ବାଲିଯାତ୍ରା ଏକ ବାଣିଜ୍ୟିକ ମେଳା ନୁହେଁ; ଏହାର ଅନନ୍ୟ ସାଂସ୍କୃତିକ-ଆଧ୍ୟାତ୍ମିକ ତାତ୍ପର୍ଯ୍ୟ ରହିଛି

ଭୁବନେଶ୍ବର : ଓଡ଼ିଶା ସହ ଇଣ୍ଡୋନେସିଆର ସଂପର୍କ ବହୁ ପ୍ରାଚୀନ ଏବଂ ଏହାର ଆଧାର କେବଳ ବାଣିଜ୍ୟ-ବ୍ୟବସାୟରେ ସୀମିତ ନୁହେଁ, ଦୃଢ଼ ସାଂସ୍କୃତିକ ଓ ଆଧ୍ୟାତ୍ମିକସୂତ୍ରରେ ଦୁଇ ଦେଶ ବନ୍ଧା। ବିଶେଷ କରି ଇଣ୍ଡୋନେସିଆର ବାଲିଦ୍ବୀପରେ ପ୍ରତି ଗାଁରେ ଜଗନ୍ନାଥ ପୂଜା ପାଉଛନ୍ତି ଏବଂ ଓଡ଼ିଶୀ ନୃତ୍ୟ ଓ ବାଲିର ପାରମ୍ପରିକ ନୃତ୍ୟ ମଧ୍ୟରେ ରହିଛି ବହୁ ସାମଞ୍ଜସ୍ୟ । କଟକରେ ଅନୁଷ୍ଠିତ ହେଉଥିବା ବିଶ୍ବପ୍ରସିଦ୍ଧ ବାଲିଯାତ୍ରା ସମୟ କ୍ରମେ ଏକ ବାଣିଜ୍ୟିକ ମେଳା ପାଲଟି ଯାଇଛି, ଏଥିରେ ଓଡ଼ିଶା ଓ ବାଲିଦ୍ବୀପ ମଧ୍ୟରେ ଥିବା ପ୍ରାଚୀନ ଆଧ୍ୟାତ୍ମିକ ଓ ସାଂସ୍କୃତିକ ମହତ୍ତ୍ବକୁ ଯୋଡ଼ି ଉଜାଗର କରିବାକୁ ପଡ଼ିବ ବୋଲି କହିଛନ୍ତି ‘ଇଣ୍ଡୋନେସିଆର ଗାନ୍ଧୀ’ ଭାବେ ପରିଚିତ ବିଶିଷ୍ଟ ସମାଜସେବୀ ତଥା ଗାନ୍ଧୀବାଦୀ ଅଗସ୍ ଇନ୍ଦ୍ର ଉଦୟନ।

ଓଡ଼ିଶା ଗସ୍ତରେ ଆସିଥିବା ଜଣାଶୁଣା ଗାନ୍ଧିବାଦୀ ତଥା ଆଧ୍ୟାତ୍ମିକ ଗୁରୁ ଶ୍ରୀ ଉଦୟନ ସୋମବାର ‘ସମ୍ବାଦ ଭବନ’ ପରିଦର୍ଶନରେ ଆସି ଅନୁଷ୍ଠାନର ବରିଷ୍ଠ କର୍ମକର୍ତ୍ତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ଭାବବିନିମୟ କାର୍ଯ୍ୟକ୍ରମରେ ସେ କହିଥିଲେ ଭାରତର ପବିତ୍ର ନଦୀମାନଙ୍କ ମଧ୍ୟରୁ ମହାନଦୀ ଅନ୍ୟତମ ଓ ଏହାର ମହାନ ଐତିହ୍ୟ ରହିଛି। ଏହାକୁ ଉଜ୍ଜୀବିତ କରିବାକୁ ପଡ଼ିବ। ଦିନେ ମହାନଦୀ ମାଧ୍ୟମରେ ଉତ୍କଳୀୟ ଧର୍ମ-ସଂସ୍କୃତି ସୁଦୂର ଇଣ୍ଡୋନେସିଆରେ ପହଞ୍ଚିଥିଲା। କଟକରେ ଅନୁଷ୍ଠିତ ବାଲିଯାତ୍ରା ସମୟରେ ମହାନଦୀକୁ ମହିମାନ୍ବିତ କରିବା ଲାଗି  ‘ମହାନଦୀ ଆଳତି’ କାର୍ଯ୍ୟକ୍ରମର  ଯୋଜନା ସେ କରୁଛନ୍ତି ବୋଲି ଶ୍ରୀ ଉଦୟନ କରିଛନ୍ତି। ଏଥିଲାଗି ଇଣ୍ଡୋନେସିଆରୁ ସ୍ବତନ୍ତ୍ର ପୂଜକ ଆସିବେ ଓ ସେଠାକାର ପାରମ୍ପରିକ ଶୈଳୀରେ ଆଳତି କରାଯିବା ଲାଗି ବ୍ୟବସ୍ଥା ହେଉଛି। ବାଲିଯାତ୍ରାକୁ ଏକ ବାଣିଜ୍ୟିକ ମେଳାରେ ସୀମିତ ନ ରଖି ଏହାକୁ ଆଧ୍ୟାତ୍ମିକ-ସାଂସ୍କୃତିକ ମେଳା ଭାବେ ରୂପଦେବାକୁ ସେ ଉଦ୍ୟମ କରୁଛନ୍ତି। ଏଥି ଲାଗି ଏପ୍ରିଲମାସରେ  ଓଡ଼ିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବେ ବୋଲି ଶ୍ରୀ ଉଦୟନ ପ୍ରକାଶ କରିଛନ୍ତି।

ଭାରତ ବାହାରେ ଗାନ୍ଧୀ ଆଦର୍ଶର ପ୍ରଚାରପ୍ରସ‌ାର ନିମନ୍ତେ ଭାରତ ସରକାର ୨୦୨୦ ମସିହାରେ ଅଗସ୍ ଇନ୍ଦ୍ର ଉଦୟନଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ। ଇଣ୍ଡୋନେସିଆର ବାଲି ଓ ଲୋମ୍ବୋକରେ ୪ଟି ଗୁରୁକୂଳ ଆଶ୍ରମ ପ୍ରତିଷ୍ଠା କରିଛନ୍ତି ଉଦୟନ । ଏଠାରେ ତାଙ୍କର ବ୍ୟକ୍ତିଗତ ତତ୍ତ୍ବାବଧାନରେ ସତ୍ୟ, ଅହିଂସା ଓ ମାନବିକତା ଆଧାରରେ ଶିକ୍ଷାଦାନ କରାଯାଉଛି। ଗାନ୍ଧୀଜୀ ଯେହେତୁ ‘ଦରିଦ୍ର ନାରାୟଣ ସେବା’ ଉପରେ ଗୁରୁତ୍ବ ଦେଉଥିଲେ ଏବଂ ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କ ମଧ୍ୟରେ ଭଗବାନ ବିରାଜମାନ କରୁଥିବା ବିଶ୍ବାସ କରୁଥିଲେ, ତେଣୁ  ଶ୍ରୀ ଉଦୟନ ପ୍ରତିବର୍ଷ ୪୫ ଜଣ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଙ୍କୁ ବୃତ୍ତି ପ୍ରଦାନ କରି ଶିକ୍ଷାଦାନ କରିଥାଆନ୍ତି। ତାଙ୍କ ପରିଚାଳିତ ଆଶ୍ରମ ଗାନ୍ଧୀ ପୁରୀକୁ ଦେଶବିଦେଶରୁ ଛାତ୍ର ଆସୁଛନ୍ତି। ଗାନ୍ଧୀ ବିଚାରଧାରା ସଂପର୍କରେ ଅଧ୍ୟୟନ କରିବା ସହ ଗାନ୍ଧୀବାଦକୁ ଆଚରଣରେ ଫୁଟାଉଥିବା ବାଲିର ଯୁବପିଢ଼ିଙ୍କ ସହ ଭାବବିନିମୟ କରୁଛନ୍ତି। ୧୯୯୭ ମସିହାରେ ସେ ଇନ୍ଦ୍ର ଉଦୟନ ଇନଷ୍ଟିଚ୍ୟୁଟ୍ ଅଫ୍ ବେଦାନ୍ତ ପ୍ରତିଷ୍ଠା କରି ସ୍ବାମୀ ବିବେକାନନ୍ଦ ଏବଂ ମହାତ୍ମା ଗାନ୍ଧୀଙ୍କ ନୀତିଶିକ୍ଷାର ଦୈନନ୍ଦିନ ଜୀବନରେ ପ୍ରାସଙ୍ଗିକତା ସଂପର୍କରେ ଶିକ୍ଷାଦାନ କରୁଛନ୍ତି।

ପ୍ରାରମ୍ଭିକ ଭାବେ ବୃତ୍ତିରେ ଜଣେ ମଡେଲ୍ ଥିଲେ ଉଦୟନ ଓ ଦେଶବିଦେଶରେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ। ମାତ୍ର ଗାନ୍ଧୀଜୀଙ୍କ ସଂପର୍କରେ ପଢ଼ିବା ପରେ ଓ ଭାରତ ଆସି ବର୍ଷୀୟାନ ଗାନ୍ଧୀବାଦୀଙ୍କ ସଂସ୍ପର୍ଶରେ ଆସିବା ପରେ ତାଙ୍କର ଜୀବନ ପ୍ରତି ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଘଟିଥିଲା। ସେ ସନ୍ନ୍ୟାସ ଗ୍ରହଣ କରି ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ। ଇଣ୍ଡୋନେସିଆରେ ‌ଲୋକଙ୍କ ମଧ୍ୟରେ ଗାନ୍ଧୀଆଦର୍ଶର ପ୍ରସାର କରାଇଥିଲେ। ସେ ଗାନ୍ଧୀଙ୍କ ରଚନାବଳିକୁ ସ୍ଥାନୀୟ ଭାଷାକୁ ଅନୁବାଦ ମଧ୍ୟ କରିଥିଲେ। ଏ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ୨୦୧୧ ମସିହାରେ ତାଙ୍କୁ ଅନ୍ତର୍ଜାତୀୟ  ଯମନାଲାଲ୍ ବଜାଜ ପୁରସ୍କାର ଓ  ୨୦୧୦ରେ ଆଇବିଏମଏଫ୍  ସଂସ୍ଥା ପକ୍ଷରୁ ‘ଇଣ୍ଡୋନେସିଆ ଗାନ୍ଧୀ’ ଉପାଧି ପ୍ରଦାନ କରାଯାଇଥିଲା।

Spread the love