ଯୁଦ୍ଧ ଅବସାନ ପାଇଁ ଭାରତ ଉଦ୍ୟମ କରୁ : ୟୁକ୍ରେନ ଉପ-ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ : ଭାରତ ଗସ୍ତରେ ଆସିଥିବା ୟୁକ୍ରେନର ଉପବୈଦେଶିକ ମନ୍ତ୍ରୀ ଏମିନ୍ ଝାପାରୋଭା କହିଛନ୍ତି ଯେ ୟୁକ୍ରେନ-ରୁଷ ଯୁଦ୍ଧର ସମାଧାନ କ୍ଷେତ୍ରରେ ଭାରତ ସକ୍ରିୟଭାବେ ଅଂଶଗ୍ରହଣ କରିବା ଆବଶ୍ୟକ । ଯୁଦ୍ଧର ଅବସାନ ପ୍ରସଙ୍ଗରେ ୟୁକ୍ରେନ ଭାରତ ସହ ଆଲୋଚନା ଚାହୁଁଛି । ଏହା ସହିତ ୟୁକ୍ରେନ ଗସ୍ତରେ ଯିବାକୁ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମନ୍ତ୍ରଣ କରିଛନ୍ତି ବୋଲି ସେ କହିଛନ୍ତି । ସେହିପରି ସେ ଅନୁରୋଧ କରିଛନ୍ତି ଯେ ଭାରତ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଜେଲେନସ୍କିଙ୍କୁ ଆମନ୍ତ୍ରଣ କରୁ ।

୪ ଦିନିଆ ଭାରତ ଗସ୍ତରେ ଆସିବା ପରେ ଦିଲ୍ଲୀରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହି ଅବସରରେ ୟୁକ୍ରେନର ଉପବୈଦେଶିକ ମନ୍ତ୍ରୀ ଏମିନ ଝାପାରୋଭା କହିଛନ୍ତି, ମୁଁ ଭାବୁଛି ଏକ ବିଶ୍ୱସ୍ତରୀୟ ଖେଳାଳି ଭାବେ ଭାରତ ପ୍ରକୃତରେ ବିଶ୍ୱନେତା। ମୂଲ୍ୟବୋଧ ଏବଂ ନ୍ୟାୟ ପାଇଁ ଲଢୁଥିବା ବେଳେ ଆମେ ୟୁକ୍ରେନରେ ଏହା ଅନୁଭବ କରିଛୁ ।

ଏହା ପୂର୍ବରୁ ସେ ଟ୍ୱିଟ୍ କରି ଲେଖିଥିଲେ, ‘ଭାରତ ଭ୍ରମଣ କରି ଖୁସି ଅନୁଭବ କରୁଛି- ଏହି ଭୂମିରେ ଅନେକ ସାଧୁ, ସନ୍ଥ ଓ ଗୁରୁ ଜନ୍ମ ହୋଇଥିଲେ। ଆଜି ଭାରତ ବିଶ୍ୱଗୁରୁ, ବିଶ୍ୱର ନେତା ଓ ମଧ୍ୟସ୍ଥି ହେବାକୁ ଚାହୁଁଛି। ଆମ କ୍ଷେତ୍ରରେ, ଆମେ ଭଲ ଭାବରେ ଜାଣିଛୁ – ୟୁକ୍ରେନକୁ ସମର୍ଥନ କରିବା ଏକ ପ୍ରକୃତ ‘ବିଶ୍ୱଗୁରୁ’ ପାଇଁ ଉପଯୁକ୍ତ ବିକଳ୍ପ ।

Spread the love