ନୂଆ ଭାରିଆଣ୍ଟ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଚେତାବନୀ

ନୂଆଦିଲ୍ଲୀ:  ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ନୂଆ ଭାରିଆଣ୍ଟ ନେଇ ଚେତାବନୀ ଦେଇଛି । ଡେଲଟା ଓ ଓମିକ୍ରନ ମିଶି ଡେଲଟାକ୍ରନ ଭାରିଆଣ୍ଟ ତିଆରି ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି ।ଦୁଇ ବର୍ଷରୁ ଅଧିକ ସମୟ ଧରି ବିଶ୍ୱରେ କରୋନା ଆତଙ୍କ ଜାରି ରହିଛି । ଅନେକ ସ୍ଥାନରେ ତୃତୀୟ ଲହର ତାଣ୍ଡବ ଖେଳାଇଛି ।

DWHO  ରିପୋର୍ଟରେ କୁହାଯାଇଛି ଯେ, ଫ୍ରାନ୍ସ, ନେଦରଲାଣ୍ଡ ଓ ଡେନମାର୍କରେ ଡେଲଟାକ୍ରନ୍  ସାମ୍ନାକୁ ଆସିଛି । ଏହା କରୋନାର ଏକ ଘାତକ ଭାରିଆଣ୍ଟ ଅଟେ । ଏଥିରେ ଲୋକେ ଗୁରୁତର ସମସ୍ୟାର ସାମ୍ନା କରୁଛନ୍ତି । ଏହାର ସଂକ୍ରମଣ ବେଗ କମ୍ ହେଲେ ବି ଖିଆଲି ମନୋଭାବରେ ନେବା କଥା ନୁହେଁ ।

କାଲିଫର୍ଣ୍ଣିଆ ଲ୍ୟାବ୍ ହେଲିକ୍ସରେ ଆମେରିକୀୟ ଗବେଷକ କହିଛନ୍ତି ଯେ, ସେ ୨୯ ହଜାରରୁ ଅଧିକ ପଜିଟିଭ୍ ନମୂନା ପରୀକ୍ଷଣ କରିଥିଲେ । ଅଧିକାଂଶଙ୍କ ଠାରେ ନୂଆ ଭାରିଆଣ୍ଟ ଠାବ ହୋଇଥିଲା । ଯାହା ଡେଲଟା ଓ ଓମିକ୍ରନଠୁ ସୃଷ୍ଟି ହୋଇଛି । ଅନେକଙ୍କଠାରେ ଦୁଇଟି ଭାରିଆଣ୍ଟ ଦେଖିବାକୁ ମିଳିଥିଲା ।

ଫ୍ରାନ୍ସ ବୈଜ୍ଞାନିକ ଫିଲିପ୍ କୋଲସନ୍ କହିଛନ୍ତି ଯେ, କିଛି ଦେଶରେ ସାର୍ସ କୋଭ୍-୨ ମଧ୍ୟରେ ନୂଆ ଭାରିଆଣ୍ଟ ମିଳିଛି । ଦୁଇଟି ଭାରିଆଣ୍ଟ ମିଶି ନୂଆ ଭାରିଆଣ୍ଟ ତିଆରି କରିଛନ୍ତି । ଏହା ଶରୀରରେ ଗୁରୁତର ସମସ୍ୟା ସୃଷ୍ଟି କରିପାରେ । ଏହା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

ଏହାପୂର୍ବରୁ ବୈଜ୍ଞାନିକମାନେ ଦାବି କରିଥିଲେ ଯେ, ଡେଲଟାକ୍ରନ୍ ମାମଲା ଦୁର୍ଲଭ । ଏହାର କୌଣସି ପ୍ରମାଣ ନାହିଁ । କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ନୂଆ ଦାବି ପରେ ଗବେଷକମାନେ ଏନେଇ ଭାବିବାକୁ ବାଧ୍ୟ ହୋଇଛନ୍ତି । ସଂସ୍ଥାର ମାରିଆ ଭାନ୍ କହିଛନ୍ତି ଯେ, ସଂକ୍ରମଣର ଗୁରୁତର ସ୍ଥିତି ନେଇ ପ୍ରମାଣ ନାହିଁ । ଏହା ଉପରେ ବିସ୍ତୃତ ଅଧ୍ୟୟନର ଆବଶ୍ୟକତା ରହିଛି । ଏହାର ପ୍ରସାରକୁ ରୋକିବାକୁ ପ୍ରୟାସ କରିବାକୁ ହେବ । ସମସ୍ତଙ୍କୁ କଟକଣା ମାନିବାକୁ ହେବ ବୋଲି ସେ କହିଛନ୍ତି ।

Spread the love