ଖସୁଛି ପାରଦ, ଆହୁରି ୪ଡିଗ୍ରି ଖସିବ

ଆସନ୍ତା ୩ ଦିନରେ ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ଏଥିସହ ଦକ୍ଷିଣ ଓଡ଼ିଶାରେ ୪ ଡିଗ୍ରି କିମ୍ବା ତା’ଠାରୁ ଅଧିକ ପାରଦ ଖସିବ। ଫଳରେ ନଭେମ୍ବର ୧୦ ତାରିଖ ସୁଦ୍ଧା ରାଜ୍ୟରେ ସମ୍ପୂର୍ଣ୍ଣ ଭାବେ ଶୀତ ଅନୁଭୂତ ହେବ। ଏବେଠାରୁ କନ୍ଧମାଳ, କଳାହାଣ୍ଡି ଓ ସୋନପୁରରେ ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବା ଆରମ୍ଭ ହୋଇଗଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ଡିଗ୍ରି ପର୍ଯ୍ୟନ୍ତ ଖସିଥିବା ବେଳେ ଆଗକୁ ଆହୁରି ଖସିବ ଓ ଧୀରେଧୀରେ ସାରା ଓଡ଼ିଶା ଶୀତର କବଳିତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଏଥିସହ ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୫.୨ ଡିଗ୍ରି ‌ରେକର୍ଡ ହୋଇଛି।

କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌. ଆର୍‌ ବିଶ୍ବାସ କହିଛନ୍ତି ଯେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ବାକି ସମସ୍ତ ଜିଲ୍ଲ‌ାରେ ପାଗ ଶୁଖିଲା ରହିବ। ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଆସନ୍ତା ୩ ଦିନରେ ୩ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ଖସିବ। ଏହାପରେ ଆହୁରି କମିବାର ବି ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶାରେ ଆସନ୍ତା ୩/୪ ଦିନ ଭିତରେ ୪ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ଖସିବ। ବିଶେଷକରି ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ପାରଦ ସ୍ତର ଆଖିଦୃଶିଆ ହ୍ରାସ ପାଇବ ଓ ଥଣ୍ଡା ପଡ଼ିବ। ଗତ ୨/୩ ଦିନ ଧରି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା ହ୍ରାସ ପାଇନଥିବା ବେଳେ ସ୍ବାଭାବିକଠାରୁ ତାପମାତ୍ରା ‌ଟିକେ ଅଧିକ ରହିଥିଲା। ଏଣୁ ଆସନ୍ତା ୪ ଦିନ ମଧ୍ୟରେ ତାପମାତ୍ରା ୪ ଡିଗ୍ରି କିମ୍ବା ତା’ଠାରୁ ଅଧିକ ହ୍ରାସ ପାଇବାର ସମ୍ଭାବନା ରହିଛି। କିନ୍ତୁ ଉତ୍ତର ଓଡ଼ିଶାରେ ଗତ ୨ ଦିନରେ ୨/୩ ଡିଗ୍ରି ତାପମାତ୍ରା ହ୍ରାସ ପାଇଥିବାରୁ ଏଠାରେ ଆଉ ୨/୩ ଡିଗ୍ରି ହ୍ରାସ ପାଇପାରେ।ଭୁବନେଶ୍ବରରେ ଗତକାଲି ସର୍ବନିମ୍ନ ତାପମାତ୍ରା ୨୩.୧ ଡିଗ୍ରି ରେକର୍ଡ ହୋଇଥିଲା ବେଳେ ଆଜି ତାହା ୧୯.୯ ଡିଗ୍ରିକୁ ଖସି ଆସିଛି। ‌ସେହିଭଳି କଟକର ସର୍ବନିମ୍ନ ତାପମାତ୍ରା ଗତକାଲି ୨୧.୫ ଡିଗ୍ରି ରେକର୍ଡ ହୋଇଥିବ‌ା ବେଳେ ଆଜି ତାହା ୧୯.୬ ଡିଗ୍ରିକୁ ହ୍ରାସ ହୋଇଛି। ଏହିଭଳି ଧୀରେଧୀରେ ତାପମାତ୍ରା ଖସିବା ସହ ରାଜ୍ୟରେ ଶୀତ ଆରମ୍ଭ ହୋଇଯିବ ବୋଲି ଶ୍ରୀ ବିଶ୍ବାସ କହିଛନ୍ତି। ଗତ ୨୪ଘଣ୍ଟା ମଧ୍ୟରେ କୋରାପୁଟ ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ହୋଇଯାଇଛି। ବୋରିଗୁମ୍ମାରେ ୭.୮ମିମି ବର୍ଷା ହୋଇଛି। ଏଥିସହ ଆଉ କିଛି କିଛି ସ୍ଥାନରେ ହାଲ୍‌କାରୁ ସ୍ବଳ୍ପ ବର୍ଷା ହୋଇଯାଇଛି।
Spread the love