ଚୀନ୍‌ ଚାହୁଁଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟନ୍ତୁ ୱାଙ୍ଗ ୟି, ହେଲେ ଇଣ୍ଡିଆ କହିଲା No, ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ ୨୬।୩: ଚୀନ୍‌ ବିଦେଶମନ୍ତ୍ରୀ ୱାଙ୍ଗ ୟିଙ୍କ ଭାରତ ଗସ୍ତ ଖାସ ହୋଇଥାନ୍ତା ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଭେଟିପାରିଥାନ୍ତେ। ଏଣୁ ଚୀନ୍‌ ଚାହୁଁଥିଲା ୱାଙ୍ଗ ୟି ଭାରତରେ ପ୍ରଧାନମନ୍ତ୍ରୀଙ୍କୁ ଭେଟନ୍ତୁ। ତେବେ ଏହା ସମ୍ଭବ ହୋଇପାରିଲା ନାହିଁ। ଭାରତ ବିନମ୍ରତାର ସହ ସାକ୍ଷାତ ଲାଗି ମନା କରିଦେଇଛି। ଚୀନ୍ ବୈଦେଶିକ ମନ୍ତ୍ରୀ ଶୁକ୍ରବାର ବିନା ପୂର୍ବ ସୂଚନାରେ ଭାରତ ଚାଲିଆସିଥିଲେ।  କାବୁଲରୁ ସିଧା ନୂଆଦିଲ୍ଲୀ ପହଞ୍ଚିଥିଲେ।

ଅଚାନକ ଏପରି ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ଓ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲଙ୍କ ସହ ତାଙ୍କର ବୈଠକ ହୋଇଥିଲା। ତେବେ ରିପୋର୍ଟ ଅନୁସାରେ ସେ ଖାସ କରି ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଥିଲେ। ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଶୁକ୍ରବାର ଏଥିଲାଗି ସମୟ ଦେଇପାରିନଥିଲେ। କାର୍ଯ୍ୟକ୍ରମ ଲାଗି ପ୍ରଧାନମନ୍ତ୍ରୀ ଦିନ ତମାମ ବ୍ୟସ୍ତ ରହୁଥିବାରୁ ମନା କରିଦିଆଯାଇଥିଲା। ଲକ୍ଷ୍ମୌରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗକୁ  ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଥିଲେ। ଅନ୍ୟପକ୍ଷରେ ୱାଙ୍ଗ ଅଘୋଷିତ ଭାରତ ଗସ୍ତରେ ଆସିଥିଲେ।

ପ୍ରାୟ ୨ ବର୍ଷରୁ ଅଧିକ କାଳ ପରେ ୱାଙ୍ଗ ୟି ଭାରତ ଗସ୍ତରେ ଆସିଥିଲେ। ଗୁରୁବାର ସନ୍ଧ୍ୟା ୭ଟା ୪୫ ମିନିଟ୍‌ରେ ସେ ନୂଆ ଦିଲ୍ଲୀରେ ଅବତରଣ କରିଥିବା ବେଳେ ଶୁକ୍ରବାର ଅପରାହ୍ନ ୩ଟା ବେଳେ ଭାରତ ଛାଡିଥିଲେ। ୱାଙ୍ଗ ୟି ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସହ ସାକ୍ଷାତ ଆଲୋଚା କାଳରେ ତାଙ୍କୁ ଚୀନ୍‌ ଆସିବାକୁ ଆମନ୍ତ୍ରଣ ମଧ୍ୟ କରିଥିଲେ। ଏନଏସଏ ତାଙ୍କ ଆମନ୍ତ୍ରଣର ସକରାତ୍ମକ ଜବାବ ମଧ୍ୟ ଦେଇଥିଲେ। ତତ୍କାଳ ପ୍ରସଙ୍ଗର ସଫଳତା ପୂର୍ବକ ସମାଧାନ ପରେ ସେ ଚୀନ ଆସି ପାରନ୍ତି ବୋଲି ଡୋଭଲ କହିଥିଲେ।

ତେବେ ୱାଙ୍ଗ ୟିଙ୍କ ଗସ୍ତର ପୂର୍ବ ସୂଚନା କାହିଁକି ଦିଆଯାଇନଥିଲା ସେ ବାବଦେ ଜୟଶଙ୍କର କେତେକ କାରଣରୁ ଚୀନ ଏହି ଗସ୍ତ ନେଇ ଅଗ୍ରୀମ ସୂଚନା ଦେଇ ନଥିଲା ବୋଲି କହିଛନ୍ତି। ସେହିପରି ୟି ଙ୍କ ଏହି ଗସ୍ତକୁ ନେଇ ଦ୍ୱିପାକ୍ଷୀୟ ସହମତି ନଥିବାରୁ ଆମେ ମଧ୍ୟ ଏହି ଗସ୍ତ ନେଇ ଘୋଷଣା କରିନଥିଲୁ ବୋଲି ସେ କହିଛନ୍ତି।

Spread the love