ ୱାଜିଦ୍ ଖାନଙ୍କର ପରଲୋକ ଘଟିଛି। ରବିବାର ବିଳମ୍ବିତ ରାତିରେ ମୁମ୍ବାଇରେ ତାଙ୍କର ପରଲୋକ  ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ମାତ୍ର  ୪୨ ବର୍ଷ ବୟସ ହୋଇଥିଲା।  କିଛିଦିନ ତଳେ ସେ କରୋନା ସଂକ୍ରମିତ ବୋଲି ଜଣାପଡ଼ିଥିଲା।

ସୂଚନା ଯୋଗ୍ୟ,  କିଛିମାସ ତଳେ ତାଙ୍କର କିଡନୀ ପ୍ରତିରୋପଣ ହୋଇଥିଲା। ଗତ ଚାରିଦିନ ହେବ ସେ ମୁମ୍ବାଇର ଚେମ୍ବୁରସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ। କିଡନୀରେ ସଂକ୍ରମଣ ବଢ଼ିବାରୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଗତକାଲି ରାତିରେ ହଠାତ୍ ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖାଯାଇଥିଲା।  ସେଠାରେ ୱାଜିଦଙ୍କର ପରଲୋକ ହୋଇଥିଲା।

ବଲିଉଡର ଦବଙ୍ଗ ବୟ ସଲମାନ ଖାନଙ୍କ ପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଥିଲେ ୱାଜିଦ୍ ଖାନ୍ । ଏପିରିକି ସଲମାନଙ୍କ ଅଭିନୀତ ପ୍ୟାର କିୟା ତୋ ଡରନା କ୍ୟା ଚଳଚ୍ଚିତ୍ରରୁ ସେ କ୍ୟାରିୟର ଆରମ୍ଭ କରିଥିଲେ । ତେରେ ନାମ୍, ୱାଂଟେଡ୍, ଦବଙ୍ଗ, ଏକ ଥା ଟାଇଗର୍, ପାର୍ଟନର, ମୁଝ ସେ ସାଦି କରୋଗୀ, ହେଲୋ, ଗଡ୍ ତୁ ସି ଗ୍ରେଟ୍ ହୋ ଭଳି ଅନେକ ଲୋକପ୍ରିୟ ଚଳଚ୍ଚିତ୍ରରେ ୱାଜିଦଙ୍କ ମନଛୁଆଁ ସଙ୍ଗୀତ ଶୁଣିବାକୁ ମିଳିଛି । ତେବେ ଶେଷଥର ପାଇଁ ନିକଟରେ ରିଲିଜ ହୋଇଥିବା ସଲମାନଙ୍କ ଭାଇ-ଭାଇ ଗୀତ କମ୍ପୋଜ କରିଥିଲେ ୱାଜିଦ୍ ଖାନ୍ ।

Spread the love