ନଭେମ୍ବର ୨୬କୁ ଆମେ ଭୁଲି ପାରିବା ନାହିଁ: ‘ମନ୍‌ କୀ ବାତ୍‌’ରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ନଭେମ୍ବର ୨୬କୁ ଆମେ କେବେ ଭୁଲି ପାରିବା ନାହିଁ, ଆଜିର ଏହି ଦିନରେ ଭାରତରେ ସବୁଠୁ ଭୟାନକ ଆତଙ୍କବାଦୀ ଆକ୍ରମଣ କରାଯାଇଥିଲା ବୋଲି ଆଜି ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସେ କହିଛନ୍ତି, ଆଉ ଗୋଟିଏ କାରଣ ପାଇଁ ମଧ୍ୟ ନଭେମ୍ବର ୨୬ ତାରିଖ ତାତ୍ପର୍ଯ୍ୟପୂର୍ଣ୍ଣ ଅଟେ। ୧୯୪୯ ମସିହା ଆଜିର ଦିନରେ ସମ୍ବିଧାନ ସଭା ଭାରତର ସମ୍ବିଧାନକୁ ଅନୁମୋଦନ କରି ଗୃହୀତ କରିଥିଲା।

‘ଲୋକାଲ୍‌ ଫର୍‌ ଭୋକାଲ୍‌’ର ସଫଳତା ସଂକ୍ରାନ୍ତରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ସ୍ବଚ୍ଛ ଭାରତ ଅଭିଯାନ’ର ସଫଳତା ଯେପରି ପ୍ରେରଣା ପାଲଟିଛି, ସେମିତି ‘ଲୋକାଲ୍‌ ଫର୍‌ ଭୋକାଲ୍‌’ ମଧ୍ୟ ‘ବିକଶିତ ଭାରତ-ସମୃଦ୍ଧ ଭାରତ’ର ଦ୍ବାରା ଉନ୍ମୁକ୍ତ କରୁଛି। ଏଥର ପର୍ବପର୍ବାଣି ସମୟରେ ‘ଲୋକାଲ୍‌ ଫର୍‌‌ ଭୋକାଲ୍‌’ରେ ୪ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହୋଇଛି। ଭାରତରେ ନିର୍ମିତ ହୋଇଥିବା ସାମଗ୍ରୀ କିଣିବା ପାଇଁ ଜନସାଧାରଣଙ୍କର ଆଗ୍ରହ ବୃଦ୍ଧି ପାଉଛି।

ବିଦେଶରେ ବାହାଘର ଆୟୋଜନ କରୁଥିବା କେତେକ ପରିବାରକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରି କହିଛନ୍ତି କି, ସେମାନେ ତାହା ନ କରି ସ୍ବଦେଶରେ ବିବାହ ଅନୁଷ୍ଠାନ କରନ୍ତୁ। ପ୍ରଧାନମନ୍ତ୍ରୀ କହିଛନ୍ତି, ଏକବିଂଶ ଶତାବ୍ଦୀର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଆହ୍ବାନ ହେଉଛି ଜଳ ନିରାପତ୍ତା। ଜଳ ସଂରକ୍ଷଣ ଜୀବନ ରକ୍ଷାଠାରୁ କୌଣସି ଗୁଣରେ କମ୍‌ ନୁହେଁ। ସର୍ବସାଧାରଣ ଦେଶ ଗଠନରେ ଅଂଶଗ୍ରହଣ କଲେ ଅଗ୍ରସର ହେବାରେ କିଛି ବାଧା ଆସିବ ନାହିଁ। ଆଜି ଭାରତରେ ଭାରତବାସୀ ଦେଶର ଅନେକ ଚାଲେଞ୍ଜ୍‌ର ନେତୃତ୍ବ ନେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଆଜିର ଦିନରେ ଭାରତ ସବୁଠୁ ଭୟାବହ ଆକ୍ରମଣର ସମ୍ମୁଖୀନ ହୋଇଥିଲା। କିନ୍ତୁ, ଦେଶର ସାମର୍ଥ୍ୟ ହିଁ ଦେଶକୁ ଏହି ଆକ୍ରମଣରୁ ଉଦ୍ଧାର କଲା। କେବଳ ସେତିକି ନୁହେଁ ସମସ୍ତ ସାମର୍ଥ୍ୟ ଜୁଟାଇ ଦେଶ ଆତଙ୍କବାଦକୁ ଦମନ କରୁଛି।

Spread the love